ତେଲେଙ୍ଗାନା: ଖାତ ଭିତରକୁ ବସ୍‌ ଖସି ୨୩ ତୀର୍ଥଯାତ୍ରୀଙ୍କ ମୃତ୍ୟୁ

ହାଇଦ୍ରାବାଦ୍‌: ତେଲେଙ୍ଗାନାର ଜଗିତିଆଲ୍‌ ଜିଲ୍ଲାରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ରାଜ୍ୟ ସଡକ ପରିବହନର ଏକ ବସ ଖାତ ଭିତରକୁ ଖସି ପଡ଼ିବା ଫଳରେ ମଙ୍ଗଳବାର ସକାଳେ ୨୩ ଜଣ ତୀର୍ଥଯାତ୍ରୀ ପ୍ରାଣ ହରାଇଛନ୍ତି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲାର କୋଣ୍ଡାଗାଟ୍ଟୁ ପର୍ବତ ଉପରେ ଥିବା ଏକ ହନୁମାନ ମନ୍ଦିରକୁ ୫୦ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ବସ୍‌ଟି ଯାଇଥିଲା। ସେଠାରୁ ଫେରିବା ରାସ୍ତାରେ ବ୍ରେକ ଫେଲ୍‌ ହୋଇଯିବାରୁ ଡ୍ରାଇଭର ବସ ଉପରୁ ନିୟନ୍ତ୍ରଣ ହରାଇ ଥିଲେ। ଫଳରେ ବସଟି ଭାରସାମ୍ୟ ହରାଇ ଗଭୀର ଖାତ ଭିତରକୁ ପଡ଼ିଯାଇଥିଲା।ଘଟଣାସ୍ଥଳରେ ୨୩ ଜଣ ମୃତ୍ୟୁମୁଖରେ ପଡ଼ିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

ଦୁର୍ଘଟଣା ସଂପର୍କରେ ପୁଲିସ ସୂଚନା ପାଇବା ସେଠାରେ ପହଞ୍ଚିଛି। ଏହା ପୂର୍ବରୁ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ଖବର ଲେଖାଯିବା ପର୍ଯ୍ୟନ୍ତ ୧୦ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ଦୁର୍ଘଟଣାରେ ଗୁରୁତର ଆହତମାନଙ୍କୁ ନିକଟସ୍ଥ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର