ଜମ୍ମୁ ଓ କଶ୍ମୀରରେ ତୁଷାର ସ୍ଖଳନ: ୩ ଯବାନ ମୃତ ୨ ନିଖୋଜ

ଶ୍ରୀନଗର/ଜମ୍ମୁ: ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତର କଶ୍ମୀରର କୁପ୍‌ଓ୍ଵାରା ଏବଂ ବନ୍ଦିପୋରା ଜିଲ୍ଲାରେ ଦୁଇଟି ତୁଷାର ସ୍ଖଳନ ଯୋଗୁଁ ସେନାର ତିନି ଜଣ ଯବାନଙ୍କ ଓ ଜଣେ ସେନା କୁଲିଙ୍କର ଦେହାନ୍ତ ହେବା ସହ ଦୁଇ ଜଣ ଯବାନ ନିଖୋଜ ହୋଇ ଯାଇଛନ୍ତି। ନିଖୋଜ ଯବାନ ଦୁଇ ଜଣ ମୃତ୍ୟୁମୁଖରେ ପଡ଼ିଥିବା କଥା ଆଶଙ୍କା କରାଯାଉଛି ବୋଲି ମଙ୍ଗଳବାର ଦିନ ଜଣେ ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି।

କୁପ୍‌ଓ୍ଵାରାର ନାଓଗାମ୍‌ ସେକ୍ଟର୍‌ସ୍ଥିତ ସେନାର ୨୦ ଡୋଗ୍‌ରା ରେଜିମେଣ୍ଟ୍‌ର ସିକ୍ୟୁରିଟି ଇନ୍‌ଷ୍ଟାଲେସନ୍‌ ତୁଷାର ସ୍ରୋତରେ ପୋତି ହୋଇ ପଡ଼ିବାରୁ ଦୁଇ ଜଣ ଯବାନ ନିରୁଦ୍ଦେଶ ହୋଇ ଯାଇଛନ୍ତି। ସେମାନଙ୍କୁ ଖୋଜିବା ଅଭିଯାନ ଆରମ୍ଭ ହୋଇଛି ବୋଲି ପୁଲିସ କହିଛି।
ବନ୍ଦିପୋରାର ଗୁରେଜ୍‌ ସେକ୍ଟର୍‌ସ୍ଥିତ ବକ୍ତୁର୍‌ ଅଞ୍ଚଳରେ ୩୬ ରାଷ୍ଟ୍ରୀୟ ରାଇଫଲ୍‌ର ଯବାନମାନେ ରହୁଥିବା ସିକ୍ୟୁରିଟି ଇନ୍‌ଷ୍ଟାଲେସନ୍‌ ଉପରେ ତୁଷାର ସ୍ଖଳନ ହେବାରୁ ତିନି ଜଣ ସୈନିକଙ୍କର ମୃତ୍ୟୁ ଘଟିଛି।

ତୁଷାର ସ୍ଖଳନ ସମୟରେ ବହୁତ ଉଚ୍ଚରୁ ଖସି ପଡ଼ିବାରୁ ଗୁରେଜର ବାସିନ୍ଦା ତଥା ସେନା କୁଲି ଗୁଲାମ୍‌ କାଦିର ଖାଁଙ୍କର ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି। ଖାଁ ଏକ ଚାରିଜଣିଆ ଗ୍ରୁପ୍‌ର ସଦସ୍ୟ ଥିଲେ। ବାକି ଅନ୍ୟମାନେ ନିରାପଦ ସ୍ଥାନକୁ ଖସି ଯାଇଛନ୍ତି।

ସୋମବାର ଦିନ ଉପତ୍ୟକାରେ ଏ ଋତୁର ପ୍ରଥମ ତୁଷାରପାତ ସଙ୍ଘଠିତ ହୋଇଛି। ସନ୍ଧ୍ୟା ଠାରୁ ପର୍ବତମାଳା ଉପରୁ ତୁଷାର ସ୍ରୋତ ବହି ଆସୁଥିବାରୁ ଉତ୍ତର କଶ୍ମୀରରେ ଏକାଧିକ ତୁଷାର ସ୍ଖଳନ ଘଟୁଛି।

ପାଣିପାଗ ବିଭାଗ ରେକର୍ଡ ଅନୁସାରେ ସୋମବାର ପୂର୍ବାହ୍ନ ସାଢ଼େ ଆଠଟା ସୁଦ୍ଧା ଲୋକପ୍ରିୟ ସ୍କି ରିସର୍ଟ ଗୁଲ୍‌ମାର୍ଗରେ ୬ ଇଞ୍ଚ୍‌ ଉଚ୍ଚର ତୁଷାର ପଡ଼ିଥିଲା। ଦକ୍ଷିଣ କଶ୍ମୀରର ପାହାଲଗାମ୍‌ରେ ୩ ଇଞ୍ଚ ଏବଂ ତୋଷାମୈଦାନ୍‌ରେ ୬ ଇଞ୍ଚ ଉଚ୍ଚର ତୁଷାର ପଡ଼ିଛି।

ମଙ୍ଗଳବାର ଦିନ ବର୍ଷା ସହ ସମଗ୍ର କଶ୍ମୀର ଉପତ୍ୟକାରେ ପ୍ରବଳ ତୁଷାର ପଡୁଛି। ଏଥିପାଇଁ କ୍ରମାଗତ ଦ୍ୱିତୀୟ ଦିନ ସକାଶ ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥ ବନ୍ଦ ରହିଥିଲା।

ସମ୍ବନ୍ଧିତ ଖବର