ଜଣେ ‘ସିରିଏଲ କିଲର୍‌’ର ସାଂଘାତିକ୍‌ ସତ୍ୟପାଠ: ପେସାରେ ଥିଲା ଦର୍ଜୀ କିନ୍ତୁ ବୃତ୍ତିରେ ହତ୍ୟାକାରୀ; ୮ ବର୍ଷରେ ୩୩ ହତ୍ୟା

ରାତାରାତି ଧନୀ ହେବାର ନିଶାରେ ଟାର୍ଗେଟ କରୁଥିଲା ମାଲବୋଝେଇ ଟ୍ରକର ଡ୍ରାଇଭରଙ୍କୁ

ଭୋପାଳ (ମଧ୍ୟପ୍ରଦେଶ): ମାତ୍ର ୮ ବର୍ଷର ବ୍ୟବଧାନ ମଧ୍ୟରେ ୩୩ଟି ହତ୍ୟାକାଣ୍ଡ ଘଟାଇଥିବା ଏକ ଜଘନ୍ୟ ଅପରାଧୀକୁ ମଧ୍ୟପ୍ରଦେଶ ପୁଲିସ୍‌ ଗିରଫ କରିବା ଘଟଣା ଏବେ ଦେଶ ବ୍ୟାପି ଚର୍ଚ୍ଚାର ବିଷୟ ପାଲଟିଛି। ତେବେ, ମଜାର ବିଷୟ ହେଉଛି ମଧ୍ୟପ୍ରଦେଶ ପୁଲିସ୍‌ ଗତ ସପ୍ତାହରେ ଯେତେବେଳେ ସଂପୃକ୍ତ ଅପରାଧୀକୁ ଭୋପାଳରୁ ଗିରଫ କଲା, ସେତେବେଳେ ପୁଲିସ୍‌ ଭାବିଥିଲା ଯେ ଏକ ଦର୍ଜୀରୁ ଅପରାଧୀ ପାଲଟିଥିବା ଏଇ ଲୋକଟି ଗୋଟିଏ ଛୋଟିଆ ମୋଟିଆ ଅପରାଧୀଟିଏ ହୋଇଥିବ ପରା!

କିନ୍ତୁ, ସଂପୃକ୍ତ ଅପରାଧୀ ଜଣକ ଜେରା କାଳରେ ପୁଲିସ୍‌ ସମ୍ମୁଖରେ ଯେତେବେଳେ ନିଜ ଅପରାଧର ପେଡ଼ି ଖୋଲିଲା ସେତେବେଳେ ପୁଲିସ୍‌ର ଆଖି ଟେରା ହୋଇଯିବା ସହ ହୋସ୍‌ ଉଡ଼ି ଯାଇଥିଲା। ଅପରାଧୀ ଜଣକ ଘଟାଇଥିବା ଅପରାଧର ତାଲିକା ଦେବାକୁ ଯାଇ ପୁଲିସ୍‌କୁ କହିଥିଲା ଯେ ସେ ଗତ ୮ ବର୍ଷ ମଧ୍ୟରେ କରିଛି ୩୩ଟି ହତ୍ୟା। ଖାଲି ଏତିକି ନୁହେଁ କୁଖ୍ୟାତ ଅପରାଧୀ ୪୮ ବର୍ଷ ବୟସ୍କ ଆଦେଶ ଖମ୍ବର କେବଳ ଜଣେ ସିରିଏଲ କିଲର୍‌ (ଧାରାବାହକ ହତ୍ୟାକାରୀ) ନୁହେଁ; ଏହାସହ ଜଣେ କଣ୍ଟ୍ରାକ୍ଟ କିଲର୍‌ (ଭଡ଼ାଟିଆ ହତ୍ୟାକାରୀ) ଏବଂ ଦେଶର ବିଭିନ୍ନ ରାଜ୍ୟରେ ଥିବା ଅଧ ଡଜନ୍‌ରୁ ଅଧିକ ଅନ୍ତଃରାଜ୍ୟ ଗ୍ୟାଙ୍ଗ ସହ ତା’ର ପ୍ରତ୍ୟକ୍ଷ ସଂପର୍କ ରହିଛି।

ପୁଲିସ୍‌ ଅଧିକାରୀ ରାହୁଲ କୁମାର ଲୋଧାଙ୍କ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ପୁଲିସ୍‌ ଭୋପାଳ ଅଞ୍ଚଳରୁ ଅଭିଯୁକ୍ତକୁ ଗତ ସପ୍ତାହରେ ଗିରଫ କରିଥିଲା। ଗତ ଅଗଷ୍ଟ ୧୨ ତାରିଖରେ ୫୦ ଟନ୍‌ ଲୁହା ରଡ୍‌ ନେଇ ମଧ୍ୟପ୍ରଦେଶର ମଣ୍ଡିଦୀପ୍‌ ଶିଳ୍ପାଞ୍ଚଳରୁ ଭୋପାଳ ଅଭିମୁଖେ ଆସୁଥିବା ଏକ ଟ୍ରକ ହଠାତ୍‌ ମଝି ବାଟରେ ନିଖୋଜ ହୋଇ ଯାଇଥିଲା। ଏ ଘଟଣା ସଂପର୍କରେ ଯେତେବେଳେ ପୁଲିସ୍‌ରେ ଅଭିଯୋଗ ହେଲା, ସେତେବେଳେ ପୁଲିସ୍‌ ଘଟଣାର ତଦନ୍ତ କରି ବିଲ୍‌ଖିରିୟା ଅଞ୍ଚଳରୁ ସଂପୃକ୍ତ ଟ୍ରକ୍‌ ଡ୍ରାଇଭରର ମୃତ ଦେହକୁ ଉଦ୍ଧାର କରିବା ସହ ଅଗଷ୍ଟ ୧୫ ତାରିଖରେ ଅଯୋଧ୍ୟା ନଗର ଅଞ୍ଚଳରୁ ଖାଲି ଟ୍ରକକୁ ଜବତ କରିଥିଲା। ଏହାପରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରି ଏହି ଘଟଣାରେ ସଂପୃକ୍ତ ଥିବା ସନ୍ଦେହରେ ୭ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଥିଲା। ଏହି ୭ ଜଣଙ୍କ ମଧ୍ୟରେ ଥିଲା ଆଦେଶ ଖମ୍ବର। ପେଶାରେ ଜଣେ ଦର୍ଜୀ ଥିବା ଖମ୍ବରକୁ ପୁଲିସ୍‌ ମଣ୍ଡିଦୀପ୍‌ ଅଞ୍ଚଳରୁ ଗିରଫ କରିଥିଲା। ଗିରଫ ହୋଇଥିବା ଅଭିଯୁକ୍ତ ଖମ୍ବର ସେତେବେଳେ ଏକ ଦର୍ଜୀ ଦୋକାନରେ ବସି ସିଲାଇ ମେସିନ୍‌ ଚଲାଉଥିଲା।

ପରେ ପୁଲିସ୍‌ ଯେତେବେଳେ ଖମ୍ବରକୁ ଜେରା ଆରମ୍ଭ କରିଥିଲା, ସେତେବେଳେ ସେ ପୁଲିସ୍‌ ସମ୍ମୁଖରେ ଖୋଲିଥିଲା ତା’ ଅପରାଧର ପେଡ଼ି। ଧନୀ ନିଶାରେ ସେ ଥିଲା ମସଗୁଲ୍‌। ଏଥିପାଇଁ ସେ ଟାର୍ଗେଟ କରୁଥିଲା ମାଲବୋଝେଇ ଟ୍ରକ୍‌ ସବୁକୁ। ଢ଼ାବାରେ ଖାଇବା ବେଳେ ସେ ଦୋସ୍ତି ଜମଉ ଥିଲା ଟ୍ରକ୍‌ ଡ୍ରାଇଭରମାନଙ୍କ ସହ। ପରେ ସେମାନଙ୍କ ଖାଦ୍ୟରେ ମିଶାଇ ଦେଉଥିଲା ନିଶା। ଖାଇ ସାରିବା ପରେ ସେମାନେ ଯେତେବେଳେ ଯିବାକୁ ବାହାରୁଥିଲେ, ସେମାନଙ୍କ ସହ ସେ ମଧ୍ୟ ଉଠୁଥିଲା ଟ୍ରକରେ। ନିଶା ପ୍ରକୋପରେ ଟ୍ରକ ଡ୍ରାଇଭର ଓ ହେଲପରମାନେ ଯେତେବେଳେ ଚେତାଶୂନ୍ୟ ହୋଇ ପଡ଼ୁଥିଲେ ସେତେବେଳେ ସେ ସେମାନଙ୍କୁ ହତ୍ୟାକରି ସେମାନଙ୍କ ମୃତଦେହ ସବୁକୁ ଜଙ୍ଗଲ ମଝିରେ ଫିଙ୍ଗି ଦେବା ସହ ଟ୍ରକରେ ଥିବା ମାଲ୍‌ ସବୁକୁ ଲୁଟ୍‌ କରି ତା’ର ଅନ୍ତଃରାଜ୍ୟ ସହଯୋଗୀମାନଙ୍କ ଜରିଆରେ ବିକ୍ରି କରି ଦେଉଥିଲା ବିଭିନ୍ନ ରାଜ୍ୟରେ। ପରେ, ଖାଲି ଟ୍ରକକୁ ଏକ ନିକାଞ୍ଚନ ସ୍ଥାନରେ ଛାଡ଼ିଦେଇ କିଛି ଦିନ ପାଇଁ ଫେରାର ହୋଇ ଯାଉଥିଲା ଓ ପରେ ପୁଣି ଆସି ଜୁଟି ଯାଉଥିଲା ନିଜ ଦର୍ଜୀ କାମରେ।

ଖମ୍ବର ଠାରୁ ତଥ୍ୟ ଆଦାୟ ପରେ ମଧ୍ୟପ୍ରଦେଶ ପୁଲିସ୍‌ ଏବେ ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶର ବିଭିନ୍ନ ଅଞ୍ଚଳକୁ ପଠାଇବା ସହ ତା’ର ଅନ୍ୟ ସହଯୋଗୀମାନଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର