କାବୁଲରେ ଦୁଇ ଆତ୍ମଘାତୀ ବିସ୍ଫୋରଣ: ସାମ୍ବାଦିକଙ୍କ ସମେତ ୨୧ ନିହତ

କାବୁଲ: ସୋମବାର ଦିନ କାବୁଲରେ ଦୁଇଟି ଆତ୍ମଘାତି ବିସ୍ଫୋରଣ ଘଟି ଏଜେନ୍‌ସି ଫ୍ରାନ୍‌ସ୍‌-ପ୍ରେସ୍‌ର ମୁଖ୍ୟ ଫଟୋଗ୍ରାଫର୍‌ ଶାହ୍‌ ମାରାଇ ଓ ଅନ୍ୟ ତିନିଜଣ ସାମ୍ବାଦିକଙ୍କ ସମେତ ୨୧ ଜଣ ନିହତ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରାଳୟ ଏବଂ ଏଫ୍‌ପି କହିଛନ୍ତି।

ମନ୍ତ୍ରାଳୟ ମୁଖପାତ୍ର ଓ୍ଵାହିଦ୍‌ ମଜ୍‌ରୋହ୍‌ କହିଛନ୍ତି ଯେ ୨୭ ଜଣ ଆହତ ଲୋକଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସାଙ୍ଘାତିକ ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ।

ଘଟଣାସ୍ଥଳରେ ଉପସ୍ଥିତ ଥିବା ସାମ୍ବାଦିକମାନଙ୍କ ନିକଟରେ ପ୍ରଥମ ବିସ୍ଫୋରଣ ଘଟିବାର କିଛି ମୁହୂର୍ତ୍ତ ପରେ ଦ୍ୱିତୀୟ ବିସ୍ଫୋରଣ ଘଟିଥିଲା ବୋଲି ପୁଲିସ ମୁଖପାତ୍ର କାବୁଲ ହସ୍‌ମତ୍‌ ସ୍ଥାନିକ୍‌ଜାଇ କହିଛନ୍ତି। ଆତ୍ମଘାତୀ ବୋମା ବିସ୍ଫୋରଣକାରୀ ସାମ୍ବାଦିକଙ୍କ ଛଦ୍ମବେଶ ପକାଇ ଲୋକମାନଙ୍କ ଗହଣରେ ପଶିଥିଲେ ବୋଲି ସେ କହିଛନ୍ତି।

ଦୁଇଟିଯାକ ବିସ୍ଫୋରଣ ଆତ୍ମଘାତୀ ବିସ୍ଫୋରଣ ବୋଲି ନିରାପତ୍ତା ସୂତ୍ରରୁ ପ୍ରକାଶ।

ପ୍ରଥମଜଣକ ମୋଟରସାଇକେଲ ଚଳାଉଥିଲାବେଳେ ବିସ୍ଫୋରଣ ଘଟାଇବାରୁ ସେଠାରେ ଅନ୍ୟୂନ ୪ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୫ ଜଣ ଆହତ ହୋଇଥିଲେ।

ସକାଳ ୮ଟା ପୂର୍ବରୁ ଘଟିଥିବା ଏହି ଏହି ଆତ୍ମଘାତୀ ବିସ୍ଫୋରଣ ପାଇଁ ଏ ପର୍ଯ୍ୟନ୍ତ କେହି ନିଜକୁ ଦାୟୀ କରି ନାହାନ୍ତି।

ସମ୍ବନ୍ଧିତ ଖବର