ବାଳିକା ଆଶ୍ରୟ ଗୃହର ୪୨ ଅନ୍ତେବାସିନୀଙ୍କ ମଧ୍ୟରୁ ୨୯ ଜଣ ଯୌନ ନିର୍ଯାତନା ଓ ଦୁଷ୍କର୍ମର ଶିକାର

ମୁଜାଫରପୁର (ବିହାର): ନିରାଶ୍ରୟାମାନଙ୍କ ପାଇଁ ଉଦ୍ଦିଷ୍ଟ, ବିହାର ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳନାଧୀନ ମୁଜାଫରପୁର ସ୍ଥିତ ଆଶ୍ରୟ ଗୃହରେ ଥିବା ମହିଳା ଅନ୍ତେବାସୀମାନଙ୍କୁ ଯୌନ ନିର୍ଯାତନା ଦିଆଯିବା ସହ ସେମାନଙ୍କୁ ଦୁଷ୍କର୍ମ କରାଯିବା ଘଟଣା ଏବେ ଦେଶ ବ୍ୟାପି ଚର୍ଚ୍ଚା ଓ ଆଲୋଡ଼ନ ସୃଷ୍ଟି କରିଛି। ଏହି ଆଶ୍ରୟ ଗୃହରେ ଅନ୍ତେବାସିନୀ ଥିବା ୪୨ ଜଣ ମହିଳା ଓ ଯୁବତୀଙ୍କ ମଧ୍ୟରୁ ୨୯ ଜଣଙ୍କ ସହ ଯୌନ ସଂପର୍କ ସ୍ଥାପିତ ହୋଇଥିବା ଡାକ୍ତରୀ ପରୀକ୍ଷା ପରେ ସ୍ପଷ୍ଟ ହୋଇଛି। ଗଣମାଧ୍ୟମକୁ ଏହି ସୂଚନା ପ୍ରଦାନ କରିଛନ୍ତି ବିହାର ପୁଲିସ୍‌ ମହାନିର୍ଦ୍ଦେଶକ (ଡିଜିପି) କେ ଏସ୍‌ ଦ୍ୱିବେଦୀ। ଏଥିସହ, ଏହି ଆଶ୍ରୟ ଗୃହର କୌଣସି ଅନ୍ତେବାସିନୀ ନିଖୋଜ ନାହାନ୍ତି ବୋଲି ମଧ୍ୟ କହିଛନ୍ତି ବିହାର ଡିଜିପି ଶ୍ରୀ ଦ୍ୱିବେଦୀ।

ଏହି ଆଶ୍ରୟ ଗୃହରୁ ଚାରିଜଣ ବାଳିକା ଗତ ୨୦୧୩ ଡିସେମ୍ବର ୧୫ରୁ ନିଖୋଜ ଥିବା ଅଭିଯୋଗ ହୋଇଥିଲା। ତେବେ, ଏମାନଙ୍କ ମଧ୍ୟରୁ ୩ ଜଣ ବାଳିକାଙ୍କର ମୁତ୍ୟୁ ଘଟିଛି। ଦୁଇ ଜଣଙ୍କର ମୁତ୍ୟୁ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଘଟିଥିବା ବେଳେ ଅନ୍ୟ ଜଣଙ୍କର ଅନ୍ୟତ୍ର ମୁତ୍ୟୁ ଘଟିଥିବା ରେକର୍ଡ ଯାଞ୍ଚ କାଳରେ ଜଣାପଡ଼ିଛି। ଏବଂ ଯେଉଁ ଜଣେ ବାଳିକା ନିଖୋଜ ଥିବା କୁହାଯାଉଛି, ସେ ଏବେ ମୁଜାଫରପୁରରେ ଜଣେ ଯୁବକଙ୍କୁ ବିବାହ କରି ସୁଖରେ ଥିବା ତଦନ୍ତ କାଳରେ ଜଣା ପଡ଼ିଛି ବୋଲି ଡିଜିପି ଶ୍ରୀ ଦ୍ୱିବେଦୀ ସୂଚନା ଦେଇଛନ୍ତି। ଏଥିସହ ଅନ୍ତେବାସିନୀମାନଙ୍କୁ ଯୌନ ନିର୍ଯାତନା ଦେବା ସହ ସେମାନଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଅଭିଯୁକ୍ତ ଥିବା ୧୧ ଜଣଙ୍କ ମଧ୍ୟରୁ ୧୦ ଜଣ ପୁଲିସ୍‌ ହାତରେ ଗିରଫ ହୋଇଥିବା ମଧ୍ୟ କହିଛନ୍ତି ଡିିଜିପି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଟାଟା ଇନଷ୍ଟିଚ୍ୟୁଟ ଅଫ୍‌ ସୋସିଆଲ ସାଇନ୍ସ ପକ୍ଷରୁ ଏହି ଆଶ୍ରୟ ଗୃହରେ ଅଡିଟ୍‌ କରାଯିବା କାଳରେ ଏହି ସାଂଘାତିକ ସତ୍ୟ ପଦାକୁ ଆସିଥିଲା। ପରେ, ଏହି ଘଟଣା ସଂପର୍କରେ ଟାଟା ଇନଷ୍ଟିଚ୍ୟୁଟ ଅଫ୍‌ ସୋସିଆଲ ସାଇନ୍ସ ପକ୍ଷରୁ ଥାନାରେ ଅଭିଯୋଗ ଆଗତ ହେବା ପରେ ଏହି ଘଟଣା ଲୋକଲୋଚନକୁ ଆସିଥିଲା।

ସମ୍ବନ୍ଧିତ ଖବର