୨୦୧୯ ପାଇଁ ପ୍ରସ୍ତୁତି:ଜେଡିଏସ-କଂଗ୍ରେସ ଏକାଠି ଲଢ଼ିବେ

ବେଙ୍ଗାଲୁରୁ: କର୍ଣ୍ଣାଟକ କ୍ୟାବିନେଟରେ ବିଭାଗ ଆବଣ୍ଟନକୁ ନେଇ କଂଗ୍ରେସ-ଜେଡିଏସ୍‌ ମଧ୍ୟରେ ଚାଲିଥିବା ମତଭେଦ ଦୂର ହୋଇଛି। ୨୦୧୯ରେ ବିଜେପିର ବିଜୟ ରଥକୁ ରୋକିବା ପାଇଁ ଜେଡିଏସ୍‌ ଓ କଂଗ୍ରେସ ଏକା ସାଙ୍ଗରେ ଲୋକସଭା ନିର୍ବାଚନ ଲଢିବେ ବୋଲି ଆଜି ଘୋଷଣା କରିଛନ୍ତି। ଉଭୟ ଦଳ ଆଜି ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ୨୦୧୯ ନିର୍ବାଚନ ପାଇଁ ମଧ୍ୟ ମେଣ୍ଟ କାଏମ ରହିବ ବୋଲି କହିଛନ୍ତି।
ଆଜି ଚୂଡ଼ାନ୍ତ ହୋଇଥିବା ରାଜ୍ୟ ମନ୍ତ୍ରିମଣ୍ଡଳରେ କଂଗ୍ରେସର ୨୨ ଓ ଜେଡିଏସ୍‌ର ୧୨ ସଦସ୍ୟ ରହିବେ ଏବଂ ଆସନ୍ତା ୬ ତାରିଖରେ କ୍ୟାବିନେଟ ସମ୍ପ୍ରସାରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାରସ୍ୱାମୀ କହିଛନ୍ତି। ବିଭାଗ ବଣ୍ଟନରେ ଜେଡିଏସ୍‌ ଅର୍ଥ ମନ୍ତ୍ରାଳୟ ରଖିଥିବା ବେଳେ ଗୃହ ,ସହର ବିକାଶ, କୃଷି, ଜଳସେଚନ, ମହିଳା ଓ ଶିଶୁ ବିକାଶ ଭଳି ମନ୍ତ୍ରାଳୟ କଂଗ୍ରେସକୁ ମିଳିଥିବା କଂଗ୍ରେସ ସାଧାରଣ ସମ୍ପାଦକ କେ.ସି.ବେଣୁଗୋପାଳ ସ୍ପଷ୍ଟ କରଛନ୍ତି। ସେହିପରି ଜେଡିଏସ୍‌ ନିକଟରେ ଅର୍ଥ, ଅବକାରୀ, ଶକ୍ତି, ପର୍ଯ୍ୟଟନ,ପରିବହନ ଭଳି ମନ୍ତ୍ରାଳୟ ରହିଥିବା ଜଣାପଡ଼ିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ଜେଡିଏସ୍‌ ମୁଖ୍ୟ ଏଚ.ଡି.ଦେବେଗୌଡାଙ୍କ ମଧ୍ୟରେ ବିଭାଗ ଆବଣ୍ଟନ ନେଇ ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚା ହେବା ପରେ ସମସ୍ତ ବିବାଦ ତୁଟିଥିବା ଜଣାପଡ଼ିଛି। ଉଭୟ ଦଳ ଏକ ସ୍ୱତନ୍ତ୍ର ସମନ୍ଵୟ କମିଟି ମଧ୍ୟ ଗଠନ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରାମେୟା ଏହି କମିଟିର ଅଧ୍ୟକ୍ଷ ଅଛନ୍ତି।

ସମ୍ବନ୍ଧିତ ଖବର