ଅପରେସନ୍‌ ଅଲ୍‌-ଆଉଟ୍‌ : ସେନା ଟାର୍ଗେଟରେ ୨୧ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ, ଚାଲିଛି ଜୋରଦାର କମ୍ବିଂ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ବର୍ତ୍ତମାନ୍‌ ସେନା ଫୁଲ୍‌ ଦମ୍‌ରେ ଆରମ୍ଭ କରିଛି ଅପରେସନ ଅଲ୍‌-ଆଉଟ୍‌ । ସେନାକୁ ସାହାଯ୍ୟ କରିବା ଲାଗି ନ୍ୟାସନାଲ୍‌ ସିକ୍ୟୁରିଟି ଗାର୍ଡସ୍‌ କଶ୍ମୀରରେ ପହଞ୍ଚିଛନ୍ତି। କଶ୍ମୀର ଉପତ୍ୟକାରୁ ଆତଙ୍କବାଦୀଙ୍କ ମୂଳୋତ୍ପାଟନ ଲାଗି ସେନା ଚଳାଇଛି ଜୋରଦାର୍‌ ଅପରେସନ୍‌। ମିଳିଥିବା ସୂଚନା ଅନୁସାରେ ହିଂସାତ୍ମକ କାର୍ଯ୍ୟକଳାପରେ ଲିପ୍ତ ଥିବା ଏ ପ୍ଲସ୍‌ ପ୍ଲସ୍‌ ଶ୍ରେଣୀର ୨୧ ଜଣ ପାକିସ୍ତାନୀ ଉଗ୍ରପନ୍ଥୀ ସେନାର ଟାର୍ଗେଟରେ ଅଛନ୍ତି। ପାକିସ୍ତାନରୁ ହିଂସାତ୍ମକ କାର୍ଯ୍ୟକଳାପ ଚଳାଇଥିବା ଆତଙ୍କବାଦୀ ସଂଗଠନ ହିଜବୁଲ୍‌ ମୁଜାହିଦ୍ଦିନର ୧୧, ଲକ୍ସର-ଏ-ତୋଏବାର ୭, ଜୈସ-ଏ-ମହମ୍ମଦର ୨ ଏବଂ ଅନସାର ଘଓ୍ଵାତ୍‌ ଉଲ୍‌-ହିନ୍ଦର ଜଣେ ଆତଙ୍କବାଦୀ ଅଛନ୍ତି।

ହିଜବୁଲ୍‌ ମୁଜାହିଦ୍ଦିନର ୧୧ ଜଣ ଆତଙ୍କବାଦୀ ହେଲେ ମହମ୍ମଦ ଅସରଫ ଖାନ୍‌, ଅଲତାଫ କାଚରୁ,ମହମ୍ମଦ ଆବ୍ଦାସ ଶେଖ୍‌,ଉମର ମଜିଦ୍‌ ଗନି,ସୈଫୁଲ୍ଲା ମୀର୍‌,ଜୀନତ ଉଲ୍‌ ଇସଲାମ୍‌, ରିୟାଜ୍‌ ଅହମ୍ମଦ୍‌ ନାଏକୁ,ଲତିଫ୍‌ ଅହମ୍ମଦ ଦର୍‌, ଉମର୍‌ ଫୟାଜ୍‌ ଲୋନ୍‌,ମନାନ୍‌ ଓ୍ଵାନି ଓ ଜୁନେଦ୍‌ ଅସରଫ୍‌ । ସେହିପରିଲକ୍ସର-ଏ-ତୋଏବାର ୭ ଆତଙ୍କବାଦୀ ହେଲେ ଆବୁ ମୁସଲିମ୍‌, ଆବୁ ଜରଗମ୍‌,ଆଜାଦ୍‌ ଅହମ୍ମଦ ମାଲିକ୍‌, ଶକୁର୍‌ ଅହମ୍ମଦ୍‌ ଦର୍‌, ମହମ୍ମଦ ନବୀଦ୍‌ ଜାଦ୍‌, ରିୟାଜ୍‌ଅହମ୍ମଦ୍‌ ଦର୍‌ ଓ ମୁସ୍ତାକ ଅହମ୍ମଦ୍‌ ମୀର୍‌। ଜୈସ୍‌-ଏ-ମହମ୍ମଦର ଦୁଇ କୁଖ୍ୟାତ ଆତଙ୍କବାଦୀ ହେଲେ ଜାହିଦ୍‌ ଅହମ୍ମଦ ଓ୍ଵାନି ଓ ମୁଦାସିର୍‌ ଅହମ୍ମଦ୍‌ ଖାନ୍‌।

ଏହି ୨୧ ଜଣଙ୍କ ମଧ୍ୟରୁ ରିୟାଦ୍‌ ନିକୁ, ଜାକିର୍‌ ରସିଦ୍‌ ଭଟ୍ଟ, ଜୀନତ୍‌ ଉଲ ଇସଲାମ୍‌, ଡ.ସୈଫୁଲ୍ଲା, ଅଲତାଫ୍‌ କାଚୁର ଓ ନବୀଦ୍‌ ଜାଦ୍‌ ଆଦି ୬ ଜଣ ଆତଙ୍କବାଦୀଙ୍କୁ ପ୍ରଥମେ ଖୋଜାଯାଉଛି। କୁଖ୍ୟାତ ଆତଙ୍କବାଦୀରିୟାଜ୍‌ ପୁଲଓ୍ଵାମା ଜିଲ୍ଲାର ବେଗ୍‌ପୋରାର ବାସିନ୍ଦା। ସେହି ପରି ଜାକିର ରସିଦ ଭଟ୍ଟ ମଧ୍ୟ ଜଣେ ସକ୍ରିୟ ଉଗ୍ରପନ୍ଥୀ। ସେ ଜାକିର ମୁଷା ନାମରେ କୁଖ୍ୟାତ। ଜିନତ୍‌ ଉଲ୍‌ ଇସଲାମ୍‌ କଶ୍ମୀର ସୋପିଆଁ ଜିଲ୍ଲାର ହିଜ୍‌ବୁଲ୍‌ କମାଣ୍ଡର ଓ ସୈଫୁଲ୍ଲା ଶ୍ରୀନଗରର ହିଜ୍‌ବୁଲ୍‌ କମାଣ୍ଡର, କିନ୍ତୁ ତାଙ୍କ ଘର ପୁଲଓ୍ଵାମାର ମଲାଙ୍ଗପୋରା। ଅଲତାଫ୍‌ କାଚ୍‌ରୁ ମଧ୍ୟ ଜଣେ ହିଜ୍‌ବୁଲ କମାଣ୍ଡର। ତାଙ୍କୁ ସଂଗଠନ ପକ୍ଷରୁ କୁଲ୍‌ଗାମ୍‌ ଦାୟିତ୍ୱ ଦିଆଯାଇଛି। ସାମ୍ବାଦିକ ସୁଜାତ୍‌ ବୁଖାରୀଙ୍କ ହତ୍ୟାକାରୀ ନବୀଦ୍‌ ଜାଟ୍ଟ୍‌ ଜଣେ ପାକିସ୍ତାନୀ ଉଗ୍ରପନ୍ଥୀ। ସେ ଲସ୍କର୍‌ -ଏ-ତୋଇବା ସହ ଜଡ଼ିତ।

ଜମ୍ମୁ-କଶ୍ମୀରରେ ହିଂସାକାଣ୍ଡ ଭିଆଉ ଥିବା ଏହି ଆତଙ୍କବାଦୀମାନଙ୍କୁ ଖୋଜି ଖୋଜି ଏନ୍‌କାଉଣ୍ଟର କରିବା ବର୍ତ୍ତମାନ ସେନା ପାଇଁ ସବୁଠାରୁ ବଡ଼ ଚାଲେଞ୍ଜ। ସାମ୍ବାଦିକ ସୁଜାତ୍‌ ବୁଖାରୀ ଓ ସହିଦ୍‌ ଯବାନ୍‌ ଔରଙ୍ଗଜେବ୍‌ଙ୍କ ହତ୍ୟାକାରୀଙ୍କୁ ଠାବ କରିବା ସେନାର ପ୍ରାଥମିକତା।

ସମ୍ବନ୍ଧିତ ଖବର