ସିଆରପିଏଫରେ କରୋନା ଆକ୍ରାନ୍ତ ସଂଖ୍ୟା ୩୩୫କୁ ବୃଦ୍ଧି, ୨ ମୃତ

ନୂଆଦିଲ୍ଲୀ : କେନ୍ଦ୍ରୀୟ ବାହିନୀ ଗୁଡ଼ିକରେ ବଢିଚାଲିଥିବା କରୋନା ସଂକ୍ରମଣ ସରକାରଙ୍କୁ ଚିନ୍ତାରେ ପକାଇଦେଇଛି । ସିଆରପିଏଫରେ ଆଜି ଆଉ ଗୋଟିଏ ମୃତ୍ୟୁ ଓ ୯ଟି ସଂକ୍ରମଣ ମାମଲା ଜଣାପଡ଼ିଛି । ଏହା ଫଳରେ ସିଆରପିଏଫରେ ମୋଟ ସଂକ୍ରମିତ ସଂଖ୍ୟା ୩୩୫ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୨ରେ ପହଞ୍ଚିଛି । ଏବେ ୧୨୧ ଜଣ ଯବାନ ଚିକିତ୍ସାଧୀନ ଅଛନ୍ତି ବୋଲି ସିଆରପିଏଫ ପକ୍ଷରୁ କୁହାଯାଇଛି ।

ଅନ୍ୟପକ୍ଷରେ କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ ବା ସିଆଇଏସଏଫରେ ମଧ୍ୟ କରୋନା ସଂକ୍ରମଣ ଚିନ୍ତାର କାରଣ ହୋଇଛି । ସିଆଇଏସଏଫରେ ଏପର୍ଯ୍ୟନ୍ତ ମୋଟ ୧୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସବୁ କେନ୍ଦ୍ରୀୟ ବାହିନୀ ଗୁଡ଼ିକରେ ବଢିଚାଲିଥିବା କରୋନା ସଂକ୍ରମଣ ସରକାରଙ୍କୁ ଚିନ୍ତାରେ ପକାଇଦେଇଛି । ଗୃହମନ୍ତ୍ରୀ ଅମିତ ଶାହା ସ୍ଥିତିର ସମୀକ୍ଷା କରୁଛନ୍ତି ।

ତେବେ ସୀମା ସୁରକ୍ଷା ବଳ ବା ବିଏସଏଫରେ କରୋନା ସଂକ୍ରମଣ ସ୍ଥିତିରେ ଉନ୍ନତି ଆସିଛି । ଗତ ୨୪ ଘଣ୍ଟା ମଧ୍ୟରେ ବିଏସଏଫରେ ଗୋଟିଏ ମଧ୍ୟ ନୂଆ ମାମଲା ଜଣାପଡ଼ିନାହିଁ । ଏହା ସହିତ ୨୫ ଜଣ କରୋନା ଆକ୍ରାନ୍ତ ଯବାନ ଆରୋଗ୍ୟ ଲାଭ କରିଛନ୍ତି । ପୂର୍ବରୁ ବିଏସଏଫର ମୋଟ ୨୪୯ ଜଣ ଆକ୍ରାନ୍ତ ଯବାନ ସୁସ୍ଥ ହୋଇ ହସପିଟାଲରୁ ଛାଡ଼ ପାଇଛନ୍ତି । ଏହା ଫଳରେ ବିଏସଏଫରେ ଏପର୍ଯ୍ୟନ୍ତ ମୋଟ ୨୭୪ ଜଣ ସୁସ୍ଥ ହେଲେଣି । ବିଏସଏଫରେ ଏବେ ଆଉ ୮୭ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ।

ସମ୍ବନ୍ଧିତ ଖବର