ଉଦ୍ଧବ ସରକାରରେ ୩୬ ନୂଆ ମନ୍ତ୍ରୀ ଅଜିତ ଉପମୁଖ୍ୟମନ୍ତ୍ରୀ, ଆଦିତ୍ୟ ମନ୍ତ୍ରୀ

ମୁମ୍ବାଇ : ଉଦ୍ଧବ ଠାକ୍‌ରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ୩୨ ଦିନ ପରେ ଆଜି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି। ମନ୍ତ୍ରିମଣ୍ଡଳରେ ଆଜି ସମୁଦାୟ ୩୬ ଜଣ ମନ୍ତ୍ରୀ ସାମିଲ ହୋଇଛନ୍ତି। ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଏନ୍‌ସିପି ନେତା ଅଜିତ ପାୱାର ପୁଣିଥରେ ଉପୁମଖ୍ୟମନ୍ତ୍ରୀ ହୋଇଛନ୍ତି। ଉଦ୍ଧବଙ୍କ ପୁଅ ତଥା ଶିବସେନା ନେତା ଆଦିତ୍ୟ ଠାକ୍‌‌ରେଙ୍କୁ ମିଳିଛି କ୍ୟାବିନେଟ୍‌ ମନ୍ତ୍ରୀ ପଦ। ଠାକ୍‌ରେ ପରିବାରରୁ ପ୍ରଥମ ସଦସ୍ୟ ଭାବେ ଆଦିତ୍ୟ ରାଜ୍ୟ କ୍ୟାବିନେଟ୍‌ ମନ୍ତ୍ରୀ ହୋଇଛନ୍ତି। ମହାରାଷ୍ଟ୍ରରେ ମଧ୍ୟ ପ୍ରଥମ ଥର ପାଇଁ ବାପା ଏବଂ ପୁଅ ୨ ଜଣ ଏକ ସମୟରେ ରାଜ୍ୟ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ନେତା ଅଶୋକ ଚଭନ ଉଦ୍ଧବଙ୍କ ନେତୃତ୍ବାଧୀନ ମହାରାଷ୍ଟ୍ର ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମହାରାଷ୍ଟ୍ର ରାଜ୍ୟପାଳ ବିଏସ୍‌ କୋଶୟାରୀ ଅଜିତ ପାୱାରଙ୍କ ବାଦ୍‌ ୨୫ ଜଣ ବିଧାୟକଙ୍କୁ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ପାଠ କରାଇଛନ୍ତି ଏବଂ ୧୦ ଜଣଙ୍କୁ ରାଷ୍ଟ୍ର ମନ୍ତ୍ରୀ ଭାବେ ଶପଥ ପାଠ କରାଇଛନ୍ତି। ଏନ୍‌ସିପିରୁ ୧୪ ଜଣ, କଂଗ୍ରେସରୁ ୧୦ ଜଣ ଏବଂ ଶିବସେନାରୁ ୧୨ ଜଣ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଆଜିର ସମ୍ପ୍ରସାରଣ ପରେ ମହାରାଷ୍ଟ୍ର ରାଜ୍ୟ ମନ୍ତ୍ରାଳୟରେ ମନ୍ତ୍ରୀଙ୍କ ସଂଖ୍ୟା ୪୩କୁ ବୃଦ୍ଧି ପାଇଲା।

ଶପଥ ନେଇଥିବା ୩୬ ମନ୍ତ୍ରୀଙ୍କ ମଧ୍ୟରୁ ଏନ୍‌ସିପିର ୧୦ କ୍ୟାବିନେଟ୍‌ ଏବଂ ୪ ରାଷ୍ଟ୍ରମନ୍ତ୍ରୀ, ଶିବସେନାରୁ ୮ କ୍ୟାବିନେଟ୍‌ ଏବଂ ୪ ରାଷ୍ଟ୍ରମନ୍ତ୍ରୀ, କଂଗ୍ରେସରୁ ୮ କ୍ୟାବିନେଟ୍‌ ଏବଂ ୨ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି। ଶଙ୍କରରାଓ ଗଡ଼ଖ (କ୍ରାନ୍ତିକାରୀ ଶେତକରୀ ପକ୍ଷ)କ୍ୟାବିନେଟ୍‌, ରାଜେନ୍ଦ୍ର ପାଟିଲ ଯେଦ୍ରାବକର (ସ୍ବାଧୀନ) ଏବଂ ବଚ୍ଚୁ କାଡ୍ଡୁ (ପ୍ରହାର ଜନଶକ୍ତି ପାର୍ଟି) ରାଷ୍ଟ୍ରମନ୍ତ୍ରୀ ଭ‌ାବେ ଶପଥ ନେଇଛନ୍ତି। ଅଜିତ ପାୱାର ଅଳ୍ପ ଦିନ ମଧ୍ୟରେ ଆଜି ଦ୍ବିତୀୟ ଥର ପାଇଁ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ଶିବସେନାର ୫୬ ବିଧାୟକ ଥିବାବେଳେ ଏନ୍‌ସିପିର ୫୪ ଏବଂ କଂଗ୍ରେସର ୪୪ ଜଣ ବିଧାୟକ ଅଛନ୍ତି। ଉଲ୍ଲେଖଯୋଗ୍ୟ ଗତ ନଭେମ୍ବର ୨୮ରେ ମହାରାଷ୍ଟ୍ର ସରକାର ଗଠନ ହୋଇଥିଲା। ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଉଦ୍ଧବଙ୍କ ସହ କଂଗ୍ରେସର ବାଲାସାହେବ ଥୋରାଟ, ନୀତିନ ରାଉତ, ଶିବସେନାର ଏକନାଥ ସିନ୍ଦେ, ସୁଭାଷ ଦେଶାଇ ଏବଂ ଏନ୍‌ସିପିର ଜୟନ୍ତ ପାଟିଲ୍‌ ଏବଂ ଛଗନ ଭୁଜବଳ ଶପଥ ନେଇଥିଲେ।

ସମ୍ବନ୍ଧିତ ଖବର