୨୨ କର୍ମଚାରୀଙ୍କ ସହ ଜାହାଜ ଅପହୃତ

ଜଳଦସ୍ୟୁ ଅପହରଣ କରିଥିବା ଆଶଙ୍କା

ନୂଆଦିଲ୍ଲୀ: ୨୨ ଜଣ ଭାରତୀୟ କର୍ମଚାରୀଙ୍କ ସହ ପେଟ୍ରୋଲ ନେଇ ଯାଉଥିବା ଏକ ପଣ୍ୟବାହୀ ଜାହାଜ ଦକ୍ଷୀଣ ଅଫ୍ରିକୀୟ ଦେଶ ବେନିନ୍‌ ତଟରୁ ଅପହୃତ ହୋଇଯାଇଛି। ଜଳଦସ୍ୟୁଙ୍କ ଦ୍ୱାରା ଏହି ଜାହାଜ ଅପହୃତ ହୋଇଥିବା ଜଣାପଡ଼ିବା ପରେ ଏହାକୁ ଠାବ କରିବା ପାଇଁ ବ୍ୟାପକ ପ୍ରୟାସ ଚାଲିଛି । ମୁମ୍ବାଇର ଆଗ୍ଲୋ ଇଷ୍ଟର୍ଣ୍ଣ ସିପ୍‌ ମ୍ୟାନେଜମେଣ୍ଟ କମ୍ପାନିର ଜାହାଜ ‘ଏମ୍‌ଟି ମେରାଇନ୍‌ ଏକ୍ସପ୍ରେସ୍‌’ ଶେଷଥର ପାଇଁ ବେନିନ୍‌ର କୌଟୁନୋ ବନ୍ଦରରେ ଲାଗିଥିବା ଜଣାପଡ଼ିଥିଲା। ଏହା ପରଠାରୁ ଜାହାଜର କୌଣସି ଖୋଜ୍‌ ଖବର ନଥିବା ସିପିଂ କମ୍ପାନି ପକ୍ଷରୁ କୁହାଯାଇଛି। ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରବିଶ କୁମାର ଟ୍ଵିଟ କରି କହିଛନ୍ତି ଯେ, ନାଇଜେରିଆସ୍ଥିତ ଭାରତୀୟ ଦୂତାବାସ ସହ ଏସମ୍ପର୍କରେ ଆଲୋଚନା ହୋଇଛି ଏବଂ ନିଖୋଜ ଜାହାଜ ସହ ସମସ୍ତ କର୍ମଚାରୀଙ୍କୁ ସରକାର ସୁରକ୍ଷିତ ଫେରାଇ ଆଣିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ନାଇଜେରିଆରେ ଭାରତୀୟ ଦୂତାବାସ ପକ୍ଷରୁ ନିଖୋଜ କର୍ମଚାରୀଙ୍କ ସନ୍ଧାନ ପାଇଁ ଏକ ୨୪ ଘଣ୍ଟିଆ ହେଲ୍ପଲାଇନ୍‌ ମଧ୍ୟ ଖୋଲାଯାଇଛି। ନୂଆଦିଲ୍ଲୀ ସ୍ଥିତ ନୌ-ପରିବହନ ବିଭାଗର ନିର୍ଦ୍ଦେଶକ ନାଇଜେରିଆ ଓ ବେନିନ୍‌ ସରକାରଙ୍କୁ ଏହି ଜାହାଜର ଅନୁସନ୍ଧାନ ମାମଲା ନେଇ ଆଲୋଚନା କରିଛନ୍ତି। ୧୩ ହଜାର ୫ଶହ ଟନ୍‌ ପ୍ରେଟ୍ରୋଲ ଏହି ଜାହାଜରେ ରହିଥିଲା। କିଛି ଦିନ ପୂର୍ବେ ଏହି କମ୍ପାନିର ଅନ୍ୟ ଏକ ଜାହାଜ ଏମ୍‌ଟି ବରେଟ ମଧ୍ୟ ଅପହୃତ ହୋଇଥିଲା ।

ସମ୍ବନ୍ଧିତ ଖବର