ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ମାମଲା : ୪ ବଳାତ୍କାରୀଙ୍କୁ ଏନ୍‌କାଉଣ୍ଟର

ତଦନ୍ତ ପାଇଁ ଘଟଣାସ୍ଥଳକୁ ନେଇଥିଲା ପୁଲିସ
ପୁଲିସର ବନ୍ଧୁକ ଛଡ଼ାଇ ଖସି ପଳାଉଥିଲେ
ଅଭିଯୁକ୍ତଙ୍କ ଆକ୍ରମଣରେ ୨ ପୁଲିସ କର୍ମୀ ଆହତ
ତଦନ୍ତ କରିବେ ଜାତୀୟ ମାନବାଧିକାର କମିସନ

ହାଇଦ୍ରାବାଦ : ହାଇଦ୍ରାବାଦର ସାଦ୍‌ନଗରରେ ପ୍ରାଣୀ ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ନିଆଁରେ ପୋଡ଼ି ନିର୍ମମ ହତ୍ୟା ଘଟଣା ଆଜି ଚାଞ୍ଚଲ୍ୟକର ମୋଡ଼ ନେଇଛି। ଘଟଣାର ୧୦ ଦିନ ପରେ ସମସ୍ତ ୪ ଅଭିଯୁକ୍ତିଙ୍କୁ ଆଜି ସକାଳେ ପୁଲିସ ତଦନ୍ତ ପାଇଁ ଘଟଣାସ୍ଥଳକୁ ନେଇଥିବାବେଳେ ଏନ୍‌କାଉଣ୍ଟରରେ ନିପାତ କରିଛି। ଅଭିଯୁକ୍ତଙ୍କ ଆକ୍ରମଣରେ ୨ ଜଣ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ଏହି ଏନକାଉଣ୍ଟରକୁ ନେଇ ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଛି। ତେଲେଙ୍ଗାନା ସମେତ ଦେଶର କୋଣ ଅନୁକୋଣରେ ବହୁ ସଂଖ୍ୟକ ଲୋକ ପୁଲିସର ଏନ୍‌କାଉଣ୍ଟରକୁ ସମର୍ଥନ କରି ଉତ୍ସବ ପାଳନ କରିଥିବାବେଳେ କିଛି ଲୋକ ପୁଲିସର ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି।

ଆଜି ସକାଳ ୫ଟା ୪୫ରୁ ୬ଟା ୧୫ ମଧ୍ୟରେ ଏନ୍‌କାଉଣ୍ଟର ହୋଇଥିବା ହାଇଦ୍ରାବାଦ ପୁଲିସ କମିସନର ଭି. ସି. ସଜ୍ଜନାର କହିଛନ୍ତି। ସମସ୍ତ ୪ ଅଭିଯୁକ୍ତ ଏନ୍‌କାଉଣ୍ଟରେ ନିପାତ ହୋଇଥିବା ସଂପର୍କରେ ସୂଚନା ଦେଇ କମିସନର କହିଛନ୍ତି ଯେ ଘଟଣାସ୍ଥଳରେ ଅପରାଧର ପୁଙ୍ଖାନୁପୁଙ୍ଖ ତଦନ୍ତ ତଥା ଅପରାଧ ଘଟଣାକ୍ରମର ପୁନଃସୃଷ୍ଟି ନିମନ୍ତେ ସମସ୍ତ ୪ ଅଭିଯୁକ୍ତଙ୍କୁ ପ୍ରାଣୀ ଡାକ୍ତରଙ୍କ ଶବ ମିଳିଥିବା ସାଦ୍‌ନଗର ଫ୍ଲାଏଓଭର୍‌ ତଳକୁ ନିଆଯାଇଥିଲା। ମାତ୍ର ସେମାନେ ପୁଲିସଠାରୁ ବନ୍ଧୁକ ଛଡ଼ାଇ ଫେରାର୍‌ ହୋଇଯିବାକୁ ଉଦ୍ୟମ କରିବାରୁ ପୁଲିସ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲା। ଆଉ ଏନ୍‌କାଉଣ୍ଟରରେ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ମହମ୍ମଦ ଆରିଫ୍‌, ନବୀନ, ଶିବା ଏବଂ ଚେନ୍ନାକେଶବୁଲର ମୃତ୍ୟୁ ହୋଇ ଯାଇଥିଲା।

ସୂଚନାଯୋଗ୍ୟ ଗତ ନଭେମ୍ବର ୨୭ ତାରିଖ ଦିନ ୨୬ ବର୍ଷୀୟା ପ୍ରାଣୀ ଡାକ୍ତରଙ୍କୁ ଏହି ୪ ଅଭିଯୁକ୍ତ ଅପହରଣ କରି ବଳପୂର୍ବକ ମଦ୍ୟପାନ କରାଇଥିଲେ ଏବଂ ଦୁଷ୍କର୍ମ ପରେ ହତ୍ୟା କରିଥିଲେ। ପ୍ରମାଣ ନଷ୍ଟ କରିବାକୁ ସେମାନେ ଏକ ଫାଏଓଭର ତଳେ ପୀଡ଼ିତାଙ୍କୁ ପେଟ୍ରୋଲ ପକାଇ ଜାଳି ଦେଇଥିଲେ। ନଭେମ୍ବର ୨୯ ତାରିଖରେ ଗିରଫ ହୋଇଥିବା ଏହି ୪ ଅଭିଯୁକ୍ତଙ୍କୁ ପୁଲିସ ରିମାଣ୍ଡରେ ରଖି ପଚରାଉଚରା କରୁଥିଲା। ପୁଲିସର ତଦନ୍ତ ପ୍ରକ୍ରିୟା ଉପରେ ଦେଶବାସୀଙ୍କ ନଜର କେନ୍ଦ୍ରୀଭୂତ ହୋଇଥିବାବେଳେ ୪ ଅଭିଯୁକ୍ତଙ୍କୁ ଫାଶୀ ଦେବାକୁ ପ୍ରବଳ ଦାବି ହେଉଥିଲା। ଆଜି ଭୋର୍‌ ସମୟରେ ପୂର୍ବ ଯୋଜନା ମୁତାବକ ସେମାନଙ୍କୁ ପ୍ରାଣୀ ଡାକ୍ତରଙ୍କ ଶବ ମିଳିଥିବା ଫ୍ଲାଏଓଭର୍‌ ତଳକୁ ନିଆଯାଇଥିଲା। କାରଣ ପୂର୍ବରୁ ସେଠାରେ ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ହତ୍ୟା କରି ଜାଳି ଦେଇଥିଲେ। ତେବେ ପୁଲିସର କହିବା ଅନୁଯାୟୀ ଏତିକିବେଳେ ଅଭିଯୁକ୍ତମାନେ ପୁଲିସଠାରୁ ବନ୍ଧୁକ ଛଡ଼ାଇ ଫେରାର୍‌ ହେବାକୁ ଉଦ୍ୟମ କରିଥିଲେ। ଏପରିକି ସେମାନେ ପୁଲିସ ବାହିନୀ ଉପରକୁ ମଧ୍ୟ ଗୁଳି ଚଳାଇଥିଲେ। ଫଳରେ ଦୁଇ ଜଣ ପୁଲିସ କର୍ମୀ ଆହତ ହୋଇଥିଲେ। ଜବାବରେ ପୁଲିସର ପାଲଟା କାର୍ଯ୍ୟାନୁଷ୍ଠାନରେ ସମସ୍ତ ୪ ଅଭିଯୁକ୍ତ ଘଟଣାସ୍ଥଳରେ ହିଁ ନିହତ ହୋଇଥିଲେ। ଆହତ ହୋଇଥିବା ଦୁଇ ପୁଲିସ କର୍ମୀଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି ବୋଲି ବୋଲି କମିସନର କହିଛନ୍ତି।

ତେବେ ପୁଲିସ ହେପାଜତରେ ଥିବା ଅଭିଯୁକ୍ତଙ୍କ ଏଭଳି ଏନକାଉଣ୍ଟରକୁ ନେଇ ପୁଣିଥରେ ଦେଶରେ ହଇଚଇ ସୃଷ୍ଟି ହୋଇଛି। ଏହି ମାମଲା ଅତ୍ୟନ୍ତ ସମ୍ବେଦନଶୀଳ ଥିବାରୁ ଜାତୀୟ ମାନବାଧିକାର କମିସନ୍‌ (ଏନ୍‌ଏଚ୍‌ଆର୍‌ସି) ନିଜ ଆଡ଼ୁ ତଦନ୍ତ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି।

ଅନ୍ୟପକ୍ଷରେ ୪ ଅଭିଯୁକ୍ତଙ୍କ ଏନ୍‌କାଉଣ୍ଟର ପରେ ମୃତ ପୀଡ଼ିତାଙ୍କ ପିତା ସରକାରଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ତାଙ୍କ ଝିଅର ଆତ୍ମାକୁ ଶାନ୍ତି ମିଳିବ। ଦିଲ୍ଲୀ ଗଣଦୁଷ୍କର୍ମର ଶିକାର ହୋଇଥିବା ନିର୍ଭୟାଙ୍କ ମା’ ମଧ୍ୟ ଏନକାଉଣ୍ଟରକୁ ସମର୍ଥନ କରି ବୟାନ ଦେଇଛନ୍ତି। ‌ସେ ହାଇଦ୍ରାବାଦ ପୁଲିସକୁ ଅଭିନନ୍ଦନ ଜଣାଇବା ସହିତ ଏନକାଉଣ୍ଟର ପାଇଁ ପୁଲିସ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି। ତେଲେଙ୍ଗାନା ଆଇନ ମନ୍ତ୍ରୀ ଇନ୍ଦ୍ରକରଣ ରେଡ୍ଡି କହିଛନ୍ତି ଯେ ଆଇନଗତ ପ୍ରକ୍ରିୟା ପୂର୍ବରୁ ଭଗବାନ ଅଭିଯୁକ୍ତମାନଙ୍କୁ ଦଣ୍ଡ ଦେଇଛନ୍ତି। ଅଭିଯୁକ୍ତମାନେ ଫେରାର୍‌ ହୋଇଯିବାକୁ ଚେଷ୍ଟା କରିବାରୁ ସେମାନଙ୍କୁ ନିପାତ କରାଯାଇଛି। ଏଥିରେ ହାଇଦ୍ରାବାଦ ସମେତ ସମଗ୍ର ଦେଶରେ ଆନନ୍ଦ ପ୍ରକାଶ ପାଇଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଆଜି ଅଭିଯୁକ୍ତମାନଙ୍କ ଶବ ବ୍ୟବଚ୍ଛେଦ ପରେ ଜୋଲ୍ଲୁ ଶିବାର ବାପା ଜୋଲ୍ଲୁ ରାଜାପ୍ପା ପୁଅର ଶବ ନେବାକୁ ମନା କରି ଦେଇଛନ୍ତି। ତେଣୁ ଶିବାର ଶବକୁ ପୁଲିସ ଦାହସଂସ୍କାର କରିବା ବୋଲି ଜଣାପଡ଼ିଛି।

ଏଣେ ସୋସିଆଲ୍‌ ମିଡିଆରେ ଏନ୍‌କାଉଣ୍ଟରକୁ ଅନେକ ସମର୍ଥନ କରିଥିବା ବେଳେ ଆଉ କେତେକ ଏହାର ବିରୋଧ କରିଛନ୍ତି। ଏହା ଦ୍ବାରା ଦେଶର ନ୍ୟାୟ ବ୍ୟବସ୍ଥା ଉପରୁ ଭରସା ଉଠିଯିବ ବୋଲି ମଧ୍ୟ ଅନେକ ମତ ରଖିଛନ୍ତି। ତେବେ ହାଇଦ୍ରାବାଦ ପୁଲିସକୁ ଦେଶବ୍ୟାପୀ ଲୋକେ ଅଭିନନ୍ଦନ ଜଣାଉଛନ୍ତି। ଅଭିଯୁକ୍ତଙ୍କୁ ନିପାତ କରାଯିବା ଖବରରେ ସ୍କୁଲ, କଲେଜ ଛାତ୍ରଛାତ୍ରୀ ଏବଂ ଯୁବଗୋଷ୍ଠୀ ଖୁସି ଜାହିର କରିଛନ୍ତି।

ସମ୍ବନ୍ଧିତ ଖବର