ବେଙ୍ଗାଲୁରୁ: କର୍ଣ୍ଣାଟକର ଜେଡିଏସ୍-କଂଗ୍ରେସ ମେଣ୍ଟ ସରକାର ଗୁରୁବାର ୨୦୧୮-୧୯ ଆର୍ଥିକବର୍ଷ ନିମନ୍ତେ ନିଜର ପ୍ରଥମ ବଜେଟ୍ ଉପସ୍ଥାପନ କରିଛି। ମୁଖ୍ୟମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀ ବିଧାନ ସଭାରେ ବଜେଟ୍ ଆଗତ କରି ଚାଷୀମାନଙ୍କ ଋଣ ଛାଡ଼ ପାଇଁ ଘୋଷଣା କରିଛନ୍ତି। ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷିଋଣ ଛାଡ଼ କରାଯିବ ବୋଲି ସେ ଘୋଷଣା କରିଛନ୍ତି। ଏହାଦ୍ୱାରା ରାଜ୍ୟ ରାଜକୋଷ ଉପରେ ୩୪,୦୦୦ କୋଟି ଟଙ୍କାର ବୋଝ ପଡ଼ିବ ବୋଲି ଆକଳନ କରାଯାଉଛି। ଅନ୍ୟପକ୍ଷରେ ଯେଉଁମାନେ ନିର୍ଦ୍ଧାରିତ ସମୟରେ ସେମାନଙ୍କ ଋଣ ପରିଶୋଧ କରିଛନ୍ତି, ସେମାନଙ୍କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ପରିଶୋଧ ହୋଇଥିବା ଋଣ ଅଥବା ୨୫,୦୦୦ ଟଙ୍କା (ଯେଉଁଟି କମ୍ ହେବ) ପୁନଃ ଋଣ ଆକାରରେ ଦେବା ଲାଗି ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ କୃଷି ଋଣ ଛାଡ଼ ଜନିତ ବ୍ୟୟକୁ ଭରଣା କରିବା ସକାଶେ ବଜେଟ୍ରେ ସରକାର ତୈଳ, ବିଜୁଳି ଓ ନିଶାଦ୍ରବ୍ୟରୁ ଅତିରିକ୍ତ ରାଜସ୍ୱ ଆୟ କରିବା ଲାଗି କିଛି ପଦକ୍ଷେପ ନେଇଛନ୍ତି। ଫଳରେ ପେଟ୍ରୋଲ ଉପରେ ଶୁଳ୍କ ପରିମାଣ ୩୦%ରୁ ୩୨%କୁ ବଢ଼ିଥିବା ବେଳେ ଡିଜେଲ କ୍ଷେତ୍ରରେ ଏହା ୧୯%ରୁ ୨୧%କୁ ବୃଦ୍ଧି ପାଇଛି। ଏହାଦ୍ୱାରା ପେଟ୍ରୋଲ ଲିଟର ପିଛା ୧.୧୪ ଟଙ୍କା ମହଙ୍ଗା ହୋଇଥିବା ବେଳେ ଡିଜେଲ ଦର ଲିଟର ପିଛା ୧.୧୨ ଟଙ୍କା ବୃଦ୍ଧି ପାଇଛି। ମାଦକ ଦ୍ରବ୍ୟ ଉପରେ ଟିକସ ପରିମାଣ ୪% ବୃଦ୍ଧି ପାଇଛି। ସେହିଭଳି ବିଜୁଳି ବ୍ୟବହାର ଉପରେ ଟିକସ ପରିମାଣ ୬%ରୁ ୯%କୁ ବୃଦ୍ଧି ପାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଋଣ ଛାଡ଼ ସଂକ୍ରାନ୍ତରେ କୁମାରସ୍ୱାମୀ କହିଛନ୍ତି, ୨୦୧୭ ଡିସେମ୍ବର ୩୧ ପର୍ଯ୍ୟନ୍ତ ଖିଲାପ ହୋଇଥିବା କୃଷି ଋଣକୁ ଛାଡ଼ କରିବାକୁ ତାଙ୍କ ସରକାର ନିଷ୍ପତ୍ତି ନେଇଛି। ସେହିଭଳି ଯେଉଁମାନେ ଠିକ୍ ସମୟରେ ଋଣ ପରିଶୋଧ କରିଛନ୍ତି, ସେମାନଙ୍କୁ ମଧ୍ୟ ନିରାଶ ହେବାକୁ ଦିଆଯିବ ନାହିଁ। ସେମାନଙ୍କୁ ମଧ୍ୟ ପ୍ରୋତ୍ସାହନ ମିଳିବ। ତେବେ ମୋଟା ଅଙ୍କର କୃଷି ଛାଡ଼ କରିବାକୁ ସରକାରଙ୍କ ନିକଟରେ ସମ୍ବଳ ନାହିଁ। ତେଣୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣକୁ ମାଫ୍ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ଏହାଦ୍ୱାରା ବି ରାଜକୋଷ ଉପରେ ୩୪,୦୦୦ କୋଟି ଟଙ୍କାର ବୋଝ ପଡ଼ିବ। ଅନ୍ୟପକ୍ଷରେ ଚାଷୀମାନଙ୍କୁ ସାନି ଋଣ ପ୍ରଦାନ ପରିପ୍ରେକ୍ଷୀରେ ରାଜ୍ୟ ସରକାର ଏକ ସ୍କିମ୍ ରଖିଛନ୍ତି।