ସର୍ଜିକାଲ୍‌ ଷ୍ଟ୍ରାଇକ୍‌ରେ ଭାରତ ଧ୍ୱଂସ କରିଥିବା ଲଞ୍ଚପ୍ୟାଡ୍‌ ପୁଣି ସକ୍ରିୟ: ୨୫୦ ଆତଙ୍କବାଦୀ ଅନୁପ୍ରବେଶ ଲାଗି ସୁଯୋଗ ଖୋଜୁଛନ୍ତି

ଶ୍ରୀନଗର: ଗୋଟିଏ ପଟେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଭାରତକୁ ଶାନ୍ତି କଥାବାର୍ତ୍ତା ଲାଗି ଆମନ୍ତ୍ରଣ ଦେଉଥିବା ବେଳେ ଅନ୍ୟପଟେ ପାକ ଅଧିକୃତ କାଶ୍ମୀରରେ ୮ଟି ନୂଆ ଆତଙ୍କବାଦୀ ପ୍ରଶିକ୍ଷଣ ଶିବିର ଖୋଲିଛି ପାକ୍‌ -ସେନା। ମିଳିଥିବା ସୂଚନା ଅନୁସାରେ ପାକ୍‌ ଅଧିକୃତ କାଶ୍ମୀରରେ ଥିବା ୨୭ଟି ଲଞ୍ଚପ୍ୟାଡରୁ ୨୫୦ ଜଣ ଆତଙ୍କବାଦୀ କାଶ୍ମୀରକୁ ଅନୁପ୍ରବେଶ କରିବାକୁ ପ୍ରସ୍ତୁତ ହୋଇ ରହିଛନ୍ତି।

୨୦୧୬ ମସିହାରେ ଭାରତୀୟ ସେନା ପକ୍ଷରୁ ପାକ ଅଧିକୃତ କାଶ୍ମୀରରେ କରାଯାଇଥିବା ସର୍ଜିକାଲ୍‌ ଷ୍ଟ୍ରାଇକ୍‌ରେ ଧ୍ୱଂସ କରାଯାଇଥିବା ଲଞ୍ଚପ୍ୟାଡ୍‌ଗୁଡ଼ିକ ପୁଣିଥରେ ସକ୍ରିୟ ହୋଇ ଉଠିଥିବା ଗୋଇନ୍ଦା ସୂଚନା ମିଳିଛି। ଏହି ସବୁ ଲଞ୍ଚପ୍ୟାଡ୍‌ ଲିପା ଭ୍ୟାଲିରେ ଅବସ୍ଥିତ ଓ ଭାରତ ମଧ୍ୟକୁ ପ୍ରବେଶ କରିବାକୁ ଏହି ଅଞ୍ଚଳରେ ଭୌଗଳିକ ସ୍ଥିତି ଅନୁକୂଳ ବୋଲି ଜଣାପଡ଼ିଛି।

ଲସ୍କର-ଏ-ତୈବା ଓ ହିଜବୁଲ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀ ମୁଖ୍ୟତଃ ଏହି ୨୭ଟି ଲଞ୍ଚପ୍ୟାଡ୍‌ରେ ପ୍ରଶିକ୍ଷଣ ନେଇଛନ୍ତି। ପାକ୍‌ ଅଧିକୃତ କାଶ୍ମୀରର ଲିପା, ଚାକୋଠି,ବାରାକୋଟ୍‌,ଖାରଡିଓ ଓ ଜୁରାରେ ଲସ୍କର ପକ୍ଷରୁ ଲଞ୍ଚପ୍ୟାଡ୍‌ ତିଆରି କରାଯାଇଥିବା ବେଳେ ଭାରତୀୟ ସୀମା ନିକଟସ୍ଥ କାହୁଟାରେ ହିଜ୍‌ବୁଲ୍‌ ଏକ ବିଶାଳ ଲଞ୍ଚପ୍ୟାଡ୍‌ ସ୍ଥାପନ କରିଛି।

ଜନୈକ ଗୋଇନ୍ଦା ଅଧିକାରୀଙ୍କ ଅନୁଯାୟୀ,ପାକ୍‌ ଅଧିକୃତ କଶ୍ମୀରରେ ୨୫୦ରୁ ଅଧିକ ପ୍ରଶିକ୍ଷିତ ଆତଙ୍କବାଦୀ ଭାରତ ମଧ୍ୟକୁ ଅନୁପ୍ରମେଶ ଲାଗି ଅପେକ୍ଷା କରି ରହିଛନ୍ତି। ସେମାନେ ଦକ୍ଷିଣ କାଶ୍ମୀରରେ ଭାରତକୁ ପ୍ରବେଶ କରିବାର ସମ୍ଭାବନା ଅଧିକ।

ସମ୍ବନ୍ଧିତ ଖବର