୨୦୧୯ ଲୋକସଭା ନିର୍ବାଚନ:ରେକର୍ଡ ୬୭.୧୧% ମତଦାନ

ପୂର୍ବର ସବୁ ନିର୍ବାଚନକୁ ଟପିଲା

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନ ପାଇଁ ସମୁଦାୟ ୭ଟି ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହୋଇଥିଲା। ଏହି ନିର୍ବାଚନରେ ୫୪୨ ଲୋକସଭା ଆସନରେ ୬୭.୧୧ ପ୍ରତିଶତ ମତଦାନ ହୋଇଛି ବୋଲି ନିର୍ବାଚନ କମିସନ୍‌ ସୂତ୍ରରୁ ଜଣାପଡ଼ିଛି। ୨୦୧୪ ‌ଲୋକସଭା‌ ନିର୍ବାଚନ ତୁଳନାରେ ଏଥର ମତଦାନ ୧.୧୬ ପ୍ରତିଶତ ବୃଦ୍ଧି ‌ହୋଇଛି। ପୂର୍ବରୁ ହୋଇଥିବା ସମସ୍ତ ନିର୍ବାଚନଠାରୁ ଏଥର ମତଦାନ ସର୍ବାଧିକ ଥିବାରୁ ଏହା ନୂଆ ରେକର୍ଡ ସ୍ଥାପନ କରିଛି। ୨୦୧୪ ‌ଲୋକସଭା ନିର୍ବାଚନରେ ମତଦାନ ପ୍ରତିଶତ ୬୫.୯୫ ଥିଲା। କିନ୍ତୁ କିଛି ଆସନରେ ପୁନଃ ନିର୍ବାଚନ ହେବାପରେ ଏହି ସଂଖ୍ୟାରେ ପରିବର୍ତ୍ତନ ହୋଇ ୬୬.୪୪ ପ୍ରତିଶତ ହୋଇଥିଲା। ୨୦୧୪ରେ ୫୪୩ ଲୋକସଭା ଆସନରେ ହୋଇଥିବା ମତଦାନ ତୁଳନାରେ ଚଳିତ ଲୋକସଭା ନିର୍ବାଚନ‌ରେ ୫୪୨ ଆସନରେ ୬୭.୧୧ ପ୍ରତିଶତ ମତଦାନ ବେଶ୍‌ ଉତ୍ସାହ ସୃଷ୍ଟିକାରୀ ହୋଇଛି। ଗତ ୧୬ଟି ଲୋକସଭା ନିର୍ବାଚନରେ ମତଦାନ ପ୍ରତିଶତରେ ବିଶେଷ ଫରକ୍‌ ରହିଛି। ୧୯୫୧ରେ ସବୁଠୁ କମ୍‌ ମତଦାନ ହୋଇଥିଲା। ପ୍ରଥମ ଲୋକସଭା ନିର୍ବାଚନରେ ୪୫.୬୭ ପ୍ରତିଶତ ଭୋଟର୍‌ ଅଂଶଗ୍ରହଣ କରିଥିଲେ। ଏହାପରେ ୧୯୫୭ରେ ୪୭.୭୪ ପ୍ରତିଶତ ମତଦାନ, ୧୯୬୨ରେ ୫୫.୪୨ ପ୍ରତିଶତ, ୧୯୬୭ରେ ୬୧.୩୩ ପ୍ରତିଶତ ମତଦାନ ହୋଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ବାଧୀନ କଂଗ୍ରେସ ସରକାର ସମୟରେ ଏହା ପ୍ରଥମ ଲୋକସଭା ନିର୍ବାଚନ ଥିଲା। ୧୯୭୭ରେ ୬୦.୪୯ ପ୍ରତିଶତ, ୧୯୮୦ରେ ୫୬.୯୨ ପ୍ରତିଶତ, ୧୯୮୪-୮୫ରେ ୬୪.୦୧ ପ୍ରତିଶତ, ୧୯୮୯ରେ ୬୧.୯୫ ପ୍ରତିଶତ, ୧୯୯୧-୯୨ରେ ୫୫.୮୮ ପ୍ରତିଶତ, ୧୯୯୬ରେ ୫୭.୯୪ ପ୍ରତିଶତ, ୧୯୯୮ରେ ୬୧.୯୭ ପ୍ରତିଶତ, ୧୯୯୯ରେ ୫୯.୯୯ ପ୍ରତିଶତ, ୨୦୦୪ରେ ୫୭.୯୮ ପ୍ରତିଶତ, ୨୦୦୯ରେ ୫୮.୧୯ ପ୍ରତିଶତ ଏବଂ ୨୦୧୪ରେ ୬୬.୪୪ ପ୍ରତିଶତ ମତଦାନ ହୋଇଛି।
ଚଳିତ ଲୋକସଭା ନିର୍ବାଚନରେ ରାଜ୍ୟୱାରି ହୋଇଥିବା ମତଦାନକୁ ନଜରକୁ ନେଲେ ଜଣାପଡ଼ୁଛି ଯେ ୨୦୧୪ ନିର୍ବାଚନ ତୁଳନାରେ ଚଳିତ ନିର୍ବାଚନରେ ୧୮ ଟି ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ମତଦାନ ପ୍ରତିଶତ ଅଧିକ ରହିଛି ଏବଂ ୧୬ ଟି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ପ୍ରତିଶତ କମ୍‌ ରହିଛି। ମଧ୍ୟପ୍ରଦେଶ ଏବଂ ହିମାଚଳ ପ୍ରଦେଶରେ ମତଦାନ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡ଼ିଛି। ମଧ୍ୟପ୍ରଦେଶରେ ୨୦୧୪ରେ ୬୧.୬୧ ପ୍ରତିଶତ ମତଦାନ ହୋଇଥିବାବେଳେ ୨୦୧୯ ନିର୍ବାଚନରେ ମତଦାନ ପ୍ରତିଶତ ହାର ୯.୫୯ ପ୍ରତିଶତ ବୃଦ୍ଧି ପାଇ ୭୧.୨ ପ୍ରତିଶତ ହୋଇଛି। ଏହାପରକୁ ହିମାଚଳ ପ୍ରଦେଶରେ ୨୦୧୪ ନିର୍ବାଚନରେ ୬୪.୪୫ ପ୍ରତିଶତ ମତଦାନ ହୋଇଥିବାବେ‌ଳେ ଚଳିତ ନିର୍ବାଚନରେ ମତଦାନ ପ୍ରତିଶତ ୭୧.୫୨ ପ୍ରତିଶତ ରହିଛି। ତେବେ ଜମ୍ମୁ କଶ୍ମୀରରେ ସବୁଠୁ କମ୍‌ ମତଦାନ ହୋଇଛି। ଜମ୍ମୁ କଶ୍ମୀର‌ରେ ୨୦୧୪ରେ ୪୯.୭୨ ପ୍ରତିଶତ ମତଦାନ ହୋଇଥିବାବେଳେ ଚଳିତ ନିର୍ବାଚନରେ ମତଦାନ ପ୍ରତିଶତ ୨୯.୩୯ ପ୍ରତିଶତ ରହିଛି। ୨୦୧୪ ନିର୍ବାଚନ ତୁଳନାରେ ମତଦାନ ପ୍ରତିଶତ ୨୦.୩୩ ପ୍ରତିଶତ କମିଛି। ଉତ୍ତରପ୍ରଦେଶ ଏବଂ ବିହାର‌ରେ ମତଦାନ ପ୍ରତିଶତ ବୃଦ୍ଧି ପାଇଛି । ଅନ୍ୟପକ୍ଷେ ପଶ୍ଚିମବଙ୍ଗରେ ଏଥର ମତଦାନ ପ୍ରତିଶତ ୮୧.୯୧ ଥିଲେ ମଧ୍ୟ ୨୦୧୪ ତୁଳନାରେ ଏହା କମ୍‌। ୨୦୧୪ ନିର୍ବାଚନରେ ପଶ୍ଚିମବଙ୍ଗରେ ମତଦାନ ପ୍ରତିଶତ ୮୨.୨୨ ପ୍ରତିଶତ ଥିଲା।

ସମ୍ବନ୍ଧିତ ଖବର