କର୍ଣ୍ଣାଟକରେ ଆଉ ୨୫ ମନ୍ତ୍ରୀ: ତଥାପି ତୁଟୁନି ଅସନ୍ତୋଷ

ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍‌ ସରକାର ହେବା ପରେ ଆଜି ମୁଖ୍ୟମନ୍ତ୍ରୀ ଏଚ.ଡି.କୁମାରସ୍ୱାମୀଙ୍କ କ୍ୟାବିନେଟର ପ୍ରଥମ ପର୍ଯ୍ୟାୟ ସମ୍ପ୍ରସାରଣ ହୋଇଛି। ଏହି ପର୍ଯ୍ୟାୟରେ ଉଭୟ ଦଳର ମୋଟ ୨୫ ଜଣ ମନ୍ତ୍ରୀଙ୍କୁ ରାଜ୍ୟପାଳ ବାଜୁଭାଇ ବାଲା ରାଜଭବନରେ ଆୟୋଜିତ ଉତ୍ସବରେ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। କ୍ୟାବିନେଟ ସମ୍ପ୍ରସାରଣ ପରେ ମଧ୍ୟ ଦଳୀୟ ବିଧାୟକଙ୍କ ମହଲରେ ଅସନ୍ତୋଷ ଲାଗି ରହିଥିବା ଜଣାପଡ଼ିଛି। କଂଗ୍ରେସର ଜଣେ ଟାଣୁଆ ନେତା ଭାବେ ପରିଚିତ ବିଧାୟକ ଏମ.ବି.ପାଟିଲଙ୍କୁ ମନ୍ତ୍ରୀପଦ ନମିଳିବାରୁ ସେ ଅସନ୍ତାଷ ଜାହିର କରିଛନ୍ତି। ପୂର୍ବ ସରକାରରେ ତାଙ୍କ ନିକଟରେ ମନ୍ତ୍ରୀପଦ ଥିବା ବେଳେ କାହିଁକି ତାଙ୍କଠାରୁ ଏହି ପଦ ଛଡାଇ ନିଆଗଲା ବୋଲି ପ୍ରଶ୍ନ କରିଛନ୍ତି। ଜେଡିଏସ୍‌ ନେତା ବସବରାଜ ହୋରାତିଙ୍କୁ ମନ୍ତ୍ରୀପଦ ନମିଳିବାରୁ ଏଥିପାଇଁ ସେ ପରୋକ୍ଷରେ କଂଗ୍ରେସକୁ ଦାୟୀ କରିଥିଲେ। ସ୍ୱାଧୀନ ବିଧାୟକ ନଗେଶଙ୍କୁ ନିର୍ବାଚନ ପରେ ସମ୍ମାନଜନକ ପଦବି ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ତାଙ୍କୁ ମନ୍ତ୍ରୀପଦ ମିଳିନଥିବା ସେ କହିଛନ୍ତି।ସେପଟେ, ମନ୍ତ୍ରୀପଦ ପାଇଁ ଆଶାୟୀ ବିଧାୟକଙ୍କ ସମର୍ଥକମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରିଥିବା ମଧ୍ୟ ଜଣାପଡ଼ିଛି। ଆଜିର କ୍ୟାବିନେଟ ସମ୍ପ୍ରସାରଣ ପରେ ଏବେ କର୍ଣ୍ଣାଟକ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମୋଟ ୨୭ ଜଣ ସଦସ୍ୟ ହେଲେ।

କର୍ଣ୍ଣାଟକ କ୍ୟାବିନେଟରେ ମେଣ୍ଟ ସର୍ତ୍ତ ମୁତାବକ, କଂଗ୍ରେସର ୨୨ ଜଣ ମନ୍ତ୍ରୀ ହେବାକୁ ଥିବା ବେଳେ ଏହି ପର୍ଯ୍ୟାୟରେ ୧୪ ଜଣଙ୍କୁ କ୍ୟାବିନେଟରେ ସାମିଲ କରାଯାଇଛି। ଏହି ନୂତନ ମନ୍ତ୍ରିମଣ୍ଡଳରେ କର୍ଣ୍ଣାଟକ କଂଗ୍ରେସର ସଙ୍କଟମୋଚକ କୁହାଯାଉଥିବା ଡି.କେ.ଶିବକୁମାର ଓ ବିଏସ୍‌ପିର ଏକମାତ୍ର ବିଧାୟକ ଏନ୍‌.ମହେଶ ଓ କେପିଜେପିର ଆର.ଶଙ୍କର ସ୍ଥାନ ପାଇଛନ୍ତି। ଏହି ଜଣେ ମାତ୍ର ମହିଳା ମନ୍ତ୍ରୀ ଭାବେ କଂଗ୍ରେସ ବିଧାୟିକା ଜୟମାଲା ଓ ବରିଷ୍ଟତମ ନେତା ଭାବେ ଜେଡିଏସ୍‌ ନେତା ମାନଗୁଲିଙ୍କୁ କ୍ୟାବିନେଟରେ ମନ୍ତ୍ରୀପଦ ମିଳିଛି।

ସମ୍ବନ୍ଧିତ ଖବର