ଉଡ଼ିଗଲା ୧.୭୬ ଲକ୍ଷ କୋଟି

୨-ଜି ରାୟ: ସମସ୍ତେ ଦୋଷମୁକ୍ତ

ନୂଆଦିଲ୍ଲୀ : ୨୦୧୦ରେ ଭାରତୀୟ ରାଜନୀତିରେ କମ୍ପନ ସୃଷ୍ଟି କରିଥିବା ୨ଜି ଦୁର୍ନୀତି ମାମଲାରେ ସ୍ୱତନ୍ତ୍ର ସିବିଆଇ ଅଦାଲତ ଆଜି ସମସ୍ତ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି। ଏହି ମାମଲାରେ ତଥ୍ୟ ପ୍ରମାଣ ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଥିବାରୁ ସିବିଆଇ ଉପରେ ଭୀଷଣ ବର୍ଷିଛନ୍ତି ଅଦାଲତ। କହିଛନ୍ତି ଯେ ଦୀର୍ଘ ୭ ବର୍ଷର ଅପେକ୍ଷା ପରେ ମଧ୍ୟ କୌଣସି ଗ୍ରହଣଯୋଗ୍ୟ ପ୍ରମାଣ ଦେବାରେ ସବିଆଇ ସକ୍ଷମ ହୋଇନଥିବାରୁ ସମସ୍ତ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିବାକୁ ସେ ବାଧ୍ୟ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ ଏହି ଦୁର୍ନୀତି ଯୋଗୁଁ ସରକାରଙ୍କ ୧ ଲକ୍ଷ ୭୬ ହଜାର କୋଟି ଟଙ୍କାର କ୍ଷତି ହୋଇଥିଲା ବୋଲି ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଥିଲେ। ଏହାକୁ ସେତେବେଳେ ଦେଶର ସବୁଠାରୁ ବଡ଼ ଦୁର୍ନୀତି ବା ସ୍କାମ ବୋଲି କୁହାଯାଉଥିଲା। ସିବିଆଇ ଅଦାଲତଙ୍କ ଏହି ରାୟ ଯୋଗୁଁ ପୂର୍ବତନ ଦୂରସଂଚାର ମନ୍ତ୍ରୀ ଏ. ରାଜା ଏବଂ ଡିଏମ୍‌କେ ନେତ୍ରୀ କାନିମୋଝିଙ୍କ ସମେତ ସମସ୍ତ ୧୭ ଜଣ ଅଭିଯୁକ୍ତ  ଦୋଷମୁକ୍ତ ହୋଇଛନ୍ତି। ତେବେ ଏହି ମାମଲା ଉପର କୋର୍ଟକୁ ଯିବାର ସମ୍ଭାବନା ଥିବାରୁ ଅଭିଯୁକ୍ତମାନଙ୍କୁ ୫ ଲକ୍ଷ ଟଙ୍କାର ଜମାନତ ରାଶି ଦେବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି। ଉପର କୋର୍ଟରେ ମାମଲାର ଶୁଣାଣି ବେଳେ ସେମାନଙ୍କ ଉପସ୍ଥିତିକୁ ସୁନିଶ୍ଚିତ କରିବା ଲାଗି ସିବିଆଇ କୋର୍ଟ ଏଭଳି ପଦକ୍ଷେପ ନେଇଛନ୍ତି।

ୟୁପିଏ ସରକାର ଅମଳରେ ୨୦୦୮ରେ ଦୂରସଂଚାର ବିଭାଗ ଦ୍ୱାରା ୧୨୨ଟି ୨ଜି ସ୍ପେକ୍‌୍‌ଟ୍ରମ ଲାଇସେନ୍‌ସ ଆବଣ୍ଟନରେ  ବ୍ୟାପକ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ ଉଠିଥିଲା। ୨୦୧୦ରେ  ନିୟନ୍ତ୍ରକ ତଥା ମହାଲେଖା ପରୀକ୍ଷକ (ସିଏଜି) ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଥିଲେ ଯେ ୨ଜି ଲାଇସେନ୍‌ସ ପ୍ରଦାନରେ ଅନିୟମିତତା ଯୋଗୁଁ ଦେଶକୁ ୧ ଲକ୍ଷ ୭୬ ହଜାର କୋଟି ଟଙ୍କାର ରାଜସ୍ୱ କ୍ଷତି ସହିବାକୁ ପଡ଼ିଛି। ସିଏଜି କହିଥିଲେ ଯେ ସ୍ପେକଟ୍ରମ ନିଲାମିରେ ସ୍ୱଚ୍ଛତା ଅବଲମ୍ବନ କରାଯାଇନଥିଲା। ଅନ୍ୟପକ୍ଷରେ ଏହାକୁ ଶାଗମାଛ ଦରରେ କିଛି ସଂସ୍ଥାଙ୍କ ହାତରେ ଟେକି ଦିଆଯାଇଥିଲା। ତେବେ ସିବିଆଇ ନିଜ ଚାର୍ଜସିଟ୍‌ରେ ଏହି ଦୁର୍ନୀତିର ପରିମାଣ ୩୧ ହଜାର କୋଟି ଟଙ୍କା ବୋଲି ଦର୍ଶାଇଥିଲା।  ଏହି ମାମଲା ପରବର୍ତ୍ତୀ ସମୟରେ ଜଟିଳ ରୂପ ନେଇଥିଲା ଏବଂ ସୁପ୍ରିମ୍‌ କୋର୍ଟ ୨୦୧୨ ଫେବ୍ରୁଆରି ୨ରେ ୨-ଜି ସ୍ପେକ୍‌ଟ୍ରମ୍‌ ଲାଇସେନ୍‌ସ ରଦ୍ଦ କରିଥିଲେ।

ଅକ୍ଟୋବର  ୨୦୦୭ରେ ୨-ଜି ସ୍ପେକ୍‌ଟ୍ରମ୍‌ ଲାଇସେନ୍‌ସ ପାଇଁ ୪୬ଟି ସଂସ୍ଥା ପକ୍ଷରୁ ୫୭୫ଟି ଆବେଦନକୁ ଟେଲିକମ୍‌ ବିଭାଗ ଗ୍ରହଣ କରିଥିବା ବେଳେ ୨୦୦୮ରେ ଏହି ପ୍ରକ୍ରିୟାରେ ଘୋର ଅନିୟମିତତା ସାମ୍ନାକୁ ଆସିଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ  ଡ. ମନମୋହନ ସିଂହ  ଲାଇସେନ୍‌ସ ଆବଣ୍ଟନରେ ସ୍ୱଚ୍ଛତା ବଜାୟ ରଖିବାକୁ  ଏ ରାଜାଙ୍କୁ ପତ୍ର ଲେଖିଥିଲେ। ତେବେ ୧୨୨ଟି ଲାଇସେନ୍ସ ପ୍ରଦାନରେ ନୀତିନିୟମକୁ ଜଳାଂଜଳି ଦିଆଯାଇଥିବା ଅଭିଯୋଗ ପରେ କେନ୍ଦ୍ର ଭିଜିଲାନ୍‌ସ କମିସନ ସିବିଆଇକୁ  ଏହି ମାମଲାରେ ତଦନ୍ତ ପାଇଁ କହିଥିଲେ। ପ୍ରଥମେ ୨-ଜି ଲାଇସେନ୍ସ ବଣ୍ଟନରେ  ୭୦ ହଜାର କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ସିଏଜି ରିପୋର୍ଟରେ ଏହି ଅନିୟମିତତା ଯୋଗୁଁ ଦେଶକୁ ୧ଲକ୍ଷ ୭୬ ହଜାର କୋଟି ଟଙ୍କା କ୍ଷତି ହୋଇଥିବା କୁହାଯାଇଥିଲା। ଏହି ରିପୋର୍ଟ ଦେଶବ୍ୟାପୀ ହଇଚଇ ସୃଷ୍ଟି କରିଥିଲା।

ଅଦାଲତ ରାୟରେ ସମସ୍ତ ଅଭିଯୁକ୍ତ ଦୋଷମୁକ୍ତ ହୋଇଥିବାରୁ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏବଂ ଡିଏମକେ ପାଇଁ ଏହା ବଡ଼ ଆଶ୍ୱସ୍ତି ହୋଇଛି ।  ୟୁପିଏ ସରକାରକୁ ଦୁର୍ନୀତିଗ୍ରସ୍ତ ଭାବେ ପ୍ରତିପାଦନ କରିବାରେ ଏହି ତଥାକଥିତ ୨-ଜି ଦୁର୍ନୀତି ବିଜେପିକୁ ସବୁଠାରୁ ବଡ଼ ଅସ୍ତ୍ର କରିଥିଲା ଏବଂ ୨୦୧୪ ଲୋକସଭା ନିର୍ବାଚନରେ ଏହି ଟେଲିକମ୍‌ ସ୍କାମ୍‌ କଂଗ୍ରେସର ପତନ ଘଟାଇବାରେ ଅନ୍ୟତମ ପ୍ରମୁଖ କାରଣ ଥିଲା।

ସମ୍ବନ୍ଧିତ ଖବର