ପ୍ରଥମ ଥର ବିଳମ୍ବରେ ପହଁଚିଲା ତେଜସ ଏକ୍ସପ୍ରେସ, ଯାତ୍ରୀଙ୍କୁ ମିଳିବ ଏତିକି ଟଙ୍କାର କ୍ଷତିପୂରଣ

ନୂଆଦିଲ୍ଲୀ: ଦିଲ୍ଲୀଠାରୁ ଲକ୍ଷ୍ନୌ ଯାଏଁ ଯାତ୍ରା କରୁଥିବା ତେଜସ ଏକ୍ସପ୍ରେସ ଶୁକ୍ରବାର ତିନିଘଣ୍ଟା ବିଳମ୍ବରେ ଲକ୍ଷ୍ନୌରେ ପହଞ୍ଚିଥିଲା | ଯାହାକୁ ନେଇ ଏବେ ଯାତ୍ରୀଙ୍କୁ କ୍ଷତିପୂରଣ ମିଳିବ | ମିଳିଥିବା ସୂଚନା ମୁତାବକ ଗୁରୁବାର ରାତିରେ କୃଷକ ଏକ୍ସପ୍ରେସର ଦୁଇଟି ବଗି ଲାଇନଚ୍ୟୁତ ହୋଇଯାଇଥିଲା |

photo–jansatta

ଯାହାଫଳରେ ଟ୍ରେନ ଯାତାୟତ ପ୍ରଭାବିତ ହୋଇଥିଲା | ତେଜସ ଏକ୍ସପ୍ରେସ ମଧ୍ୟ ଏହି ବାଟ ଦେଇ ଆସୁଥିବାବେଳେ ତିନିଘଣ୍ଟା ପାଇଁ ଅଟକି ରହିଥିଲା | ଏଥିପାଇଁ ପୂର୍ବ ଘୋଷଣା ମୁତାବକ ଯାତ୍ରୀଙ୍କୁ ଏବେ ତେଜସ ଏକ୍ସପ୍ରେସ ପକ୍ଷରୁ କ୍ଷତିପୂରଣ ଦିଆଯିବ | ଆଇସିଆରଟିସି ବୀମା କମ୍ପାନୀ ପକ୍ଷରୁ ତିନି ଘଣ୍ଟା ବିଳମ୍ବ ପାଇଁ ୩୦୦ ଟଙ୍କା ଲେଖାଏଁ କ୍ଷତିପୂରଣ ମିଳିବ |

ଏଠାରେ ସୂଚନା ଥାଉ କି ଅକ୍ଟୋବର ୪ ତାରିଖରୁ ଆରମ୍ଭ ହୋଇଛି ତେଜସ ଟ୍ରେନର ସେବା | ଭାରତର ପ୍ରଥମ ଘରୋଇ ଟ୍ରେନ ‘ତେଜସ ଏକ୍ସପ୍ରେସ’ ଦିଲ୍ଲୀଠାରୁ ଲକ୍ଷ୍ନୌ ଯାଏଁ ଚଳାଚଳ କରୁଛି । ନିୟମ ମୁତାବକ ଅର୍ଥାତ ଯଦି ଦିଲ୍ଲୀ ଓ ଲକ୍ଷ୍ନୌ ମଧ୍ୟରେ ୧ ଘଣ୍ଟା ଯାତ୍ରା ବିଳମ୍ବ ହୁଏ ତେବେ ଯାତ୍ରୀଙ୍କୁ ୧୦୦ ଟଙ୍କାର ଅର୍ଥ ଦିଆଯିବ ବୋଲି ଘୋଷଣା କରାଯାଇଥିଲା |

ସମ୍ବନ୍ଧିତ ଖବର