୨୬/୧୧ ଆକ୍ରମଣକୁ ‘ହିନ୍ଦୁ ଆତଙ୍କବାଦ’ର ରୂପ ଦେବାକୁ ଚାହୁଥିଲା ଲସ୍କର, କସାବ୍‌ ଗିରଫ ପରେ ସବୁ ଚାଲ୍‌ ପଣ୍ଡ ହୋଇଥିଲା

‘ଲେଟ୍‌ ମି ସେ ଇଟ୍‌ ନାଓ’ ପୁସ୍ତକରେ ପୂର୍ବ ପୁଲିସ କମିସନରଙ୍କ ଚାଞ୍ଚଲ୍ୟକର ଦାବି

ମୁମ୍ବାଇ: ୨୬ ନଭେମ୍ବର, ୨୦୦୮ରେ ହୋଇଥିବା ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ନେଇ ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି ମୁମ୍ବାଇର ପୂର୍ବ ପୁଲିସ କମିସନର ରାକେଶ ମାରିୟା । ରାକେଶ କହିଛନ୍ତି ଯେ ଲସ୍କର ଆତଙ୍କବାଦୀ ସଂଗଠନ ମୁମ୍ବାଇ ଆକ୍ରମଣକୁ ‘ହିନ୍ଦୁ ଆତଙ୍କବାଦ’ର ରୂପ ଦେବାକୁ ବଡ଼ ଷଡ଼ଯନ୍ତ୍ର କରିଥିଲା। ଏହା ସହିତ ଆତଙ୍କବାଦୀ କସାବ ଯେଭଳି ବେଙ୍ଗାଲୁରୁର ‘ସମୀର ଚୌଧୁରୀ’ ପରିଚୟରେ ନିହତ ହେବ ସେ ଦିଗରେ ଯୋଜନା ହୋଇଥିଲା। ସୋମବାର ଉନ୍ମୋଚିତ ହୋଇଥିବା ରାକେଶ ମାରିୟାଙ୍କ ପୁସ୍ତକ ‘ଲେଟ୍‌ ମି ସେ ଇଟ୍‌ ନାଓ’ରେ ମୁମ୍ବାଇ ଆକ୍ରମଣ ସମେତ ଅନ୍ୟ ଆତଙ୍କବାଦୀ ଆକ୍ରମଣ ମାମଲାରେ ମଧ୍ୟ ଅନେକ ଚାଂଚଲ୍ୟକର ଦାବି ରହିଛି। ଏହି ପୁସ୍ତକରେ କୁହାଯାଇଛି ଯେ ଆଇଏସ୍‌ଆଇ ଏବଂ ଲସ୍କର ସଂଗଠନ ଆତଙ୍କବାଦୀ କସାବକୁ ଜେଲ୍‌ରେ ଶେଷ କରିଦେବାକୁ ଚାହୁଥିଲେ ଏବଂ ଏଥିପାଇଁ ଦାଉଦ୍‌ ଇବ୍ରାହିମ୍‌ ଗ୍ୟାଙ୍ଗ୍‌କୁ ଦାୟିତ୍ବ ଦିଆଯାଇଥିଲା।

ଲସ୍କରର ମୁମ୍ବାଇ ଆକ୍ରମଣ ସଂପର୍କରେ ଅଧିକ ସୂଚନା ଦେଇ ମାରିଆ ତାଙ୍କ ପୁସ୍ତକରେ ଲେଖିଛନ୍ତି- ଯଦି ସବୁକିଛି ଲସ୍କର ଏବଂ ଆଇଏସ୍‌ଆଇର ଯୋଜନା ଅନୁସାରେ ହୋଇଥାନ୍ତା, ତ’ହେଲେ କସାବ ସମୀର ଚୌଧୁରୀ ଭାବେ ମରିଥାନ୍ତା ଏବଂ ସମଗ୍ର ମାମଲାକୁ ଏକ ‘ହିନ୍ଦୁ ଆତଙ୍କବାଦ’ର ରୂପ ଦିଆଯାଇଥାନ୍ତା। ହିନ୍ଦୁମାନେ ଯେଭଳି ପବିତ୍ର ରକ୍ଷା ସୂତ୍ର ପିନ୍ଧନ୍ତି, କସାବ ମଧ୍ୟ ସେଭଳି ପିନ୍ଧିଥିବା ଦେଖାଯାଇଥିଲା। ତେବେ କସାବକୁ ଜୀବିତ ଧରିବାରେ ପୁଲିସ ସକ୍ଷମ ହେବାରୁ ଲସ୍କରର ସମସ୍ତ ଷଡ଼ଯନ୍ତ୍ର ପଣ୍ଡ ହୋଇଯାଇଥିଲା। ମୁମ୍ବାଇ ଆକ୍ରମଣ ପାଇଁ ପଠାଯିବା ପୂର୍ବରୁ କସାବ୍‌କୁ ଦେଢ଼ ଲକ୍ଷ ଟଙ୍କା ଦିଆଯାଇଥିଲା ଏବଂ ସେ ଯେଭଳି ସମୀର ଚୌଧୁରୀ ନାମରେ ଚିହ୍ନଟ ହେବ ସେଥିପାଇଁ କେତେକ ବ୍ୟବସ୍ଥା ହୋଇଥିଲା। ଭାରତକୁ ବିଶ୍ବ ସମୁଦାୟରେ ନିନ୍ଦିତ କରିବା ପାଇଁ ଲସ୍କର ଏବଂ ଆଇଏସ୍‌ଇ ବଡ଼ ଚାଲ୍‌ ଚଳାଇଥିଲେ। ମୁମ୍ବାଇ ଆକ୍ରମଣରେ ୧୬୬ ଲୋକଙ୍କ ଜୀବନ ଯାଇଥିଲା ଏବଂ ଏଥିରେ ୩୦୦ରୁ ଅଧିକ ଆହତ ହୋଇଥିଲା। ଆତଙ୍କବାଦୀ କସାବକୁ ୨୧ ନଭେମ୍ବର ୨୦୧୨ରେ ଫାଶୀ ଦିଆଯାଇଥିଲା।

ସମ୍ବନ୍ଧିତ ଖବର