ସାଇବେରିଆ ସପିଙ୍ଗ୍‌ ମଲ୍‌ ଅଗ୍ନିକାଣ୍ଡ: ୩୭ ମୃତ; ଅନେକ ନିଖୋଜ

ମସ୍କୋ: ପଶ୍ଚିମ ସାଇବେରିଆର ଏକ ବ୍ୟସ୍ତ ବହୁଳ ଶିଳ୍ପ ନଗରୀ ଠାରେ ଗୋଟିଏ ସପିଙ୍ଗ୍‌ ମଲ୍‌ରେ ନିଅାଁ ଲାଗିଯିବାରୁ ଅନ୍ୟୂନ ୩୭ ଜଣ ଲୋକଙ୍କର ମୃତ୍ୟୁ ହେବା ସହ ପିଲାମାନଙ୍କ ସମେତ ଅନେକ ନିଖୋଜ ହୋଇ ଯାଇଛନ୍ତି।

ରୁଷିଆର ଇନ୍‌ଭେଷ୍ଟିଗେଟିଭ୍‌ କମିଟି କହିଛି ଯେ ଟାସ୍‌ ଖବର ସରବରାହ ସଂସ୍ଥା ମତରେ, କେମେରୋଭୋ ସପିଙ୍ଗ୍‌ ସେଣ୍ଟର୍‌ରେ ଏ ପର୍ଯ୍ୟନ୍ତ ୩୭ ଜଣ ଲୋକଙ୍କର ମୃତ୍ୟୁ ହୋଇଛି ବୋଲି ଆମେ ନିଶ୍ଚିତ କରି କହୁଛୁ।

କେମେରୋଭୋ ସହରରେ ଥିବା ଓ୍ଵିଣ୍ଟର୍‌ ଚେରି ସପିଙ୍ଗ୍‌ ସେଣ୍ଟର୍‌ରୁ ବହଳ କଳା ଧୂଅାଁ ଉଠୁଥିବାର ଛବି ରୁଷୀୟ ଟେଲିଭିଜନ୍‌ରେ ଦେଖା ଯାଉଛି। ରବିବାର ଅପରାହ୍ଣରେ ଏହି ସପିଙ୍ଗ୍‌ ସେଣ୍ଟର୍‌ରେ ଥିବା ଗୋଟାଏ ସୋନା ବାଥ୍‌, ଗୋଟିଏ ମଲ୍ଟିପ୍ଲେକ୍ସ୍‍ ସିନେମା ଏବଂ ଗୋଟିଏ ବୋଲିଙ୍ଗ୍‌ ଖେଳ ଆଲିରେ ପ୍ରବଳ ଜନଗହଳି ହୋଇଥିଲା।

ଜଣେ ପିଲା ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ୩୦ ଜଣ ଆହତ ଲୋକଙ୍କୁ ଡାକ୍ତରଖାନା ନିଆଯାଇଛି ବୋଲି ତଦନ୍ତକାରୀମାନେ ପ୍ରଥମେ ଖବର ଦେଇଥିଲେ।

ନୂଆ ମୃତ୍ୟୁସଂଖ୍ୟା ଘୋଷଣା କରାଯିବା ପରେ ଏକ ଉଦ୍ଧାରକାରୀ ଦଳ ସୂତ୍ରରୁ ଜଣାପଡ଼ିଛି ଯେ ୪୦ ଜଣ ପିଲାଙ୍କ ସହ ୬୯ ଜଣ ନିଖୋଜ ହୋଇଛନ୍ତି।

ପ୍ରାଥମିକ ଅନୁସନ୍ଧାନ କହେ ଭାରତୀୟ ସମୟ ରାତି ପ୍ରାୟ ସାଢ଼େ ଦୁଇଟାବେଳେ ସେଠାକାର ଗୋଟାଏ ସିନେମା ହଲ୍‌ରେ ପ୍ରଥମେ ନିଅାଁ ଲାଗି ସପିଙ୍ଗ୍‌ ସେଣ୍ଟର୍‌ର ୧୦୦୦ ବର୍ଗ କିଲୋମିଟର୍‌ ନଷ୍ଟ କରି ପକାଇଛି। ସିନେମା ହଲ୍‌ରେ ଥିବା ଦୁଇଟି ପ୍ରେକ୍ଷାଳୟର ଛାତ ଭାଙ୍ଗି ପଡ଼ିଛି। ଜ୍ୱଳନ୍ତ ସପିଙ୍ଗ୍‌ ସେଣ୍ଟର୍‌ରୁ ପ୍ରାୟ ୧୨୦ ଜଣ ଲୋକଙ୍କୁ ବାହାରକୁ ଅଣାଯାଇଛି ବୋଲି ଜଣେ ଉଦ୍ଧାରକାରୀ କହନ୍ତି।

ସେଠାରେ ସମୁଦାୟ କେତେ ଲୋକଙ୍କ ସମାଗମ ହୋଇଥିଲା ତାହା ଜଣାପଡ଼ି ନାହିଁ।

ନିଅାଁ ଲିଭାଇବାକୁ ପ୍ରାୟ ୩୦୦ ଅଗ୍ନିଶମ କର୍ମଚାରୀ ନିୟୋଜିତ ହୋଇଛନ୍ତି। ରୁଷ୍‌ର ଜରୁରୀକାଳୀନ ସେବା ମନ୍ତ୍ରୀ ଭ୍ଲାଦିମିର ପୁତ୍‌ଚ୍‌କୋଭ୍‌ କେମେରୋଭୋକୁ ଯାଇଥିବା କଥା ରିଆ ନୋଭୋସ୍ତି କହିଛି।

ସମ୍ବନ୍ଧିତ ଖବର