ଲକ୍ଷ୍ନୌ: ଅତ୍ୟନ୍ତ ବିବାଦୀୟ ଓ ଅତ୍ୟନ୍ତ ସ୍ପର୍ଶକାତର ଅଯୋଧ୍ୟା ରାମ ଜନ୍ମଭୂମି- ବାବ୍ରୀ ମସଜିଦ୍ ଜମି ବାବାଦ ମାମଲାର ରାୟ ସୁପ୍ରିମ୍ କୋର୍ଟ ସାମ୍ବିଧାନିକ ଖଣ୍ଡପୀଠଙ୍କ ଦ୍ୱାରା ଯେ କୌଣସି ମୂହୁର୍ତ୍ତରେ ପ୍ରକାଶ ପାଇବାକୁ ଥିବାବେଳେ ଉତ୍ତରପ୍ରଦେଶରେ ଏବେ ଠାରୁ ସାଂପ୍ରଦାୟିକ ତିକ୍ତତା ଓ ଉତ୍ତେଜନା ତୀବ୍ର ହେବାକୁ ଆରମ୍ଭ କଲାଣି। ଏହି ପୃଷ୍ଠଭୂମିରେ ହିନ୍ଦୁ ମହାସଭାର ପୂର୍ବତନ ସଭାପତି କମଲେଶ ତଓ୍ଵାରୀଙ୍କୁ ସ୍ପଷ୍ଟ ଦିବାଲୋକରେ ହତ୍ୟା କରାଯିବା ଘଟଣା ପୂରା ବାତାବରଣକୁ ଆହୁରି ଅଧିକ ଉଷ୍ମ କରି ପକାଇଛି।
ଏ ପରିସ୍ଥିତିରେ କେତେକ ଅସାମାଜିକ ବ୍ୟକ୍ତି ସାମାଜିକ ଗଣମାଧ୍ୟମ (ସୋସିଆଲ ମିଡିଆ)ରେ ଘୃଣା ଓ ବିଦ୍ୱେଷରେ ପରିପୂର୍ଣ୍ଣ ପୋଷ୍ଟିଂ ସବୁ ପ୍ରସାରିତ କରି ଉଭୟ ସଂପ୍ରଦାୟ ମଧ୍ୟରେ ସଦଭାବକୁ ନଷ୍ଟ କରି ଉତ୍ତେଜନା ସୃଷ୍ଟି କରିବା ଘଟଣା ଏବେ ଉତ୍ତରପ୍ରଦେଶ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି। ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଘୃଣା ଓ ବିଦ୍ୱେଷରେ ପରିପୂର୍ଣ୍ଣ ପୋଷ୍ଟିଂ ଉପରେ ଲଗାମ୍ ଲଗାଇବା ପାଇଁ ଉତ୍ତରପ୍ରଦେଶ ପ୍ରଶାସନ ସୋସିଆଲ ମିଡିଆରେ କରାଯାଉଥିବା ପୋଷ୍ଟିଂ ସବୁକୁ ଯାଞ୍ଚ କରି ନିଜ ତରଫରୁ ୧୪ଟି ଏଫ୍ଆଇଆର ଆଗତ କରିଛି। ଏବଂ ଏସବୁ ମାମଲାରେ ତୁରନ୍ତ ତଦନ୍ତ ଆରମ୍ଭ କରି ଉତ୍ତରପ୍ରଦେଶ ପୁଲିସ୍ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରୟାଗରାଜରୁ ୪ ଜଣଙ୍କୁ ଗିରଫ କରିବା ସହ ୬୭ ଜଣଙ୍କର ସୋସିଆଲ ମିଡିଆ ଆକାଉଣ୍ଟକୁ ବ୍ଲକ୍ କରି ଦେଇଛି।
/sambad/media/post_attachments/wp-content/uploads/2019/10/UP-police1-750x430.jpg)
ଉତ୍ତରପ୍ରଦେଶ ପୁଲିସ୍ ମହାନିର୍ଦ୍ଦେଶକ ଓ ପି ସିଂହ କହିଛନ୍ତି ଯେ ସାମାଜିକ ଗଣମାଧ୍ୟମରେ ଘୃଣା ଓ ବିଦ୍ୱେଷ ଭରା ପୋଷ୍ଟିଂକୁ ପ୍ରସାରିତ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସେମାନଙ୍କୁ ଜାତୀୟ ସୁରକ୍ଷା ଆଇନ୍ (ଏନ୍ଏସ୍ଏ)ରେ ଗିରଫ କରାଯିବ। ସେହିପରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍ପିମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେବା ସହ ଉତ୍ତରପ୍ରଦେଶ ଓ ନେପାଳ ସୀମାକୁ ସିଲ୍ କରି ଦେଇଛନ୍ତି।