କାଠମାଣ୍ଡୁ ବିମାନ ଦୁର୍ଘଟଣା: ବାଂଲାଦେଶର ଗୋଟିଏ ପରିବାରର ୩ଜଣଙ୍କର ମୃତ୍ୟୁ

କାଠମାଣ୍ଡୁ: କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସୋମବାର ଅପରାହ୍ନରେ ଘଟିଥିବା ବିମାନ ଦୁର୍ଘଟଣାରେ ବାଂଲାଦେଶର ଗୋଟିଏ ପରିବାରର ୩ଜଣଙ୍କର ମୃତ୍ୟୁ ଘଟିଥିବା ଜାଣିବାକୁ ମିଳିଛି। ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନରେ ଯାତ୍ରା କରୁଥିବା ବାଂଲାଦେଶର ଅହମ୍ମଦ ପିରେକ୍‌ (୩୨), ତାଙ୍କ ପତ୍ନୀ ଆଲାମୁନ୍‌ ନାହାର ଆନି (୨୫) ଓ ୩ ବର୍ଷ ବୟସ୍କ ଏକମାତ୍ର ଶିଶୁପୁତ୍ର ତମ୍ମର ପ୍ରିୟକଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି ବୋଲି ଢ଼ାକା ଠାରେ ପ୍ରକାଶ କରିଛନ୍ତି ବାଂଲାଦେଶର ବୈଦେଶିକ ବ୍ୟାପାର ମନ୍ତ୍ରୀ। ଏହି ବିମାନ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଅନ୍ୟ ଦୁଇ ବାଂଲାଦେଶୀ ନାଗରିକ ଏବେ କାଠମାଣ୍ଡୁରେ ଚିକିତ୍ସାଧୀନ ଥିବା ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ବାଂଲାଦେଶର ୟୁଏସ୍‌-ବାଂଲା ଏୟାରଲାଇନ୍‌ର ଏକ ବିମାନ ସୋମବାର ଅପରାହ୍ନରେ ନେପାଳ ରାଜଧାନୀ କାଠମାଣ୍ଡୁର ତ୍ରଭୁବନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କଲା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥଲା। ଏହି ବିମାନରେ ସର୍ବମୋଟ ୭୧ ଜଣ ବ୍ୟକ୍ତି ଥିଲେ। ଏମାନଙ୍କ ମଧ୍ୟରେ ୬୭ ଜଣ ଯାତ୍ରୀ ଥିବାବେଳେ ୪ ଜଣ ଥିଲେ ବିମାନ କର୍ମଚାରୀ। ଦୁର୍ଘଟଣାରେ ଏମାନଙ୍କ ମଧ୍ୟରୁ ୫୦ ଜଣଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣାଗ୍ରସ୍ତ ବିମାନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ମଧ୍ୟରୁ ୩୩ ଜଣ ନେପାଳୀ ଥିବାବେଳେ, ୩୨ ଜଣ ଥିଲେ ବାଂଲାଦେଶୀ ଏବଂ ଚୀନ୍‌ ଓ ମାଳଦ୍ୱୀପର ଜଣେ ଲେଖାଁଏ ନାଗରିକ ଥିଲେ।

ସମ୍ବନ୍ଧିତ ଖବର