୨୦୦ ଫୁଟ୍‌ ତଳକୁ ଖସିଲା ସ୍କୁଲ୍‌ ବସ୍‌ : ୨୭ ଛାତ୍ରଙ୍କ ସମେତ ୩୦ ମୃତ

ନୂଆଦିଲ୍ଳୀ : ହିମାଚଳ ପ୍ରଦେଶରେ ଆଜି ଏକ ସ୍କୁଲ୍‌ ବସ୍‌ ଦୁର୍ଘଟଣାରେ ୨୭ ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କ ସମେତ ୩୦ ଜଣ ପ୍ରାଣ ହରାଇଛନ୍ତି। କାଙ୍ଗଡ଼ା ଜିଲ୍ଲାର ନୁରପୁର ନିର୍ବାଚନ ମଣ୍ଡଳୀର ମଲକଓ୍ଵାଲ୍‌ ଅଞ୍ଚଳରେ ସ୍କୁଲ୍‌ ବସ୍‌ଟି ରାସ୍ତା ଉପରୁ ପାଖାପାଖି ୨୦୦ ଫୁଟ୍‌ ତଳେ ଥିବା ଗଭୀର ଖାଇ ଭିତରକୁ ଖସିପଡିଥିଲା। ଘଟଣାସ୍ଥଳରେ ୨୦ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ହସ୍ପିଟାଲରେ ଆଉ ୧୦ ଜଣ ପ୍ରାଣ ହରାଇଛନ୍ତି। ୧୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି। ପ୍ରଥମେ ସ୍ଥାନୀୟ ଗ୍ରାମବାସୀ ଘଟଣାସ୍ଥଳରୁ ମୃତାହତଙ୍କୁ ଉଦ୍ଧାର କରିଥିଲେ। ପରେ ଏନ୍‌ଡିଆରଏଫ୍‌ ଏବଂ ପୁଲିସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲା।

ସୂଚନାନୁଯାୟୀ, ଓ୍ଵଜିର୍‌ ରାମ ସିଂହ ସ୍କୁଲ୍‌ରୁ ବସ୍‌ଟି ଅପରାହ୍ନରେ ପିଲାମାନଙ୍କୁ ଧରି ସେମାନଙ୍କ ଘରେ ଛାଡ଼ିବାପାଇଁ ଫେରୁଥିବାବେଳେ ବାଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏକ ବୁଲାଣିରେ ଖସୁଥିବା ସମୟରେ ନିୟନ୍ତ୍ରଣ ହରାଇ ବସ୍‌ଟି ଖସି ପଡ଼ିଥିଲା

ଦୁର୍ଘଟଣାରେ ମୃତ ଛାତ୍ରଛାତ୍ରୀଙ୍କ ବୟସ ୧୦ ବର୍ଷରୁ କମ୍‌। ମୃତକଙ୍କ ମଧ୍ୟରେ ବସ୍‌ ଡ୍ରାଇଭର ଏବଂ ଦୁଇଜଣ ସ୍କୁଲ୍‌ ଶିକ୍ଷକ ମଧ୍ୟ ରହିଛନ୍ତି। କେତେକ ଛାତ୍ରଛାତ୍ରୀ ଏବେ ବି ବସ୍‌ ଭିତରେ ଫସି ରହିଥିବାରୁ

ଉଦ୍ଧାର କାର୍ଯ୍ୟ ଜାରି ରହିଛି। ନୁରପୁର ସରକାରୀ ମେଡିକାଲ୍‌ରେ ଚିକିତ୍ସିତ ହେଉଥିବା ସମସ୍ତ ୧୫ ଆହତଙ୍କ ଅବସ୍ଥା ଉଦ୍‌୍‌ବେଗଜନକ ଥିବା ମେଡିକାଲ ସୂତ୍ରରୁ ପ୍ରକାଶ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ପଞ୍ଜାବର ପଠାନକୋଟ୍‌କୁ ଚିକିତ୍ସା ପାଇଁ ପଠାଯାଇଛି। ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଏହି ଦୁର୍ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଉକ୍ତ ଘଟଣାର ମାଜିଷ୍ଟ୍ରେଟ୍‌ସ୍ତରୀୟ ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଆହତ ପିଲାମାନଙ୍କର ଚିକିିତ୍ସା ପାଇଁ ୫୦ ଜଣିଆ ଡାକ୍ତରୀ ଦଳଙ୍କୁ ପଠାଯାଇଛି। ମୃତ ଶିଶୁଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରାଯାଇଛି । ପୁଲିସ ସୁପରିନଟେଣ୍ଡେଣ୍ଟ୍‌ ସନ୍ତୋଷ ପଟିଆଲଙ୍କ କହିବା ଅନୁଯାୟୀ ବସ୍‌ରେ ୪୦ ରୁ ଅଧିକ ଛାତ୍ରଛାତ୍ରୀ ଥିଲେ। କିନ୍ତୁ ଏଯାବତ୍‌ ସ୍ପଷ୍ଟ ସଂଖ୍ୟା ଜଣାପଡ଼ିନାହିଁ।

ସମ୍ବନ୍ଧିତ ଖବର