ଜର୍ମାନୀରେ କାର୍‌ ଆକ୍ରମଣ, ୩ ମୃତ

ବର୍ଲିନ୍‌ : ଜର୍ମାନୀର ମ୍ୟୁନଷ୍ଟର ସହରରେ ଆଜି ଏକ ବଡ଼ ଧରଣର କାର୍‌ ଆକ୍ରମଣ ହୋଇଛି। ରାସ୍ତାକଡ଼ରେ ବସିଥିବା ଲୋକମାନଙ୍କ ଉପରକୁ କାରଟି ଚଢ଼ିଯାଇଥିଲା। ଏଥିରେ ତିନି ଜଣ ଲୋକ ପ୍ରାଣ ହରାଇଥିବା ବେଳେ ଅନ୍ୟ ୩୦ ଜଣ ଆହତ ହୋଇଛନ୍ତି। ଆକ୍ରମଣ ପରେ କାର ଚାଳକ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛି। ଏହା ଦୁର୍ଘଟଣା ନା ଆତଙ୍କବାଦୀ ଆକ୍ରମଣ ତାହା ସ୍ପଷ୍ଟ କରିନାହିଁ ପୋଲିସ। ତେବେ କାର ଚାଳକ ଜର୍ମାନୀର ବାସିନ୍ଦା ବୋଲି କୁହାଯାଉଛି।

ଏହାପୂର୍ବରୁ ଜର୍ମାନୀରେ ଏଭଳି ଆକ୍ରମଣ ବହୁବାର ହୋଇସାରିଛି ଏବଂ ଆଜିର ବର୍ବର କାଣ୍ଡ ମଧ୍ୟ ଏକ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ସନ୍ଦେହ କରାଯାଉଛି। ଅନେକ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବ ବୋଲି ଆଶଙ୍କା କରାଯାଉଛି।

ମିଳିଥିବା ଖବର ମୁତାବକ, ମ୍ୟୁନ୍‌ଷ୍ଟରର କିପେନ୍‌କର୍ଲ ପବ୍‌ ନିକଟରେ ପ୍ରବଳ ଭିଡ଼ ହୋଇଥିବା ବେଳେ କାର୍‌ଟି ଅଚାନକ ଭାବେ ଦ୍ରୁତ ଗତିରେ ପବ୍‌ ନିକଟକୁ ମାଡି ଆସିଥିଲା ଏବଂ ଲୋକଙ୍କୁ ଦଳି ମକଚି ଆଗକୁ ବଢ଼ିଥିଲା।

ପ୍ରାଣ ବିକଳରେ ଲୋକେ ଦୌଡ଼ୁଥିବା ବେଳେ ସେମାନଙ୍କୁ କାର୍‌ ମଡ଼ାଇ ଚାଲିଥିବା ଦେଖିବାକୁ ମିଳିଥିଲା। କପିପେନ୍‌କର୍ଲ ପବ୍‌ ସହରର ସବୁଠୁ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବାରୁ ଆତଙ୍କବାଦୀମାନେ ଏହାକୁ ଟାର୍ଗେଟ୍‌ କରିଥିବା କୁହାଯାଉଛି।

ସ୍ମରଣଯୋଗ୍ୟ, ୨୦୧୬ ମସିହା ଜୁଲାଇ ୧୪ ତାରିଖରେ ଫ୍ରାନ୍ସର ନାଇସ୍‌ ଠାରେ ହୋଇଥିବା ଆଇଏସ୍‌ର ଏଭଳି ଟ୍ରକ୍‌ ଆକ୍ରମଣରେ ୮୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଯାହାକି ନିକଟ ଅତୀତରେ ହୋଇଥିବା ସବୁଠୁ ଭୟଙ୍କର ଆତଙ୍କବାଦୀ ଆକ୍ରମଣ। ୨୦୧୬ ମସିହା ଡିସେମ୍ବର ୧୯ରେ ବର୍ଲିନ୍‌ ସହରସ୍ଥିତ ଖ୍ରୀଷ୍ଟମାସ୍‌ ମାର୍କେଟରେ ଆଇଏସ୍‌ ଆତଙ୍କବାଦୀଙ୍କ ଟ୍ରକ୍‌ ଆକ୍ରମଣରେ ୧୨ଜଣଙ୍କ ମୃତ୍ୟୁ ହେବା ସାଙ୍ଗକୁ ୬୦ ଜଣ ଆହତ ହୋଇଥିଲେ। ୨୦୧୭ ମସିହାରେ ୟୁରୋପ୍‌ର ବାର୍ସେଲୋନା ସହରରେ ମଧ୍ୟ ଅନୁରୂପ ଆକ୍ରମଣରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର