୨୦୧୯ରେ ଲୋକେ ମୋଦିଙ୍କୁ ଶୁଣାଇବେ ମନ୍‌ କୀ ବାତ୍‌

କଂଗ୍ରେସର ସମ୍ବିଧାନ ବଞ୍ଚାଅ ଅଭିଯାନ

ନୂଆଦିଲ୍ଲୀ, ୨୩ା ୪ : ସମ୍ବିଧାନର ସୁରକ୍ଷା ଏବଂ ଦଳିତ ଓ ପଛୁଆବର୍ଗର ଲୋକଙ୍କ ଅଧିକାରକୁ ସୁରକ୍ଷା ଦେବାପାଇଁ ଆଜି କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ସମ୍ବିଧାନ ବଞ୍ଚାଅ ଅଭିଯାନ ଆରମ୍ଭ ହୋଇଛିି। ଏହି ‘ସମ୍ବିଧାନ ବଞ୍ଚାଅ’ ଜାତୀୟ ଅଭିଯାନ ଗ୍ରାମୀଣ ସ୍ତରରେ ୨୦୧୯ ମସିହା ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ମୋଦି ସରକାରଙ୍କ ଅଧୀନରେ ଦେଶର ସାମ୍ବିଧାନିକ ମୂଲ୍ୟବୋଧ ବିପଦରେ ଅଛି କିନ୍ତୁ କଂଗ୍ରେସ ଏହା ହେବାକୁ ଦେବନି ବୋଲି ଦୃଢ଼ୋକ୍ତି ବାଢ଼ି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ଏହି ସମ୍ବିଧାନ ବଞ୍ଚାଅ ଅଭିଯାନ ଆରମ୍ଭ କରିଛନ୍ତି। ରାହୁଲ ଆଜି ଦିଲ୍ଲୀଠାରେ ଏହି ଅଭିଯାନ ଆରମ୍ଭ କରି ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ସେ ମଧ୍ୟ କହିଛନ୍ତି ଯେ ୨୦୧୯ରେ ଲୋକେ ମୋଦିଙ୍କୁ ଭୋଟ ମାଧ୍ୟମରେ ‘ମନ୍‌ କି ବାତ୍‌’ ଶୁଣାଇବେ। ମୋଦିଙ୍କୁ କଡ଼ା ସମାଲୋଚନା କରି ରାହୁଲ କହିଛନ୍ତି ଭାରତରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ବିଜେପି ଏବଂ ଆରଏସଏସ ସମର୍ଥକଙ୍କୁ ନିଯୁକ୍ତି ଦେଇ ମୋଦି ସରକାର ସମ୍ପୂର୍ଣ୍ଣ ସାମ୍ବିଧାନିକ ଅନୁଷ୍ଠାନ ଗୁଡ଼ିକୁ ଭାଙ୍ଗି ଦେଇଛନ୍ତି। ସଂସଦ ବନ୍ଦ କରିଦେଇଛନ୍ତି ବୋଲି ରାହୁଲ କହିଛନ୍ତି। ତେବେ ସଂସଦର ବଜେଟ୍‌ ଅଧିବେଶନ ବନ୍ଦ ହେବା ଏବଂ ସୁପ୍ରିମକୋର୍ଟର ୪ ଜଣ ବରିଷ୍ଠ ବିଚାରପତିି ସର୍ବସାଧାରଣରେ ପ୍ରଧାନ ବିଚାରପତିଙ୍କୁ ସମାଲୋଚନା କରିବା ପ୍ରସଙ୍ଗକୁ ଆକ୍ଷେପ କରି ରାହୁଲ ଏଭଳି ସମାଲୋଚନା କରିଛନ୍ତି। ଦେଶ ଜଳିଯାଉ, ଝିଅମାନେ ଦୁଷ୍କର୍ମର ଶିକାର ହୁଅନ୍ତୁ କି ଅନୁସୂଚିତ ଜାତି, ଜନଜାତି ଓ ସଂଖ୍ୟାଲଘୁ ମାନଙ୍କ ଅଧିକାର ବିପଦରେ ରହୁ ଏଥିରେ ମୋଦିଙ୍କର କିଛି ଫରକ୍‌ ପଡ଼ୁନି। ସେ ପୁଣିଥରେ ପ୍ରଧାନମନ୍ତ୍ରୀ ହେବାରେ ହିଁ ଆଗ୍ରହ ବଳାଇଛନ୍ତି। ମୋଦିଙ୍କ ବିରୋଧରେ ରାହୁଲ କେବଳ ଦୁଇଟି ପ୍ରସଙ୍ଗକୁ ଅସ୍ତ୍ର କରିଛନ୍ତି। ଗୋଟିଏ ହେଉଛି ଦଳିତ ଅଧିକାର ଏବଂ ଅନ୍ୟଟି ମହିଳାଙ୍କ ସୁରକ୍ଷା। ମୋଦିଙ୍କୁ ପୁଣିଥରେ ଚ୍ୟାଲେଞ୍ଜ କରି ରାହୁଲ କହିଛନ୍ତି ତାଙ୍କୁ ସଂସଦରେ କେବଳ ୧୫ ମିନିଟ୍‌ କହିବାର ସୁଯୋଗ ମିଳୁ ସେ ରାଫେଲ, ନୀରବ ମୋଦି, ଲଳିତ ମୋଦି ଏବଂ ବିଜୟ ମାଲ୍ୟା ଆଦି ପ୍ରସଙ୍ଗ ଗୁଡ଼ିକ ଉପରେ ଏମିତି କହିବେ ଯାହା ଦ୍ୱାରା ମୋଦି ସଂସଦରେ ଠିଆ ହେବାକୁ କି କିଛି କହିବାକୁ ମଧ୍ୟ ଭୟ କରିବେ। ସେହିପରି ବିଜେପିର ‘ବେଟି ବଚାଓ, ବେଟି ପଢ଼ାଓ’ ସ୍ଲୋଗାନକୁ ସମାଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର