୨୦୧୯ ନିର୍ବାଚନ, ଅଣ ବିଜେପି ସରକାର ଅସମ୍ଭବ ନୁହେଁ: ସିଏଲ୍‌ଏସ୍‌ଏ

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ଏନ୍‌ଡିଏ ସରକାର ପାଇଁ ୨୦୧୯ ସାଧାରଣ ନିର୍ବାଚନ ବିଜୟ ଏତେ ସହଜ ହେବନାହିଁ ବୋଲି ଆର୍ଥିକ ପରିଚାଳନା ସଂସ୍ଥା ସିଏଲ୍‌ଏସ୍‌ଏ କହିଛି। ମୋଦୀ ସରକାର ସହଜରେ ପୁଣି ଥରେ କ୍ଷମତାକୁ ଫେରିବା ନେଇ ଯେଉଁ ସମ୍ଭାବନା ଥିଲା ତାହା ଧୀରେ ଧୀରେ ବଡ଼ ଚ୍ୟାଲେଂଜ ଆଡ଼କୁ ମୁହାଁଇଛି। ଏଭଳି ସ୍ଥିତିରେ କେନ୍ଦ୍ରରେ ଏକ ଅଣ ବିଜେପି ସରକାର ଗଠନ ଅସମ୍ଭବ ନୁହେଁ ବୋଲି ସିଏଲ୍‌ଏସ୍‌ଏର ୨୧ତମ ଭାରତ ନିବେଶକ ସମ୍ମିଳନୀରେ ଉପସ୍ଥାପିତ ରିପୋର୍ଟରେ କୁହାଯାଇଛି। କେନ୍ଦ୍ରରେ ଏକ ଦୁର୍ବଳ ମେଣ୍ଟ ସରକାର ଗଠନ ହେବା ନେଇ ୨୫ରୁ ୩୦ ପ୍ରତିଶତ ସମ୍ଭାବନା ରହିଛି । ଅନ୍ୟପକ୍ଷରେ ଏକ ସୁଦୃଢ଼ ମେଣ୍ଟର ନେତୃତ୍ବ ନେଇ କଂଗ୍ରେସ ସରକାର ଗଠନ ହେବା ସମ୍ଭାବନା ୫ରୁ ୧୦ ପ୍ରତିଶତ ରହିଛି ବୋଲି ଏହି ରିପୋର୍ଟରେ କୁହାଯାଇଛି। ୨୦୧୪ରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ଯେଭଳି ଐତିହାସିକ ଜନାଦେଶ ସହିତ ସରକାର ଗଠନ କରିଥିଲା ୨୦୧୯ରେ ତାହାର ପୁନରାବୃତ୍ତି ବେହନାହିଁ ଏବଂ ବିରୋଧୀ ମେଣ୍ଟ ଏହି ନିର୍ବାଚନରେ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ରହିବ ବୋଲି କୁହାଯାଇଛି । ୨୦୧୯ରେ ବିଜେପି ଏକାକୀ ସରକାର ଗଠନ କରିପାରିବ ନାହିଁ ଏବଂ ମେଣ୍ଟ ସହାୟତାରେ ସରକାର ଗଢ଼ିବା ସମ୍ଭାବନା ୫୦ରୁ ୫୫ ପ୍ରତିଶତ ରହିଛି ବୋଲି ସିଏଲ୍‌ଏସ୍‌ଏ ରିପୋର୍ଟରେ କୁହାଯାଇଛି । ଆକଳନ ଅନୁଯାୟୀ କଂଗ୍ରେସ ନେତୃତ୍ବରେ ଏକ ଶକ୍ତିଶାଳୀ ମେଣ୍ଟ ସରକାର ଗଠନ ପାଇଁ କଂଗ୍ରେସକୁ ୧୫୦ ଆସନ ଆବଶ୍ୟକ ହେବ। ୨୦୧୪‌ ନିର୍ବାଚନରେ କଂଗ୍ରେସ ୪୪ ଆସନରେ ସୀମିତ ରହିଥିବାରୁ ଏଥର ୧୫୦ରେ ପହଞ୍ଚିବା ମଧ୍ୟ ଏତେ ସହଜ ହେବନାହିଁ ବୋଲି କୁହାଯାଇଛି ।

ସମ୍ବନ୍ଧିତ ଖବର