ମେସେଞ୍ଜର ଚାକିରି ପାଇଁ ୩,୭୦୦ ପିଏଚ୍‌ଡିଧାରୀଙ୍କ ଆବେଦନ

ଲକ୍ଷ୍ନୌ: ଏକ ଆଶ୍ଚର୍ଯ୍ୟଜନକ ଘଟଣାକ୍ରମରେ ଉତ୍ତରପ୍ରଦେଶରେ ଏକ ପଞ୍ଚମ ଶ୍ରେଣୀ ଯୋଗ୍ୟତା ଥିବା ଚାକିରି ପାଇଁ ବହୁ ସ୍ନାତକ, ସ୍ନାତକୋତ୍ତର ଏବଂ ପିଏଚ୍‌ଡି ଧାରୀମାନେ ଆବେଦନ କରିଛନ୍ତି। ଉତ୍ତରପ୍ରଦେଶ ପୁଲିସ୍‌ର ଟେଲିକମ୍‌ ବିଭାଗରେ ମେସେଞ୍ଜର ଚାକିରି ପାଇଁ ବହୁ ଉଚ୍ଚ ଶିକ୍ଷାପ୍ରାପ୍ତ ପ୍ରାର୍ଥୀ ଆବେଦନ କରିବା ଘଟଣା ଏବେ ଆଶ୍ଚର୍ଯ୍ୟର ବିଷୟ ହୋଇଛି। ଜଣାଯାଇଛି ଯେ ୫୦,୦୦୦ରୁ ଊର୍ଦ୍ଧ୍ୱ ସ୍ନାତକ, ୨୮୦୦୦ ସ୍ନାତକୋତ୍ତର ଏବଂ ୩୭୦୦ ପିଏଚ୍‌ଡି ଧାରୀ ଏହି ମେସେଞ୍ଜର ଚାକିରି ପାଇଁ ଆବେଦନ କରିଛନ୍ତି। ୬୨ଟି ପଦ ପାଇଁ ସମୁଦାୟ ୯୩,୦୦୦ ଜଣ ଆବେଦନ କରିଥିବା ଜଣାପଡ଼ିଛି। ତେବେ ସେମାନଙ୍କ ମଧ୍ୟରୁ କେବଳ ୭,୪୦୦ ଜଣ ପଞ୍ଚମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପଢ଼ିଛନ୍ତି। ବାକି ସମସ୍ତ ପ୍ରାର୍ଥୀ ଉଚ୍ଚ ଶିକ୍ଷା ହାସଲ କରିଛନ୍ତି। ଟେଲିକମ୍‌ ବିଭାଗରେ ଏହି ପଦବିଗୁଡ଼ିକ ୧୨ ବର୍ଷ ପରେ ଖାଲି ପଡ଼ିଛି। ତେବେ ଗୋଟିଏ ପଟେ ଚାକିରିର ଅଭାବ ଥିବାବେଳେ ଅନ୍ୟ ପଟେ ସରକାରୀ ଚାକିରି ଏବଂ ଆରମ୍ଭରୁ ୨୦,୦୦୦ ଟଙ୍କା ଦରମା ପାଇବା ଲୋଭରେ ଉଚ୍ଚ ଯୋଗ୍ୟତାସଂପନ୍ନ ପ୍ରାର୍ଥୀ ଆବେଦନ କରିଛନ୍ତି।

ସମ୍ବନ୍ଧିତ ଖବର