ଜମ୍ମୁର ୧୦ଟି ଓ କଶ୍ମୀରର ୨ଟି ଜିଲ୍ଲାରେ ଟୁଜି ମୋବାଇଲ ଇଣ୍ଟରନେଟ ଚାଲୁ

ଶ୍ରୀନଗର : ଜମ୍ମୁ ଓ କଶ୍ମୀରର କେତେକ ଅଞ୍ଚଳରେ ଟୁଜି ମୋବାଇଲ ଇଣ୍ଟରନେଟ ସେବା ଚାଲୁ ହୋଇଛି । ତେବେ ପୂର୍ବଭଳି ସୋସିଆଲ ମିଡିଆ ଉପରେ ନିଷେଧାଜ୍ଞା ଅବ୍ୟାହତ ରହିଛି । ଏ ସଂପର୍କରେ ଜମ୍ମୁ ଓ କଶ୍ମୀରର ପ୍ରମୁଖ ଶାସନ ସଚିବ ରୋହିତ କନସଲ ଶନିବାରଦିନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଜମ୍ମୁର ସମସ୍ତ ୧୦ଟି ଜିଲ୍ଲାରେ ଓ କଶ୍ମୀରର ମାତ୍ର ୨ଟି ଜିଲ୍ଲାରେ ପୋଷ୍ଟପେଡ୍ ସଂଯୋଗକୁ ଟୁଜି ମୋବାଇଲ ଇଣ୍ଟରନେଟ ସେବା ଚାଲୁ ହୋଇଛି । ଏଥିସହ ଭଏସ୍ କଲ୍ ଓ ଏସଏମଏସ୍ ସେବା ମଧ୍ୟ ଆରମ୍ଭ ହୋଇଛି।  ଏହା ମାଧ୍ୟମରେ କେବଳ କେତେକ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ଓ ଅନ୍ୟ କେତେକ ସ୍ୱୀକୃତିପ୍ରାପ୍ତ େଓ୍ଵବସାଇଟ ଦେଖିହେବ । ଅନ୍ୟପକ୍ଷରେ ଲୋକମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଜମ୍ମୁ ଓ କଶ୍ମୀରର ସବୁ ବ୍ୟାଙ୍କରେ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ସେବା ଯୋଗାଇ ଦିଆଯାଇଛି ।

ଜମ୍ମୁ ଓ କଶ୍ମୀରରେ ଗତ ଅଗଷ୍ଟ ମାସଠାରୁ ଲାଗୁ ହୋଇଥିବା କଟକଣାକୁ ନେଇ ସରକାରଙ୍କ ଉପରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଚାପ ବଢିଚାଲିଛି । ଏହାକୁ ଦୃଷ୍ଟିରେ ରଖି ସରକାର ଗତ ସପ୍ତାହରେ କେତେକ ବିଦେଶୀ ପ୍ରତିନିଧିଙ୍କୁ କଶ୍ମୀର ଯିବାକୁ ଅନୁମତି ଦେଇଥିଲେ । ଗତ ସୋମବାରଦିନ ସୁପ୍ରିମକୋର୍ଟ ଜମ୍ମୁ ଓ କଶ୍ମୀରରେ ଦୀର୍ଘ ଦିନ ଧରି ବନ୍ଦ ଥିବା ଇଣ୍ଟରନେଟ ସେବାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ଏହା ପରେ ଗତ ବୁଧବାରଦିନ ଇଣ୍ଟରନେଟ ସେବାକୁ ଆଂଶିକଭାବେ ଚାଲୁ କରାଯିବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା ।

ସମ୍ବନ୍ଧିତ ଖବର