ଦଳିତଙ୍କ ଦ୍ୱାରା ଖାଦ୍ୟ ପ୍ରସ୍ତୁତ ହୋଇଥିବା ଜାଣି ଖାଇବାକୁ ମନା କରିଦେଲେ ସଙ୍ଗରୋଧ କେନ୍ଦ୍ରରେ ଥିବା ଯୁବକ
ନୈନିତାଲ: ନୈନିତାଲରେ ଘଟିଥିବା ଏକ ଘଟଣା ପ୍ରକାଶ କରିଛି ଯେ ସମାଜରେ ଏବେ ବି ଲୋକଙ୍କ ମନରେ ଜାତିଭେଦ ରହିଛି। ସଙ୍ଗରୋଧ କେନ୍ଦ୍ରରେ ଥିବା ଜଣେ ୨୩ବର୍ଷୀୟ ଯୁବକ ମିଳୁଥିବା ଖାଦ୍ୟ ଜଣେ ଦଳିତ ରୋଷେଇ କରିଥିବା ଜାଣି ଖାଦ୍ୟ ଖାଇବାକୁ ମନା କରିଥିବା ଅଭିଯୋଗ ହୋଇଛି | ୨୩ ବର୍ଷୀୟ ଯୁବକଙ୍କ ନାମ ଦୀନେଶ ଚନ୍ଦ୍ର ମିଲକାନି ବୋଲି ଜଣା ପଡିଛି। ଏଭଳି ଘଟଣା ପରେ ଗାଁଏ ମୁଖିଆ ଦୀନେଶଙ୍କ ବିରୋଧରେ ଅଭିଯୋଗ କରିଛନ୍ତି |
Sambad is now on WhatsApp
Join and get latest news updates delivered to you via WhatsApp
ଦୀନେଶ, ତାଙ୍କ ପୁତୁରା ଏବଂ ଅନ୍ୟ ତିନି ଜଣ ବ୍ୟକ୍ତି ଆସନ୍ତା ୧୫ ତାରିଖରୁ ଭୂମକା ଗାଁର ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସଙ୍ଗରୋଧରେ ରହିଆସୁଛନ୍ତି। ଏହି ବିଦ୍ୟାଳୟରେ ଭବାନୀ ଦେବୀ ନାମକ ଜଣେ ଦଳିତ ମହିଳା ରୋଷେଇ କରି ସଙ୍ଗରୋଧରେ ରହୁଥିବା ଲୋକଙ୍କୁ ଖାଇବାକୁ ଦିଅନ୍ତି | ସବୁଦିନ ଭଳି ମେ ୧୫ରେ, ସେ ସଙ୍ଗରୋଧରେ ଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିଥିଲେ | ଖାଦ୍ୟ ପ୍ରସ୍ତୁତ ପରେ ସମସ୍ତ ଲୋକ ଖାଦ୍ୟ ଖାଇଥିଲେ ମଧ୍ୟ ଦୀନେଶ ଏହାକୁ ଖାଇବାକୁ ମନା କରିଦେଇଥିଲେ। ତାଙ୍କ ଖାଦ୍ୟ ଘରୁ ଆସିବ ବୋଲି କହି ଦୀନେଶ ଖାଇବାକୁ ମନା କରିଦେଇଥିଲେ । ପ୍ରଥମେ ଭବାନୀ ଦେବୀ ଦୀନେଶଙ୍କ କଥାକୁ ବିଶ୍ୱାସ କରିଥିବା ବେଳେ ଯେତେବେଳେ ଦୀନେଶ ଭବାନୀଙ୍କ ହାତରୁ ପାଣି ପିଇବାକୁ ମନା କଲେ ସେତେବେଳେ ସେ ଖାଦ୍ୟ ନ ଖାଇବାର ପ୍ରକୃତ କାରଣ ଜାଣି ପାରିଥିଲେ ଭବାନୀ |
ଯେତେବେଳେ ଭୂମକା ଗାଁର ମୁଖ୍ୟ ମୁକେଶ ଚନ୍ଦ୍ର ବାଉଦ୍ ଦୀନେଶଙ୍କ ଆଚରଣ ବିଷୟରେ ଜାଣିଲେ ସେ ତୁରନ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ଦାଖଲ କରିବାର ନିଷ୍ପତ୍ତି ନେଇଥିଲେ ବୋଲି ଜଣା ପଡିଛି । ଅନ୍ୟପକ୍ଷରେ ଏହି ଘଟଣା ବିଷୟରେ ପଚରାଯିବାରୁ ଦୀନେଶ କହିଛନ୍ତି ଯେ, ସେ ସବୁବେଳେ ଘରେ ରନ୍ଧା ଖାଦ୍ୟ ଖାଉଥିବାରୁ ସେ ସଙ୍ଗରୋଧ କେନ୍ଦ୍ରରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଖାଇବାକୁ ମନା କରି ଦେଇଥିଲେ। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ସେ ଅସ୍ୱୀକାର କରି ଦାବି କରିଛନ୍ତି ଯେ, ସେ ଅନ୍ୟ ବ୍ୟକ୍ତିଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଖାଉ ନାହାଁନ୍ତି କାରଣ ସେ ଦେବତାଙ୍କ ନିକଟରେ ନିଜକୁ ସମର୍ପଣ କରିଛନ୍ତି ।