ରେଳପୋଲ ଉପରେ ସେଲ୍‌ଫି ଉଠାଇବା ବେଳେ ଟ୍ରେନ୍‌ ଧକ୍କା ଦେବାରୁ ୨୧ ବର୍ଷୀୟ ଛାତ୍ରୀ ମୃତ

ଜଳପାଇଗୁଡ଼ି: ରବିବାର ଦିନ ପଶ୍ଚିମବଙ୍ଗର ଜଳପାଇଗୁଡ଼ି ଜିଲ୍ଲାରେ ଗୋଟାଏ ରେଳପୋଲ ଉପରେ ସେଲ୍‌ଫି ଉତ୍ତୋଳନ କରିବା ବେଳେ ଟ୍ରେନ୍‌ ଧକ୍କା ଦେବାରୁ ଜଣେ ୨୧ ବର୍ଷୀୟ ଛାତ୍ରୀଙ୍କର ମୃତ୍ୟୁ ଘଟିଥିବା କଥା ସରକାରୀ ରେଳବାଇ ପୁଲିସ କହିଛି।

ତାଙ୍କ ସହ ଥିବା ଅନ୍ୟ ଜଣେ ଯୁବତୀ ରେଳଗାଡ଼ି ଧକ୍କାରୁ ବର୍ତ୍ତିବା ନିମନ୍ତେ ପୋଲ ଉପରୁ ତଳେ ପ୍ରବାହିତ ନଈ ମଧ୍ୟକୁ ଡେଇଁ ପଡ଼ିବାରୁ ସାଙ୍ଘାତିକ ଆହତ ହୋଇଛନ୍ତି।

ମୈନାଗୁଡ଼ି ଜିଲ୍ଲାରେ ଥିବା ଗୋଟାଏ କୋଚିଙ୍ଗ୍‌ ସେଣ୍ଟର୍‌ର ଛାତ୍ରଛାତ୍ରୀମାନେ ବଣଭୋଜି କରିବାକୁ ଉଦ୍‌ଲାବାଡ଼ି ଅଞ୍ଚଳର ଘିସ୍‌ ନଦୀକୂଳକୁ ଯାଇଥିବା ବେଳେ ଦୁଃଖଦ ଘଟଣାଟି ଘଟିଛି।

୧୦୦ ଜଣିଆ ପିକ୍‌ନିକ୍‌ ପାର୍ଟିରୁ ଏ ଦୁଇ ଛାତ୍ରୀ ଖସି ପଳାଇ ଆସିଥିଲେ। ରେଳପୋଲ ଉପରେ ଚଢ଼ି ସେଲ୍‌ଫି ଉଠାଉଥିବା ବେଳେ ସିଲିଗୁଡ଼ିରୁ ଆଲିପୁରଦୁଆର୍‌କୁ ଯାଉଥିବା ପାସେଞ୍ଜର୍‌ ଟ୍ରେନ୍‌ ସେମାନଙ୍କ ମଧ୍ୟରୁ ଜଣକୁ ଧକ୍କା ଦେଇଥିଲା। ଧକ୍କା ଯୋଗୁଁ ଛାତ୍ରୀଜଣକ ପୋଲରୁ ଛିଟିକି ନଦୀ ଭିତରେ ପଡ଼ିଯାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ତାଙ୍କ ସହ ଯାଇଥିବା ଛାତ୍ରୀଜଣକ ମଧ୍ୟ ନଈ ମଧ୍ୟକୁ ଡେଇଁପଡ଼ିବାରୁ ସାଙ୍ଘାତିକ ଆହତ ହୋଇଛନ୍ତି। ଚିକିତ୍ସା ନିମନ୍ତେ ତାଙ୍କୁ ଉତ୍ତରବଙ୍ଗ ମେଡିକାଲ୍‌ କଲେଜ ଓ ସହ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର