୨-ଜି ଦୁର୍ନୀତି : ୭ ବର୍ଷର ଅପେକ୍ଷା ପ୍ରମାଣ ମିଳିଲାନି
୧୫୫୨ ପୃଷ୍ଠାର ରାୟ ରାୟ ବିରୋଧରେ ସିବିଆଇ, ଇଡି ହାଇକୋର୍ଟରେ ଅପିଲ୍ କରିବେ
୨-ଜି ସ୍ପେକ୍ଟ୍ରମ ଦୁର୍ନୀତି କ’ଣ?
Sambad is now on WhatsApp
Join and get latest news updates delivered to you via WhatsApp
ନୂଆଦିଲ୍ଲୀ: ମୋବାଇଲ ଡାଟା ସର୍ଭିସ୍ରେ ଗ୍ରାହକଙ୍କୁ ପ୍ରାଥମିକ ସୁବିଧା ସହ ଭାରତରେ ୨ଜି ନେଟ୍ଓ୍ଵର୍କ ପ୍ରଚଳନ ପାଇଁ ୨୦୦୭ରୁ ପଦକ୍ଷେପ ଆରମ୍ଭ ହୋଇଥିଲା। ୟୁପିଏ ସରକାର ଅମଳରେ ୨୦୦୮ରେ ଦୂରସଂଚାର ବିଭାଗ ଦ୍ୱାରା ୧୨୨ଟି ୨ଜି ସ୍ପେକ୍ଟ୍ରମ ଲାଇସେନ୍ସ ଆବଣ୍ଟନରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ ଉଠିଥିଲା। ଏ ବାବଦ ସ୍ପେକ୍ଟ୍ରମ୍ ଆବଣ୍ଟନରେ ହୋଇଥିବା ଦୁର୍ନୀତି ୨-ଜି ସ୍କାମ୍ ଭାବେ ବହୁଚର୍ଚ୍ଚିତ। ୨ ଜି ସ୍ପେକ୍ଟ୍ରମ ଅନିୟମିତତା ଯୋଗୁଁ ଦେଶର ୧ ଲକ୍ଷ ୭୬ ହଜାର କୋଟି ଟଙ୍କା କ୍ଷତି ହୋଇଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଥିଲେ। ଆଜି ଏହି ମାମଲାରେ ସମସ୍ତ ୧୭ ଅଭିଯୁକ୍ତ ସ୍ୱତନ୍ତ୍ର ସିବିଆଇ ଅଦାଲତ ଦ୍ୱାରା ଦୋଷମୁକ୍ତ ହୋଇଛନ୍ତି।
ବହୁଚର୍ଚ୍ଚିତ ୨-ଜି ସ୍ପେକ୍ଟ୍ରମ୍ ଦୁର୍ନୀତି ମାମଲାରେ ଆଜି ସିବିଆଇ ସ୍ୱତନ୍ତ୍ର ଅଦାଲତର ରାୟ ଦେଶରେ ହଇଚଇ ସୃଷ୍ଟି କରିଛି। ୧ ଲକ୍ଷ ୭୬ ହଜାର କୋଟି ଟଙ୍କାର ଦୁର୍ନୀତି ମାମଲାରେ କିଛି ବି ତଥ୍ୟ ପ୍ରମାଣ ସିବିଆଇ ପାଇନଥିବାରୁ କୋର୍ଟ ତଦନ୍ତାକାରୀ ସଂସ୍ଥାକୁ ଭର୍ତ୍ସନା କରିଛନ୍ତି। ମାମଲାର ଶୁଣାଣି କରି ପଟିଆଲା ହାଉସ୍୍ ସ୍ଥିତ ସ୍ୱତନ୍ତ୍ର ସିବିଆଇ ଅଦାଲତର ବିଚାରପତି ଓପି ସାଇନି କହିଛନ୍ତି ଯେ ୨-ଜି ଦୁର୍ନୀତି ମାମଲାରେ ଦୀର୍ଘ ୭ ବର୍ଷ ଧରି ଅତ୍ୟନ୍ତ ଧୈର୍ଯ୍ୟର ସହ ପ୍ରମାଣକୁ ଅପେକ୍ଷା କରାଯାଇଥିଲା। କିନ୍ତୁ ଆଇନତଃ ଗ୍ରହଣଯୋଗ୍ୟ ହେଲାଭଳି କୌଣସି ପ୍ରମାଣ ତଦନ୍ତକାରୀ ସଂସ୍ଥା ଉପସ୍ଥାପନ କରିପାରିନାହାନ୍ତି। ସିବିଆଇ ପ୍ରମାଣ ଉପସ୍ଥାପନରେ ସାଂଘାତିକ ଭାବେ ବିଫଳ ହୋଇଛି ବୋଲି ବିଚାରପତି କହିଛନ୍ତି। କୋର୍ଟ ମାମଲାର ପ୍ରତ୍ୟେକଟି ପର୍ଯ୍ୟାୟରେ ନ୍ୟାୟସଂଗତ ତଥ୍ୟ ପାଇଁ ବର୍ଷ ବର୍ଷ ଧରି ଚାହିଁ ରହିଥିଲେ। ଏଥିପାଇଁ ସେ ଅଦାଲତରେ ଛୁଟିଦିନରେ ବି ଅପେକ୍ଷା କରି ରହୁଥିଲେ ବୋଲି ବିଚାରପତି ସାଇନି କହିଛନ୍ତି। ତେବେ ବିଗତ ୭ ବର୍ଷ ଧରି ଅଦାଲତର ଏହି ଅପେକ୍ଷା ସତ୍ତ୍ୱେ ପ୍ରମାଣ ଦେବାରେ ସିବିଆଇ ତା’ର ନିଷ୍ଠା ଦେଖାଇନାହିଁ କିମ୍ବା ପ୍ରମାଣ ପାଇନାହିଁ। ଗୁଜବ, ଚର୍ଚ୍ଚା ଏବଂ ଅନୁମାନ ଆଧାରିତ ରିପୋର୍ଟ ଛଡ଼ା ଆଉ କିଛି ମିଳିନଥିଲା। ବୋଲି ବିଚାରପତି ତାଙ୍କ ରାୟରେ କହିଛନ୍ତି। ୧୫୫୨ ପୃଷ୍ଠାର ରାୟରେ ବିଚାରପତି ସାଇନି ଉଲ୍ଲେଖ କରିଛନ୍ତି ଯେ ତଦନ୍ତକାରୀ ସଂସ୍ଥା କେବଳ କିଛି ଧାରଣା ନେଇ ଆଗକୁ ବଢ଼ୁଥିଲା , କିନ୍ତୁ ମାମଲାକୁ ପ୍ରତିପାଦିତ କରିବା ପାଇଁ ହାତରେ କିଛି ବି ବଳିଷ୍ଠ ପ୍ରମାଣ ନଥିଲା। ପୂର୍ବ ଦୂରସଂଚାର ମନ୍ତ୍ରୀ ଏ. ରାଜା, ଡିଏମ୍୍କେ ନେତ୍ରୀ କାନିମୋଝି ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ପ୍ରସ୍ତୁତ ହୋଇଥିବା ଚାର୍ଜସିଟ୍ ବିଭ୍ରାନ୍ତିକର ତଥ୍ୟ ଉପରେ ଆଧାରିତ ଥିଲା, ଯାହାକୁ ନେଇ ତର୍କ ସଂଗତ ଯୁକ୍ତି କରିବା ମଧ୍ୟ କଷ୍ଟକର ହୋଇପଡ଼ିଥିଲା।
୨-ଜି ଆବଣ୍ଟନ ପାଇଁ ରହିଥିବା ସରକାରଙ୍କ ନିୟମାବଳୀରେ ଯେଉଁ ଶବ୍ଦ ବ୍ୟବହାର ହୋଇଛି ତାହାକୁ ବିଭାଗୀୟ ଅଧିକାରୀମାନେ ମଧ୍ୟ ବୁଝିବାକୁ ସକ୍ଷମ ହେଉନଥିବା ବେଳେ ଲାଇସେନ୍୍ସ ଆବେଦନକାରୀମାନଙ୍କୁ ଏଥିପାଇଁ କେଉଁ ଆଧାରରେ ଦାୟୀ କରାଯିବ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଏଭଳି ଶବ୍ଦ ଚୟନ, ବିଭ୍ରାନ୍ତି ଏବଂ ତ୍ରୁଟିପୂର୍ଣ୍ଣ ପ୍ରକ୍ରିୟା ଭିତରେ କାହାକୁ କିଭଳି ଦୋଷ ଦିଆଯିବ ତାହା ନିର୍ଦ୍ଧାରଣ କରିବା ମୁସ୍କିଲ ବୋଲି କୋର୍ଟ କହିଛନ୍ତି । ପ୍ରଥମେ ଆବେଦନ କରିଥିବା ବ୍ୟକ୍ତିଙ୍କୁ କିଭଳି ଗୁରୁତ୍ୱ ଦିଆଯାଇଥିଲା ଏବଂ କେଉଁ କ୍ଷେତ୍ରରେ କିଭଳି ଓ କାହିଁକି ଅନିୟମିତତାର ସୂତ୍ରପାତ ହୋଇଥିଲା ତାହାର ଆଧାର ମଧ୍ୟ ନିର୍ଦ୍ଧାରିତ ହୋଇପାରି ନାହିଁ। ଏଭଳି ସ୍ଥିତିରେ ସିବିଆଇ ଯେଉଁ ସାକ୍ଷ୍ୟ, ତଥ୍ୟ ଏବଂ ଯୁକ୍ତି ଉପସ୍ଥାପନ କରିଥିଲା ତାହାର କୌଣସି ତାଳମେଳ ନଥିଲା ବୋଲି ରାୟରେ କୁହାଯାଇଛି। ତେବେ ଆଜିର କୋର୍ଟ ରାୟ ବିରୋଧରେ ହାଇକୋର୍ଟରେ ଅପିଲ୍ କରାଯିବ ବୋଲି ସିବିଆଇ, ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ତୁରନ୍ତ ନିଷ୍ପତ୍ତି ନେଇଛନ୍ତି। ସାଧାରଣତଃ ଏଭଳି ମାମଲାରେ ଉପର କୋର୍ଟ ଯିବା ପାଇଁ ୯୦ ଦିନ ପର୍ଯ୍ୟନ୍ତ ସମୟ ନିଆଯାଉଥିବାବେଳେ ମାମଲାର ଗମ୍ଭୀରତା ଦୃଷ୍ଟିରୁ ଏଭଳି ପଦକ୍ଷେପ ତତ୍କାଳ ନିଆଯାଇଛି।
ଘଟଣାକ୍ରମ
ବହୁଚର୍ଚ୍ଚିତ ୨-ଜି ସ୍ପେକ୍ଟ୍ରମ୍ ଆବଣ୍ଟନ ମାମଲାରେ ସିବିଆଇର ସ୍ୱତନ୍ତ୍ର ଅଦାଲତ ଆଜି ପୂର୍ବ ଦୂରସଂଚାର ମନ୍ତ୍ରୀ ଏ. ରାଜା ଏବଂ ଡିଏମ୍କେ ନେତ୍ରୀ କାନିମୋଝିଙ୍କ ସମେତ ସମସ୍ତ ୧୭ ଜଣ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି। ୨-ଜି ଦୁର୍ନୀତିର ସୂତ୍ରପାତ ହୋଇଥିଲା ୨୦୦୮ରୁ । ୨-ଜି ସ୍ପେକ୍ଟ୍ରମ୍ ଲାଇସେନ୍ସ ବଣ୍ଟନରେ ୩୦ ହଜାର ୯୮୪ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ସିବିଆଇ ଚାର୍ଜସିଟ୍ରେ କୁହାଯାଇଥିଲା।
୨-ଜି ମାମଲାର ଘଟଣାକ୍ରମ
ମେ ୨୦୦୭: ଦୂରସଂଚାର ମନ୍ତ୍ରୀ ଭାବେ ଏ. ରାଜାଙ୍କ ଦାୟିତ୍ୱ ଗ୍ରହଣ
ଅକ୍ଟୋବର ୧, ୨୦୦୭: ୨-ଜି ସ୍ପେକ୍ଟ୍ରମ୍ ଲାଇସେନ୍ସ ପାଇଁ ୪୬ଟି ସଂସ୍ଥା ପକ୍ଷରୁ ୫୭୫ ଆବେଦନ ଗ୍ରହଣ କରାଯାଇଥିଲା।
ନଭେମ୍ବର ୨, ୨୦୦୭: ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଲାଇସେନ୍ସ ଆବଣ୍ଟନରେ ସ୍ୱଚ୍ଛତା ବଜାୟ ରଖିବାକୁ ଏ ରାଜାଙ୍କୁ ପତ୍ର ଲେଖିଥିଲେ।
ନଭେମ୍ବର ୨୨, ୨୦୦୭: ଅର୍ଥ ମନ୍ତ୍ରାଳୟ ଟେଲିକମ୍ ବିଭାଗକୁ ପତ୍ର ଲେଖି ଆବଣ୍ଟନ ପ୍ରକ୍ରିୟାକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ।
୨୦୦୯: କେନ୍ଦ୍ର ଭିଜିଲାନ୍ସ କମିସନ ଲାଇସେନ୍ସ ଆବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଥିବା ସୂଚନା ଆଧାରରେ ସିବିଆଇକୁ ଏହି ମାମଲାରେ ତଦନ୍ତ ପାଇଁ କହିଥିଲେ।
ଅକ୍ଟୋବର ୨୧, ୨୦୦୯: ଟେଲିକମ୍ ବିଭାଗର ଅଜଣା ଅଧିକାରୀ, ଅଜଣା ଘରୋଇ ସଂସ୍ଥା ଏବଂ ବ୍ୟକ୍ତି ବିଶେଷଙ୍କ ବିରୋଧରେ ସିବିଆଇ ଏଫ୍ଆଇଆର୍ ରୁଜୁ କରିଥିଲା।
ସେପ୍ଟେମ୍ବର ୧୩, ୨୦୧୦: ଦୂରସଂଚାର ମନ୍ତ୍ରୀ ଏ. ରାଜା ଏବଂ କେନ୍ଦ୍ର ସରକାରଙ୍କୁ ୨-ଜି ଅନିୟମିତତା ମାମଲାରେ ୧୦ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ସୁପ୍ରିମ୍ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ୨୦୦୮ରେ ହୋଇଥିବା ୨-ଜି ଲାଇସେନ୍ସ ବଣ୍ଟନରେ ୭୦ ହଜାର କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ହୋଇଥିଲା।
ନଭେମ୍ବର ୧୦, ୨୦୧୦: ସିଏଜି ୨-ଜି ଦୁର୍ନୀତି ମାମଲାରେ ରିପୋର୍ଟ ଉପସ୍ଥାପନ କରି ଏଥିରେ ଦେଶକୁ ୧ଲକ୍ଷ ୭୬ ହଜାର କୋଟି ଟଙ୍କା କ୍ଷତି ହୋଇଥିବା ଦର୍ଶାଇଥିଲେ। ଏହି ରିପୋର୍ଟ ଦେଶବ୍ୟାପୀ ହଇଚଇ ସୃଷ୍ଟି କରିଥିଲା।
ନଭେମ୍ବର୧୪-୧୫, ୨୦୧୦: ଦୂରସଂଚାର ମନ୍ତ୍ରୀ ପଦରରୁ ଏ ରାଜା ଇସ୍ତଫା ଦେଇଥିଲେ।
ଫେବ୍ରୁଆରି ୨, ୨୦୧୧: ୨ ଜି ଦୁର୍ନୀତି ମାମଲାରେ ସିବିଆଇ ରାଜାଙ୍କୁ ଗିରଫ କରିଥିଲା। ପୂର୍ବ ଟେଲିକମ୍ ସଚିବ ସିଦ୍ଧାର୍ଥ ବେହୁରା ଏବଂ ରାଜାଙ୍କ ପୂର୍ବ ବ୍ୟକ୍ତିଗତ ସଚିବ ରବିନ୍ଦ୍ର କୁମାରଙ୍କୁ ମଧ୍ୟ ଗିରଫ କରାଯାଇଥିଲା।
ମାର୍ଚ୍ଚ ୧୪, ୨୦୧୧: ଦିଲ୍ଲୀ ହାଇକୋର୍ଟ ୨ ଜି ଦୁର୍ନୀତି ମାମଲାର ବିଚାର ପାଇଁ ସ୍ୱତନ୍ତ୍ର କୋର୍ଟ ସ୍ଥାପନ କରିଥିଲେ।
ଏପ୍ରିଲ୍ ୨, ୨୦୧୧: ସିବିଆଇ ରାଜାଙ୍କ ସମେତ ବିଭିନ୍ନ ସରକାରୀ ଅଧିକାରୀ ଏବଂ ଘରୋଇ ସଂସ୍ଥାର ଅଧିକାରୀଙ୍କ ବିରୋଧରେ ପ୍ରଥମ ଚାର୍ଜସିଟ୍ ଦାଖଲ କରିଥିଲା।
ଏପ୍ରିଲ ୨୫, ୨୦୧୧: ସିବିଆଇ ଡିଏମ୍କେ ସାଂସଦ କାନିମୋଝିଙ୍କ ସମେତ ୪ ଜଣଙ୍କ ବିରୋଧରେ ଦ୍ୱିତୀୟ ଚାର୍ଜସିଟ୍ ଦାଖଲ କରିଥିଲା।
ଅକ୍ଟୋବର ୨୩, ୨୦୧୧: ସମସ୍ତ ୧୭ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ନିର୍ଦ୍ଧାରିତ ହୋଇଥିଲା
ନଭେମ୍ବର ୧୧, ୨୦୧୧: ୨ ଜି ଦୁର୍ନୀତି ମାମଲାର ଶୁଣାଣି ଆରମ୍ଭ ହୋଇଥିଲା
ଫେବ୍ରୁଆରି ୨, ୨୦୧୨: ଏ ରାଜାଙ୍କ ସମୟରେ ପ୍ରଦାନ କରାଯାଇଥିବା ସମସ୍ତ ୧୨୨ ଲାଇସେନ୍୍ସକୁ ସୁପ୍ରିମ୍ କୋର୍ଟ ରଦ୍ଦ କରିଥିଲେ।
ଡିସେମ୍ବର ୨୧, ୨୦୧୭: ୨-ଜି ଦୁର୍ନୀତି ମାମଲାରେ ପ୍ରମାଣ ଅଭାବରୁ ସମସ୍ତ ଅଭିଯୁକ୍ତ ଦୋଷମୁକ୍ତ।
ୟୁପିଏ ବିରୋଧରେ କେବଳ ଅପପ୍ରଚାର ଚାଲିଥିଲା
ନୂଆଦିଲ୍ଲୀ ଅଜି ୨-ଜି ମାମଲାରେ ସିବିଆଇ ଅଦାଲତ ସମସ୍ତ ୧୭ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଥିବାରୁ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କହିଛନ୍ତି ଯେ ୟୁପିଏ ସରକାରଙ୍କୁ ବଦନାମ କରିବା ପାଇଁ କେବଳ ଭୟଙ୍କର ଅପପ୍ରଚାର ଚାଲିଛି । ଅଦାଲତ ଏ ବାବଦରେ ସ୍ପଷ୍ଟ ରାୟ ଦେଇଥିବାରୁ ମୁଁ କୃତଜ୍ଞ ବୋଲି ମନମୋହନ କହିଛନ୍ତି। କୌଣସି ଆଧାର ନଥାଇ ୟୁପିଏ ସରକାରଙ୍କୁ ଏହି ମାମଲାରେ ବଦନାମ କରାଯାଇଥିଲା ଏବଂ ୭ ବର୍ଷର ବିଚାର ପ୍ରକ୍ରିୟା ପରେ ଏବେ ସତ୍ୟ ସାମ୍ନାକୁ ଆସିଛି ବୋଲି ମନମୋହନ କହିଛନ୍ତି।
ମତେ ନ୍ୟାୟ ମିଳିଛି
ଆଜି ପ୍ରକାଶ ପାଇଥିବା ୨-ଜି ମାମଲାର ରାୟ ଡିଏମ୍କେ ପାଇଁ ବରଦାନ ସାବ୍ୟସ୍ତ ହୋଇଛି। ୨ ଜି ଦୁର୍ନୀତି ମାମଲାରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଡିଏମ୍କେ ସାଂସଦ କାନିମୋଝି ଦୋଷମୁକ୍ତ ହେବାପରେ କହିଛନ୍ତି ଯେ ଶେଷରେ ତାଙ୍କୁ ନ୍ୟାୟ ମିଳିଛି। ବିନା କୌଣସି ପ୍ରମାଣ ଆଧାରରେ ଏଥିରେ ତାଙ୍କୁ ସଂପୃକ୍ତ କରାଯାଇଥିଲା ଏବଂ ଶେଷରେ ନ୍ୟାୟ ବ୍ୟବସ୍ଥାରେ ଅସଲ ସତ୍ୟ ସାମ୍ନାକୁ ଆସିଛି ବୋଲି କାନିମୋଝି କହିଛନ୍ତି।
୨-ଜି ଦୁର୍ନୀତି ବୋଲି କିଛି ନଥିଲା
୨-ଜି ଦୁର୍ନୀତି କେବଳ ୟୁପିଏ ସରକାରକୁ ବଦନାମ କରିବା ପାଇଁ ଏକ ଷଡ଼ଯନ୍ତ୍ରପୂର୍ଣ୍ଣ ଆଚରଣ ଥିଲା। ଏଥିରେ ସରକାରଙ୍କ କୌଣସି ମନ୍ତ୍ରୀ କିମ୍ବା ଅଧିକାରୀ ସଂପୃକ୍ତ ନଥିଲା। ଅଦାଲତର ବିଚାର ପ୍ରକ୍ରିୟା ଭିତରେ ଏବେ ଏହା ସାବ୍ୟସ୍ତ ହୋଇସାରିଛି ବୋଲି ପୂର୍ବ ଅର୍ଥମନ୍ତ୍ରୀ ପି. ଚିଦମ୍ବରମ କହିଛନ୍ତି।
ଏହି ମାମଲାକୁ ବିଜେପି ଅତିରଂଜିତ କରି ଲୋକଙ୍କ ସାମ୍ନାରେ ଉପସ୍ଥାପନ କରିଥିଲା ବୋଲି ସେ କହିଛନ୍ତି।
ମୋର ବୟାନ ସତ୍ୟ ସାବ୍ୟସ୍ତ ହୋଇଛି
୨-ଜି ଦୁର୍ନୀତି କେବେ ବି ଘଟିନଥିଲା ଏବଂ ୟୁପିଏ ସରକାର ୨ ଜି ସ୍ପେକ୍ଟ୍ରମ୍ ଲାଇସେନ୍ସ ଆବଣ୍ଟନରେ କୌଣସି ଅନିୟମିତତାକୁ ପ୍ରଶ୍ରୟ ଦେଇନଥିଲେ ବୋଲି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ କହିଛନ୍ତି। ଆଜି ସିବିଆଇ ସ୍ୱତନ୍ତ୍ର ଅଦାଲତ ଏହି ମାମଲାରେ ସବୁ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିବା ସହ ସିବିଆଇକୁ ଭର୍ତ୍ସନା କରିଥିବାରୁ ସିବଲ ଏଥିରେ ଖୁସି ଜାହିର କରିଛନ୍ତି। ୨-ଜି ମାମଲାରେ ଦେଶର କୌଣସି କ୍ଷତି ହୋଇନାହିଁ ଏବଂ ଏଥିରେ କୌଣସି ଦୁର୍ନୀତି ହିଁ ନଥିଲା ବୋଲି ସେ କହିଛନ୍ତି। ପୂର୍ବତନ ସିଏଜି ବିନୋଦ ରାୟ ଏବଂ ବିରୋଧୀଙ୍କ ଦ୍ୱାରା ଏହା ଏକ ଅପପ୍ରଚାର ଥିବାରୁ ସେମାନେ ଏଥିପାଇଁ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ସିବଲ କହିଛନ୍ତି।
ସମଗ୍ର ମାମଲା ଏକ ଷଡ଼ଯନ୍ତ୍ର ଥିଲା
ସମଗ୍ର ୨ ଜି ଅନିୟମିତତା ମାମଲା ଏକ ଷଡ଼ଯନ୍ତ୍ର ଥିଲା ଏବଂ ତାଙ୍କୁ କେନ୍ଦ୍ରରେ ରଖି ମିଥ୍ୟା ଅଭିଯୋଗର ପାହାଡ଼ ସୃଷ୍ଟି କରାଯାଇଥିଲା ବୋଲି ପୂର୍ବ ଟେଲିକମ୍ ମନ୍ତ୍ରୀ ଏ. ରାଜା କହିଛନ୍ତି। ଆଜି ସିବିଆଇ ଅଦାଲତରେ ଦୋଷମୁକ୍ତ ହେବାପରେ ଏ. ରାଜା କହିଛନ୍ତି ଯେ ୭ ବର୍ଷର ଭୟଙ୍କର ଝଡ଼ଝଂଜା ପରେ ଆଜି ସେ ଆଶ୍ୱସ୍ତ ହୋଇଛନ୍ତି।
ଦୁର୍ନୀତି ହିଁ ୟୁପିଏର ନୀତି ଥିଲା: ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି
୨-ଜି ଦୁର୍ନୀତି ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ସିବିଆଇ ଅଦାଲତ ଦୋଷମୁକ୍ତ କରିବା ସତ୍ତ୍ୱେ ତଳ କୋର୍ଟର ରାୟକୁ ବିଜେପି ଗୁରୁତ୍ୱ ଦେଇନାହିଁ ଏବଂ ଏହାକୁ ହାଇକୋର୍ଟରେ ଚ୍ୟାଲେଂଜ କରିବାକୁ ଏବେ ସଜବାଜ ହେଉଛି। କୋର୍ଟ ରାୟ ପରେ ଆଜି ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି କହିଛନ୍ତି ଯେ ୟୁପିଏ ସରକାରଙ୍କ ନୀତିଗୁଡ଼ିକ ଦୁର୍ନୀତିରେ ଭରପୂର ଥିଲା ଏବଂ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଦେଶର କ୍ଷତି ଘଟିଥିଲା। ଏ ବାବଦରେ ୨୦୧୨ରେ ସୁପ୍ରିମ୍ କୋର୍ଟଙ୍କ ରାୟ ସବୁକିଛି ସ୍ପଷ୍ଟ କରିଦେଇଛି ଏବଂ ୧୨୨ ଲାଇସେନ୍୍ସ ମଧ୍ୟ ରଦ୍ଦ ହୋଇଛି ବୋଲି ସେ କହିଛନ୍ତି।