ଉତ୍ତରପ୍ରଦେଶରେ ଶିବ-ରାମ-ବିଷ୍ଣୁ, ପ୍ରଭୁଙ୍କ ଭରସାରେ ଲଢ଼ାଯିବ ୨୦୧୯ ନିର୍ବାଚନ

ଲ‌େକ୍ଷ୍ନୗ: ୨୦୧୯ ସାଧାରଣ ନିର୍ବାଚନରେ ଉତ୍ତରପ୍ରଦେଶରେ ସବୁଠାରୁ ବଡ଼ ପ୍ରସଙ୍ଗ ହେବ ‘ଭଗବାନ’। ପ୍ରଭୁଙ୍କୁ କେନ୍ଦ୍ର କରି ହିଁ ଏହି ନିର୍ବାଚନ ଲଢ଼ିବା ପାଇଁ ଏବେ ବିଜେପି, କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ଜୋର୍‌୍‌ସୋରରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଦେଶରେ ରାଜନୈତିକ ଦୃଷ୍ଟିରୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କୁହାଯାଉଥିବା ଏହି ରାଜ୍ୟରେ ଏବେ ଜନସଂଖ୍ୟା ପ୍ରାୟ ୨୨ କୋଟି । ଏଥର ନିର୍ବାଚନରେ ବିଜେପିର ଫୋକସ୍‌ ଭଗବାନ ଶ୍ରୀରାମଙ୍କ ଉପରେ ରହିଛି। ଅନ୍ୟପକ୍ଷରେ କଂଗ୍ରେସ ଭଗବାନ ଶିବଙ୍କୁୂ ନେଇ ଆଗକୁ ବଢ଼ୁଥିବା ବେଳେ ସମାଜବାଦୀ ପାର୍ଟି ଭଗବାନ ବିଷ୍ଣୁଙ୍କୁ ନେଇ ରାଜନୈତିକ କାର୍ଯ୍ୟକ୍ରମ ଆଗକୁ ବଢ଼ାଉଛି। ବହୁଜନ ସମାଜପାର୍ଟି କୌଣସି ହିନ୍ଦୁ ଭଗବାନଙ୍କ ନାମ ନେଇ ଭୋଟ୍‌ ମାଗିବାରୁ ନିଜକୁ ଦୂରରେ ରଖିଛି। ଏଭଳି କରି ଏହା କେବଳ ଦଳିତଙ୍କ ଦଳ ଭାବେ ନିଜକୁ ଉପସ୍ଥାପନ କରିବାକୁ ଚାହୁଛି।

ବିଜେପିକୁ ଟକ୍କର ଦେବାପାଇଁ କଂଗ୍ରେସ ଏବେ ନରମ ହିନ୍ଦୁତ୍ବକୁ ଆପଣାଇଛି । ଦଳକୁ ଅନେକ ମୁସ୍‌ଲିମ୍‌ଙ୍କ ପାର୍ଟି ବୋଲି କହୁଥିବାରୁ କଂଗ୍ରେସ ଏହି ଧାରଣକୁ ବଦଳାଇବା ପାଇଁ ପ୍ରୟାସ ଜାରି ରଖିଛି। ୨୦୧୪ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଥିବାରୁ ୨୦୧୯ ନିର୍ବାଚନ ପାଇଁ ହିନ୍ଦୁତ୍ବକୁ କଂଗ୍ରେସ ନେତାମାନେ ଗୁରୁତ୍ବ ଦେଉଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶିବ ମନ୍ଦିରଗୁଡ଼ିକୁ ତୁହାକୁ ତୁହା ଯାଉଥିବା ଦେଖିବାକୁ ମିଳିଛି। ଅଯୋଧ୍ୟାରେ ରାମ ଜନ୍ମଭୂମିରେ ମନ୍ଦିର ନିର୍ମାଣ ନିଶ୍ଚିତ ବୋଲି ବିଜେପି ନେତାମାନେ ଏବେ କହିବା ଆରମ୍ଭ କରିଛନ୍ତି। ୨୦୧୯ ନିର୍ବାଚନରେ ମଧ୍ୟ ରାମଙ୍କୁ ଆଶ୍ରା କରି ନିର୍ବାଚନ ବୈତରଣୀ ପାର ହେବାକୁ ବିଜେପି ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ସମାଜବାଦୀ ପାର୍ଟି ମଧ୍ୟ ନିଜର ‘ମୁସ୍‌୍‌ଲିମ୍‌ ପାର୍ଟି’ ଛାପକୁ ହଟାଇବାକୁ ଯୋଜନା କରିଛି। ଦଳ ପ୍ରତି ‘ହିନ୍ଦୁ ବିରୋଧୀ’ ବୋଲି ସାଧାରଣରେ ଯେଉଁ ଧାରଣା ରହିଛି ତାହାକୁ ବଦଳାଇବାକୁ ସମାଜବାଦୀ ପାର୍ଟି ଏବେ ଏକ ଭବ୍ୟ ବିଷ୍ଣୁ ମନ୍ଦିର ନିର୍ମାଣ ପାଇଁ ଘୋଷଣା କରିଛି। ଦଳ ସୁପ୍ରିମୋ ଅଖିଳେଶ ଯାଦବଙ୍କ ଏହି ଘୋଷଣାକୁ ବିଜେପି ‘ହୃଦୟ ପରିବର୍ତ୍ତନ’ ବୋଲି କହିଛି। ସମାଜବାଦୀ ପାର୍ଟି ନେତାମାନେ ମଧ୍ୟ ମନ୍ଦିର ଦର୍ଶନ କାର୍ଯ୍ୟକ୍ରମ ବଢ଼ାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର