ଡାଇମଣ୍ଡ ପ୍ରିନସେସ ଜାହାଜରେ ଥିବା ଆଉ ଜଣେ ଭାରତୀୟ କରୋନା ଭାଇରସ ସଂକ୍ରମିତ, ମୋଟ ସଂଖ୍ୟା ୩ରେ ପହଞ୍ଚିଲା

ନୂଆଦିଲ୍ଲୀ : ଜାପାନର ୟାକାହାମା ଉପକୂଳରେ ଅଟକି ରହିଥିବା କ୍ରୁଜ ଜାହାଜ ଡାଇମଣ୍ଡ ପ୍ରିନସେସରେ ଥିବା ଆଉ ଜଣେ ଭାରତୀୟଙ୍କ ଶରୀରରେ କରୋନା ଭାଇରସ ଚିହ୍ନଟ ହୋଇଛି । ଏହାକୁ ମିଶାଇ ଜାହାଜରେ ଥିବା ମୋଟ ୩ ଜଣ ଭାରତୀୟଙ୍କଠାରେ ଏହା ଚିହ୍ନଟ ହୋଇଛି । ଏ ସଂପର୍କରେ ଆଜି ଟୋକିଓରେ ଥିବା ଭାରତୀୟ ଦୂତାବାସପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହି ସଂକ୍ରମିତ ବ୍ୟକ୍ତି ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ପ୍ରାୟ ୧୧ ଦିନ ପୂର୍ବେ ଏହି ବିଳାସମୟ ଜାହାଜଟି ଜାପାନର ୟାକାହାମା ଉପକୂଳରେ ଲାଗିଥିଲା । କରୋନା ଭାଇରସ ସଂକ୍ରମଣ କାରଣରୁ ଏହି ଜାହାଜକୁ ଜାପାନ ସରକାର ପର୍ଯ୍ୟବେକ୍ଷଣରେ ରଖିଛନ୍ତି ଓ ଯାତ୍ରୀମାନଙ୍କୁ ଓହ୍ଲାଇବାକୁ ଦେଉନାହାନ୍ତି । ଏଥିରେ ଯାତ୍ରା କରି ହଂକଂରେ ଓହ୍ଲାଇଯାଇଥିବା ଜଣେ ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଅନ୍ୟ ଯାତ୍ରୀମାନଙ୍କ ଶରୀରକୁ ସଂକ୍ରମଣ ବ୍ୟାପିଥିବା ସଂଦେହ କରାଯାଉଛି ।
ଏହି ଜାହାଜରେ ଫସି ରହିଥିବା ମୋଟ ୩୭୧୧ ଲୋକଙ୍କ ମଧ୍ୟରୁ ୨୧୮ ଜଣ କରୋନା ଭାଇରସ ଦ୍ୱାରା ସଂକ୍ରମିତ ବୋଲି ରକ୍ତ ନମୁନା ପରୀକ୍ଷାରୁ ଜଣାପଡ଼ିଛି । ଏହି ଜାହାଜରେ ମୋଟ ୧୩୮ ଜଣ ଭାରତୀୟ ଥିବା ଜଣାଯାଇଛି । ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀ ଡଃ.ହର୍ଷବର୍ଦ୍ଧନ କହିଥିଲେ ଯେ ଏହି ଭାରତୀୟ ମାନଙ୍କୁ ତୁରନ୍ତ ବାହାର କରିହେବ ନାହିଁ । ଜାପାନ ସରକାରଙ୍କ ନିୟମ ଅନୁସାରେ ସେମାନଙ୍କୁ ଅଲଗା ରଖାଯାଇ ଚିକିତ୍ସା କରାଯାଉଛି । କିନ୍ତୁ ଅନ୍ୟ ମାନଙ୍କୁ ଯେପରି କରୋନା ଭାଇରସ ନ ବ୍ୟାପେ ସେଥିଲାଗି ସେମାନଙ୍କୁ ଅଲଗା ରଖାଯାଇଛି ।

ସମ୍ବନ୍ଧିତ ଖବର