ପାକ୍‌ର ଗୁଳିମାଡ଼ : ୩ ଯବାନ ସହିଦ, ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିହତ

ବିସ୍ଫୋରଣରେ ୬ ମୃତ

ଶ୍ରୀନଗର : ଜମ୍ମୁ କଶ୍ମୀର ରାଜୌରି ଜିଲ୍ଲା ସ୍ଥିତ ସୁନ୍ଦରବନୀ ଅଞ୍ଚଳର ନିୟନ୍ତ୍ରଣ ରେଖା (ଏଲ୍‌ଓସି) ନିକଟରେ ଆଜି ପାକ୍ ଅନୁପ୍ରବେଶକାରୀଙ୍କ ଗୁଳିମାଡ଼ରେ ଭାରତୀୟ ସେନାର ୩ ଜଣ ଯବାନ ସହିଦ ହୋଇଛନ୍ତି। ପାଲଟା ଆକ୍ରମଣରେ ଦୁଇ ଜଣ ଅନୁପ୍ରବେଶକାରୀ ପ୍ରାଣ ହରାଇଛନ୍ତି।

ସେନାବାହିନୀ ସୂତ୍ରରୁ ପ୍ରକାଶ ଯେ ଏଲ୍‌ଓସି ନିକଟରେ ଆଜି ପାକ୍‌ ଅନୁପ୍ରବେଶକାରୀ ଏବଂ ସେନା ଯବାନଙ୍କ ମଧ୍ୟରେ ଜୋରଦାର ଗୁଳିବିନିମୟ ହୋଇଥିଲା। ପାକ୍‌ ଅନୁପ୍ରବେଶକାରୀମାନେ ଭାରତୀୟ ସୀମା ମଧ୍ୟକୁ ପ୍ରବେଶ କରି ଭାରତୀୟ ସେନାର ପାଟ୍ରୋଲିଂ ଟିମ୍ ଉପରେ ଗୁଳିମାଡ଼ କରିଥିଲେ। ଫଳରେ ୩ ଜଣ ଯବାନ ସହିଦ ହୋଇଥିଲେ। ଅନ୍ୟ ଜଣେ ଯବାନ ଗୁରୁତର ଆହତ ହୋଇ ଆର୍ମି କମାଣ୍ଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

୩ ଜଣ ସହିଦ ଯବାନ ଜମ୍ମୁ କଶ୍ମୀରର ବୋଲି ଜଣାପଡ଼ିଛି। ସେମାନେ ହେଲେ ନୌସେରାର ହାବିଲଦାର କୌଶଳ କୁମାର, ଦୋଦାର ଲାନ୍ସ ନାଇକ ରଂଜିତ ସିଂହ ଏବଂ ପଲ୍ଲନୱାଲାର ରାଇଫଲମ୍ୟାନ୍‌ ରଜତ କୁମାର ବସନ।

ଅନୁପ୍ରବେଶକାରୀମାନେ ପାକିସ୍ତାନର ବ୍ୟାଟ୍‌ (ବର୍ଡର ଆକ୍ସନ୍‌ ଟିମ୍‌) ସଦସ୍ୟ ବୋଲି ଜଣାପଡ଼ିଛି। ଭାରତୀୟ ସୁରକ୍ଷାକର୍ମୀଙ୍କ ଗୁଳିରେ ମଧ୍ୟ ଦୁଇ ଜଣ ଅନୁପ୍ରବେଶକାରୀ ନିହତ ହୋଇଛନ୍ତି। ପ୍ରତିରକ୍ଷା ମୁଖପାତ୍ର ଲେଫ୍ଟନାଣ୍ଟ୍‌ କର୍ନେଲ୍‌ ଦେବେନ୍ଦ୍ର ଆନନ୍ଦଙ୍କ କହିବା ଅନୁଯାୟୀ ଆଜି ଦିନ ୧.୪୫ ମିନିଟ୍‌ରେ ସୁନ୍ଦରବନୀ ଅଞ୍ଚଳ ସ୍ଥିତ ଏଲ୍‌ଓସି ନିକଟରେ ଭାରତୀୟ‌ ସେନା ସଦସ୍ୟ ଏବଂ ପାକ୍‌ ଅନୁପ୍ରବେଶକାରୀଙ୍କ ମଧ୍ୟରେ ‌େଜାରଦାର ଗୁଳିକାଣ୍ଡ ହୋଇଥିଲା। ଭାରତୀୟ ସେନା ସଦସ୍ୟ ପାକ୍‌ ଅନୁପ୍ରବେଶକାରୀଙ୍କ ଠାରୁ ୨ଟି ଏକେ-୪୭ ବନ୍ଧୁକ ମଧ୍ୟ ଜବତ କରିଛନ୍ତି। ଗତ ସେପ୍ଟେମ୍ବର ୧୮ ତାରିଖରେ ମଧ୍ୟ ପାକିସ୍ତାନର ବ୍ୟାଟ୍‌ କାର୍ଯ୍ୟାନୁଷ୍ଠାନରେ ସାମ୍ବା ଜିଲ୍ଲାର ରାମଗଡ଼ ସେକ୍ଟରରେ ବିଏସଏଫ୍‌ ଯବାନ ନରେନ୍ଦ୍ର କୁମାର ସହିଦ ହୋଇଥି‌େଲ। ନରେନ୍ଦ୍ର କୁମାରଙ୍କୁ ଅପହରଣ ପରେ ତାଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଥିଲା ଏବଂ ତାଙ୍କ ଆଖି ତାଡ଼ି ଦିଆ ଯାଇଥିଲା।

ଆଉ ଏକ ଘଟଣା‌ରେ ଦକ୍ଷିଣ କଶ୍ମୀରର କୁଲଗାମ୍ ଜିଲ୍ଲାରେ ଆଜି ସୁରକ୍ଷାକର୍ମୀଙ୍କ ଏନ୍‌କା‌ଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଲାରୁ କୁଲଗାମ୍‌ ଅଞ୍ଚଳରେ ଆତଙ୍କବାଦୀଙ୍କ ଗତିବିଧି ସମ୍ପର୍କରେ ଖବର ପାଇ ସୁରକ୍ଷା ବାହିନୀ ପକ୍ଷରୁ ଆଜି ଉକ୍ତ ଅଞ୍ଚଳ‌େର ତଲାସୀ କରାଯାଇଥିଲା। ଏକ ଘର ମଧ୍ୟରେ ଆତଙ୍କବାଦୀମାନେ ଲୁଚିଥିବା ଜାଣିବା ପରେ ସୁରକ୍ଷାକର୍ମୀ ସେମାନଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ। ହେଲେ ସେମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ଏହାପରେ ସୁରକ୍ଷାବାହିନୀ ଜବାବ ଦେଇଥିଲା। ଫଳରେ ୩ ଆତଙ୍କବାଦୀ ନିହତ ‌ହୋଇଛନ୍ତି।

ଏ ହାପରେ ଏନ୍‌କାଉଣ୍ଟର ସ୍ଥଳରେ ଆଜି ବିସ୍ଫୋରଣ ହୋଇ ୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। କୁଲ୍‌ଗାମ ଡେପୁଟି କମିସନର ଶାମିମ୍‌ ଅହମ୍ମଦ ୱାନିଙ୍କ କହିବାନୁଯାୟୀ କିଛି ଲୋକ ଏନ୍‌କାଉଣ୍ଟର ପରେ ଉକ୍ତ ସ୍ଥାନକୁ ଯାଇଥିଲେ। ଏହି ସମୟରେ ହଠାତ୍‌ ବିସ୍ଫୋରଣ ଘଟିଥିଲା। ଏଥିରେ ୬ ଜଣଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର