ଅସୁସ୍ଥ ବାପାଙ୍କୁ ଭେଟିବାପାଇଁ ୨୧୦୦କିମି ସାଇକେଲ୍‌ ଚଲାଇଲେ ଯୁବକ

ମୁମ୍ବାଇ: ମୁମ୍ବାଇରୁ ଜଣେ ୩୦ ବର୍ଷୀୟ ଯୁବକ ଜମ୍ମୁ କାଶ୍ମୀରର ରାଜୌରିରେ ଥିବା ତାଙ୍କ ଅସୁସ୍ଥ ବାପାଙ୍କୁ ଭେଟିବାପାଇଁ ୨୧୦୦ କିମି ସାଇକେଲ୍‌ ଯାତ୍ରା ଆରମ୍ଭ କରିଛନ୍ତି। ଆରିଫ୍‌ ନାମକ ଏହି ଯୁବକ ମୁମ୍ବାଇରେ ଜଣେ ଟ୍ୟାକ୍ସି ଡ୍ରାଇଭର ଭାବେ କାମ କରନ୍ତି। ଏପ୍ରିଲ ୧ ତାରିଖରେ ଆାରିଫ୍‌ଙ୍କ ବାପା ୱାଜିର ହୁସେନ୍‌ଙ୍କର ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇଥିଲା। ଆରିଫ୍‌ ତାଙ୍କ ବାପାଙ୍କ ଫୋନ୍‌କୁ କଲ୍‌ କରିଥିଲେ କିନ୍ତୁ ଫୋନ୍‌ ତାଙ୍କ ବାପା ଉଠାଇନଥିଲେ। ଅନ୍ୟ ଜଣେ ସମ୍ପର୍କୀୟ ଫୋନ୍‌ ଉଠାଇ ତାଙ୍କ ବାପା ଅସୁସ୍ଥ ଥିବା କହିଥିଲେ। ଏହାପରେ ଆରିଫ୍‌ ତାଙ୍କ ବାପାଙ୍କ ପାଖକୁ ସାଇକେଲ୍‌ ଚଲା‌ଇ ଯାଇ ପହଞ୍ଚିବାପାଇଁ ନିଷ୍ପତ୍ତି ନେଇଥିଲେ। ଆରିଫ୍‌ ସାଙ୍ଗରେ କିଛି ବିସ୍କୁଟ୍‌ ପ୍ୟାକେଟ୍‌ ଧରି ବାପାଙ୍କ ପାଖରେ ପହଞ୍ଚିବାପାଇଁ ସାଇକେଲ୍‌ରେ ବାହାରିଥିଲେ। ଦୀର୍ଘ ୨୧୦୦ କିମି ସାଇକେଲ୍‌ ଚଳାଇବା ଏତେ ସହଜ କଥା ନୁହେଁ। ତଥାପି ଆରିଫ୍‌ ଦୃଢ଼ ମ‌ନୋବଳ ରଖି ବାହାରିଛନ୍ତି। ଏଭଳି ଏକ ଖବର ସିଆରପିଏଫ୍‌ ପାଖରେ ପହଞ୍ଚିବପରେ ସିଆରପିଏଫ୍‌ ନିଜ ଆଡୁ ଏହି ମାମଲାରେ ସହଯୋଗ କରିବାକୁ ଚାହିଥିଲା। ସିଆରପିଏଫ୍‌ ପକ୍ଷରୁ ଗତକାଲି ରାତିରେ ଆରିଫ୍‌ଙ୍କ ଅସୁସ୍ଥ ବାପାଙ୍କୁ ମେଡିକାଲ ସହଯୋଗ ପାଇଁ କଥାବାର୍ତ୍ତା ଆରମ୍ଭ ହୋଇଛି। ସିଆରପିଏଫ୍‌ ପକ୍ଷରୁ ଆରିଫ୍‌ଙ୍କ ବାପାଙ୍କୁ ଉତ୍ତମ ଚିକିତ୍ସା ପାଇଁ ଏକ ସରକାରୀ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି। ଆରିଫ୍‌ଙ୍କୁ ମଧ୍ୟ ବରୋଦାରୁ ସିଆରପିଏଫ୍‌ର ଏକ ଟିମ୍‌ ଦ୍ବାରା ତାଙ୍କ ବାପାଙ୍କ ପାଖରେ ନେଇ ପହଞ୍ଚାଇବାପାଇଁ ପ୍ରୟାସ ଜାରି ରହିଛି। ଆରିଫ୍‌ କହିଛନ୍ତି, ବାପାଙ୍କୁ ମୁଁ ଶେଷ ମୁହୂର୍ତ୍ତରେ ଦେଖିବାକୁ ଆଶା ରଖିଛି।

ସମ୍ବନ୍ଧିତ ଖବର