ସହିଦଙ୍କ ମରଶରୀର ଆସୁଥିବା ବିମାନର ଯାତ୍ରୀ ୩୦ ସେକେଣ୍ଡ ନିରବ ପ୍ରାର୍ଥନା କରିବେ

ନୂଆଦିଲ୍ଲୀ: ସହିଦ ସୈନିକ ମରଶରୀରକୁୁ ନେଇ ଯାଉଥିବା ବିମାନର ଯାତ୍ରୀମାନଙ୍କୁ ସମ୍ମାନ ଓ ତାଙ୍କ ଆତ୍ମାରେ ସଦ୍‌ଗତି ପାଇଁ ୩୦ ସେକେଣ୍ଡ ମୌନ ରହିବାକୁ ପଡ଼ିବ। ପ୍ରତିରକ୍ଷା ବିଭାଗର ଆସିଥିବା ଏ ସମ୍ପର୍କିତ ଏକ ପ୍ରସ୍ତାବ ବେସାମରିକ ବିମାନ ଚଳାଚଳ ମହା ନିର୍ଦ୍ଦେଶକ ସମସ୍ତ ଏୟାରଲାଇନ୍ସ କର୍ତ୍ତପକ୍ଷଙ୍କୁ ପଠାଇବା ସହିତ ଏ ନେଇ ମନ୍ତବ୍ୟ ଦେବାକୁ ଚିଠି ଲେଖିଛନ୍ତି।ଏପରିକି ଏହି ପ୍ରସ୍ତାବ ଖୁବ୍‌ ଶୀଘ୍ର ଗ୍ରହଣ ହେଉଥିବା ନେଇ ମଧ୍ୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛିି।
ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସହିଦ ସୈନିକଙ୍କୁ ସମ୍ମାନ ଜଣାଇ ଯେଉଁ ବିମାନରେ ସହିଦଙ୍କ ମରଶରୀର ଯାଉଥିବ ଏହାର ଯାତ୍ରୀମାନେ ୩୦ ସେକେଣ୍ଡ ନିରବ ରହିବା ନେଇ ସୈନ୍ୟବାହିନୀ ପକ୍ଷରୁ ଏକ ପ୍ରସ୍ତାବ ଆସିଥିଲା। ଆମେ ଏ ପ୍ରସ୍ତାବ ସମସ୍ତ ଏୟାର ଲାଇନ୍ସକୁ ଫରଓ୍ଵାର୍ଡ କରି ଦେଇଛୁ।ତେବେ ଏ ସମ୍ପର୍କିତ ସମସ୍ତ ପଦକ୍ଷେପ ବୋର୍ଡ ମିଟିଂ ପରେ ଗ୍ରହଣ କରାଯିବ ବୋଲି ଅଧିକାରୀ ଜଣକ କହିଛନ୍ତି।

ବିମାନରେ ଆସୁଥିବ ଭାରତୀୟ ସହିଦ ସୈନିକଙ୍କ ମର ଶରୀର। ଏହି ବିମାନରେ ଥିବା କେବଳ ସୈନ୍ୟବାହିନୀର ସୈନିକମାନେ ନୁହଁନ୍ତି, ସମସ୍ତ ଯାତ୍ରୀ ବିମାନ ଭିତରେ ୩୦ ମିନିଟ ନିରବ ରହି ସହିଦ ସୈନିକଙ୍କ ଆତ୍ମାର ସଦ୍‌ଗତି ପାଇଁ ନିରବ ପ୍ରାର୍ଥନା କରିବେ। ଦେଶପାଇଁ ସର୍ବୋଚ୍ଚ ତ୍ୟାଗ କରିଥିବା ବୀର ସୈନିକଙ୍କ ସମ୍ମାନାର୍ଥେ ଭାରତର ସମସ୍ତ ଏୟାରଲାଇନ୍ସ ଏ ପ୍ରକାର ଏକ ଯୋଜନା କରୁଛନ୍ତି। ଏ ନେଇ ସୈନ୍ୟବିଭାଗ ପକ୍ଷରୁ ଆସିଥିବା ପ୍ରସ୍ତାବ ଏବେ ବିଚାରାଧୀନ ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ବିମାନ ଭିତରେ ଘୋଷଣା କରାଯିବ ଯେ,ଆମେ ଆମ ବିମାନରେ ଆଜି ଭାରତୀୟ ସୈନ୍ୟବାହିନୀର ସ୍ଥଳସେନା/ବାୟୁ ସେନା/ନୌସେନାର ଜଣେ ଅତ୍ୟନ୍ତ ବୀର ସୈନିକଙ୍କ ମରଶରୀରକୁ ନେଉଥିବାରୁ ଆମେ ଗର୍ବିତ।ତେଣୁ ଆମେ ଅନୁରୋଧ କରୁଛୁ ସେହି ଦିବଙ୍ଗତ ଆତ୍ମାର ସଦ୍‌ଗତି ପାଇଁ ବିମାନର ସମସ୍ତ ଯାତ୍ରୀ ୩୦ ସେକେଣ୍ଡ ନିରବ ରହି ପ୍ରାର୍ଥନା କରନ୍ତୁ। ତେବେ ଏହା ସମ୍ପୂର୍ଣ୍ଣ ଭାବେ ସ୍ଥିର ହୋଇ ନାହିଁ।ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ଯେ, ବିମାନ ଭିତରେ କଣ ଘୋଷଣା କରାଯିବ ସେହି ଘୋଷଣାପତ୍ର ଏବେ ଡ୍ରାଫ୍ଟ ସ୍ତରରେ ରହିଛି।
ଏ ସମ୍ପର୍କରେ ମନ୍ତବ୍ୟ ଦେଇ ଇଣ୍ଡିଗୋ ଓ ଏୟାର ଇଣ୍ଡିଆର ପୂର୍ବତନ ବରିଷ୍ଠ ଅଧିକାରୀ ଶକ୍ତି ଲୁମ୍ବା କହିଛନ୍ତି ଯେ ସହିଦ ମାନଙ୍କ ମରଶରୀର ଦୀର୍ଘ ଦିନ ଧରି ବିମାନ ଦ୍ୱାରା ପରିବହନ କରାଯାଉଛି।ଏହି ମରଶରୀର ପରିବହନରେ ସମ୍ପୃକ୍ତ ସମସ୍ତ କର୍ମଚାରୀ ସହିଦଙ୍କୁ ସମ୍ମାନ ଦେଇଥାନ୍ତି। ଯଦି ନିରବ ପ୍ରାର୍ଥନା ପରି ପ୍ରଅସ୍ତାବ ଆସୁଛି, ତେବେ ଏ ପ୍ରକାର ପ୍ରସ୍ତାବ ବେସାମରିକ ବିମାନ ଚଳାଚଳ ବିଭାଗ ଠାରୁ ନ ଆସି ସିଧାସଳଖ କେନ୍ଦ୍ର ସରକାରଙ୍କ ଠାରୁ ଆସିବା ଉଚିତ।
ସୂଚନାଯୋଗ୍ୟ ଯେ ବର୍ତ୍ତମାନ ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ସହିଦ ସୈନିକଙ୍କ ମରଶରୀର ନେଇ ଆସିଥିବା ବିମାନରେ ଏ ନେଇ କୌଣସି ଘୋଷଣା ହୋଇ ନ ଥାଏ।

ସମ୍ବନ୍ଧିତ ଖବର