ମାତ୍ରାଧିକ କାମ ଯୋଗୁଁ ଗତବର୍ଷ ୨୪୬ ଜଣ ଚୀନ୍‌ ପୁଲିସବାଲା ମରିଛନ୍ତି

ବେଜିଂ: ଚୀନ୍‌ରେ କାମ କରୁଥିବା ପ୍ରତି ୩ ଜଣ ପୁଲିସବାଲାଙ୍କ ମଧ୍ୟରୁ ଦୁଇ ଜଣ ଡିୟୁଟିରେ ଥାଇ ମୃତ୍ୟୁ ବରଣ କରୁଛନ୍ତି। ସେମାନଙ୍କ ମୃତ୍ୟୁ ଅପରାଧୀମାନଙ୍କ ସହ ଲଢ଼ିବା ଯୋଗୁଁ ହେଉ ନାହିଁ, ହେଉଛି ମାତ୍ରାଧିକ କାର୍ଯ୍ୟ ଚାପ ଯୋଗୁଁ। ଏ କଥା କହିଛି ଚୀନ୍‌ର ସର୍ବସାଧାରଣ ନିରାପତ୍ତା ମନ୍ତ୍ରାଳୟ।

ସବୁଠୁ କ୍ଷୋଭର କଥା ହେଲା ଗତବର୍ଷ ଡିୟୁଟିରେ ଥାଇ ମରିଥିବା ସେ ପୁଲିସବାଲାଙ୍କର ବୟସ ହେଉଛି ହାରାହାରି ୪୩ ବର୍ଷ ୬ ମାସ। ତାହା ଚୀନ୍‌ବାସୀଙ୍କ ଆୟୁଷର ଅଧା ବୋଲି ମନ୍ତ୍ରାଳୟ କହିଛି।

୨୦୧୭ରେ ଡିୟୁଟିରେ ଥାଇ ୩୬୧ ଚୀନ୍‌ ପବ୍ଲିକ୍‌ ସିକ୍ୟୁରିଟି ପର୍ସୋନେଲ୍‌ ମୃତ୍ୟୁ ବରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨୪୬ ଜଣ ମାତ୍ରାଧିକ କାମ ଯୋଗୁଁ ମରିଥିବା ପ୍ରକାଶ।

ମନ୍ତ୍ରାଳୟ ସ୍ୱୀକାର କରିଛି ଯେ ମାତ୍ରାଧିକ କାର୍ଯ୍ୟ ଚିନ୍ତାର କାରଣ ପାଲଟିଛି। ଏହାର କାରଣ ହେଉଛି ଫ୍ରଣ୍ଟ୍‌ଲାଇନ୍‌ ପୁଲିସବାଲାମାନେ ଦୈନିକ ୧୩ ରୁ ୧୫ ଘଣ୍ଟା କାର୍ଯ୍ୟ କରୁଛନ୍ତି। ଏହା ମନ୍ତ୍ରାଳୟ କରିଥିବା ଏକ ଗବେଷଣାରୁ ଜଣାପଡ଼ିଛି। ତେଣୁ ଜନକଲ୍ୟାଣ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣକରି ଚୀନ୍‌ ମନ୍ତ୍ରାଳୟ କହିଛି ଯେ ପୁଲିସବାଲାମାନଙ୍କର ପାରିବାରିକ ପେନ୍‌ସନ୍‌ ବଢ଼ାଇ ଦିଆ ଯିବା ସହ ସେମାନଙ୍କ ବୀମା ପ୍ୟାକେଜ୍‌ରେ ଉନ୍ନତି ଅଣାଯାଇଛି। ପୁଲିସବାଲାମାନଙ୍କର କାର୍ଯ୍ୟ ଭାର କମାଇବା ପାଇଁ ଅଧିକ ବୈଜ୍ଞାନିକ ଏବଂ ପ୍ରଯୁକ୍ତିବିଦ୍ୟାଗତ ଯନ୍ତ୍ରପାତି ବ୍ୟବହାର ଉପରେ ମଧ୍ୟ ଆଲୋକପାତ କରାଯାଇଛି।

ସମ୍ବନ୍ଧିତ ଖବର