୨୦୧୯ରେ ବିଜେପିକୁ ୩୦୩ ଆସନ: ପୀୟୂଷ ଗୋୟଲ୍‌

ମୁମ୍ବାଇ: ଆଗାମୀ ଲୋକସଭା ନିର୍ବାଚନରେ ବିଜେପିକୁ ୨୯୭ରୁ ୩୦୩ ଆସନ ମିଳିବ ବୋଲି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ୍‌ କହିଛନ୍ତି। ତାଙ୍କ ଦ୍ବାରା ହୋଇଥିବା ଏକ ସର୍ଭେରୁ ଏହି ସୂଚନା ମିଳିଥିବା ଗୋୟଲ୍‌ ଦର୍ଶାଇଛନ୍ତି। ଉଲ୍ଲେଖଯୋଗ୍ୟ, ଦେଶରେ ବିଜେପିର ସ୍ଥିତି ଜାଣିବା ସକାଶେ ସେ ୫.୪ ଲକ୍ଷରୁ ଅଧିକ ଲୋକଙ୍କ ମତାମତ ନେଇଥିଲେ। ୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ ମଧ୍ୟ ଗୋୟଲ୍‌ ୨୦୧୩ରେ ଅନୁରୂପ ଭାବେ ଏକ ସର୍ଭେ କରିଥିଲେ। ବିଜେପି ଏକକ ସଂଖ୍ୟାଗରିଷ୍ଠତା ହାସଲ କରିବ ବୋଲି ସେ ରିପୋର୍ଟ ଦେଇଥିଲେ। ତାଙ୍କର ଏହି ସର୍ଭେ ସତ୍ୟରେ ପରିଣତ ହୋଇଥିଲା ଏବଂ ୨୦୧୪ରେ ବିଜେପି ଏକକ ସଂଖ୍ୟାଗରିଷ୍ଠତା ପାଇଥିଲା। ତେବେ ୨୦୧୯ ନିର୍ବାଚନ ପାଇଁ ଗୋୟଲ୍‌ଙ୍କ ଦ୍ବାରା ଅଗଷ୍ଟ-ସେପ୍ଟେମ୍ବରରେ ସର୍ଭେ କରାଯାଇଥିଲା। ମୁମ୍ବାଇରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ କହିଛନ୍ତି, ମୁଁ ଖୁସି ଯେ ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ୨୯୭-୩୦୩ ଆସନ ହାସଲ କରି ପୁଣି ସଂଖ୍ୟାଗରିଷ୍ଠତା ବଜାୟ ରଖିବ।

ସମ୍ବନ୍ଧିତ ଖବର