ଭୋଟ୍‌ ଦେବାରୁ ବଞ୍ଚିତ ‌ହେବେ ୨ ଲକ୍ଷ ଭିନ୍ନକ୍ଷମ ଭୋଟର

୨.୪ ଲକ୍ଷରୁ ଅଧିବ ବୁଥ୍‌ ଭିନ୍ନକ୍ଷମ ଉପଯୋଗୀ ନୁହେଁ

ନୂଆଦିଲ୍ଲୀ ମେଘାଳୟ ରାଜ୍ୟ ବିଧାନସଭା ନିର୍ବାଚନରେ ପ୍ରଥମ ଥର ପାଇଁ ଭୋଟ୍‌ ଦେଇଥିଲେ ଜଣେ ୬୫ ବର୍ଷୀୟ ଭିନ୍ନକ୍ଷମ ସୁପୁରିଟି ମାରାକ୍‌। ପଶ୍ଚିମ ଗାରୋ ପାର୍ବତ୍ୟାଞ୍ଚଳର ଏକ ଗ୍ରାମରେ ରହୁଥିବା‌ ମାରାକ୍‌ ମାତ୍ର ୧୭ ବର୍ଷ ବୟସରେ ପକ୍ଷାଘାତର ଶିକାର ହୋଇଥିଲେ। ଏହାପରଠାରୁ ସେ ଦୀର୍ଘ ୪୮ ବର୍ଷ ପର୍ଯ୍ୟନ୍ତ କେବେହେଲେ ଭୋଟ୍‌ ଦେଇ ପାରିନାହାନ୍ତି। କିନ୍ତୁ ଗତବର୍ଷ ନିର୍ବାଚନ ସମୟରେ ଏହି ଅଞ୍ଚଳରେ ସେକ୍ଟର ଅଧିକାରୀ ଥିବା ଜଣେ ଅର୍ଥନୀତି ପ୍ରଫେସର ମାରାକ୍‌ଙ୍କୁ ଦେଖିବାପରେ ତାଙ୍କ ପାଇଁ ଭୋଟ୍‌ ଦେବାର ବ୍ୟବସ୍ଥା କରାଇଥ‌ିଲେ। ମାରାକ୍‌ଙ୍କ ଘରକୁ ଗାଡ଼ି ପଠାଯାଇ ତାଙ୍କୁ ଭୋଟ୍‌ ଦେବାକୁ ଅଣାଯାଇଥିଲା। ଏଥିପାଇଁ ମଧ୍ୟ ନିର୍ବା‌ଚନ କମିସନ୍‌ (ଇସି) ମାରାକ୍‌ଙ୍କୁ ‘ଫାଷ୍ଟ୍‌ ଭୋଟର’ ମେଡାଲ ପ୍ରଦାନ କରିଛନ୍ତି। ମାରାକ୍‌ଙ୍କ ଭଳି ଭିନ୍ନକ୍ଷମ ୬୫ ବର୍ଷ ବୟସରେ ଜୀବନର ପ୍ରଥମ ଭୋଟ୍‌ ଦେବାରେ ସକ୍ଷମ ହୋଇ ପରିଥିଲେ। କିନ୍ତୁ ଅଧିକାଂଶ ବୁଥ୍‌ଗୁଡ଼ିକୁ ଭିନ୍ନକ୍ଷମ ଉପ‌ଯୋଗୀ କରାଯାଇନଥିବାରୁ ଭିନ୍ନକ୍ଷମମାନେ ଭୋଟ୍‌ ଦେବାରୁ ବଞ୍ଚିତ ହେଉଛନ୍ତି। ଡିଆରଏ (ଡିଜାବିଲିଟି ରାଇଟ୍ସ ଆଲ‌ିଆନ୍ସ) ତଥ୍ୟ ଅନୁଯାୟୀ ଭାରତରେ ପ୍ରାୟ ୨ ଲକ୍ଷ ଭିନ୍ନକ୍ଷମ ଭୋଟର ଭୋଟ୍‌ ଦେବାପାଇଁ ଅକ୍ଷମ ହେଉଛନ୍ତି ଏବଂ ସେମାନଙ୍କୁ ସହାୟତା ପାଇଁ ବୁଥ୍‌ ଗୁଡ଼ିକରେ ସ୍ବତନ୍ତ୍ର ବ୍ୟବସ୍ଥା ନାହିଁ। ସମଗ୍ର ଦେଶରେ ୧୦.୩୫ ଲକ୍ଷରୁ ଅଧିକ ନିର୍ବାଚନୀ ବୁଥ୍‌ ରହିଛି।
ପ୍ରତ୍ୟେକ ବୁଥ୍‌ରେ ରୢାମ୍ପ୍‌, ହ୍ବିଲଚେୟାର, ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା ରଖିବାପାଇଁ ଇସି ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଡିଆରଏ ତଥ୍ୟ ଅନୁଯାୟୀ ୨.୪ ଲକ୍ଷରୁ ଅଧିକ ନିର୍ବାଚନ କେନ୍ଦ୍ର ଭିନ୍ନକ୍ଷମଙ୍କ ପାଇଁ ଉପ‌ଯୋଗୀ ନୁ‌ହେଁ। ତେଣୁ ପ୍ରାୟ ୨ ଲକ୍ଷ ଭିନ୍ନକ୍ଷମ ଭୋଟର ଭୋଟ୍‌ ଦେବାରିୁ ବଞ୍ଚିତ ହେବେ ବୋଲି ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର