ନିଖୋଜ ଥିବା କଂଗ୍ରେସର ୪ ଅସନ୍ତୁଷ୍ଟ ବିଧାୟକଙ୍କର ବେଙ୍ଗାଲୁରୁରେ ଆବିର୍ଭାବ ପରେ ପୁଣି ସରଗରମ ହେଲା କର୍ଣ୍ଣାଟକ ରାଜନୀତି

ବେଙ୍ଗାଲୁରୁ: ଦୀର୍ଘ ୧୦ ଦିନ କାଳ ଅତ୍ୟନ୍ତ ରହସ୍ୟଜନକ ଭାବେ ନିଖୋଜ ରହିବା ପରେ କଂଗ୍ରେସର ୪ ଅସନ୍ତୁଷ୍ଟ ବିଧାୟକଙ୍କର ଆଜି ବେଙ୍ଗାଲୁରୁରେ ଆବିର୍ଭାବ ଘଟିଛି। ଏବଂ ୪ ଅସନ୍ତୁଷ୍ଟ ବିଧାୟକଙ୍କ ଆବିର୍ଭାବ ସହ କର୍ଣ୍ଣାଟକର ରାଜନୀତି ଆଉଥରେ ସରଗରମ ହୋଇଛି।

ଉଲ୍ଲେଖଯୋଗ୍ୟ, ରମେଶ ଝାରିକୋଲି, ଉମେଶ ଯାଦବ, ମହେଶ କୁମାତାଲି ଓ ଏନ୍‌ ବି ନଗେନ୍ଦ୍ର ପ୍ରମୁଖ କଂଗ୍ରେସର ୪ ବିଧାୟକ ବିଜେପି ସହ ସଂପର୍କରେ ରହିବା ପରେ ଖୋଲାଖୋଲି ଦଳୀୟ ହୁଇପ୍‌ର ଅବମାନନା କରିଥିଲେ। କଂଗ୍ରେସ ଦଳ ପକ୍ଷରୁ ହୁଇପ୍‌ ଜାରି କରାଯିବା ସତ୍ତ୍ୱେ ଏହି ଚାରି ଅସନ୍ତୁଷ୍ଟ ବିଧାୟକ ଦଳର ବିଧାୟକ ଦଳ ବୈଠକ କିମ୍ବା ବିଧାନସଭାର ବଜେଟ ଅଧିବେଶନରେ ଯୋଗ ନଦେଇ ଅତ୍ୟନ୍ତ ରହସ୍ୟଜନକ ଭାବେ ନିଖୋଜ ହୋଇ ଯାଇଥିଲେ।

କର୍ଣ୍ଣାଟକର ଜେଡି(ଏସ୍‌)- କଂଗ୍ରେସ ମିଳିତ ସରକାରର ପତନ ଘଟାଇବା ଉଦ୍ଦେଶ୍ୟରେ ବିପୁଳ ଅର୍ଥ ନେଇ ଏମାନେ କର୍ଣ୍ଣାଟକ ବିଜେପି ମୁଖ୍ୟ ବି ଏସ୍‌ ୟେଦୁରାପ୍ପାଙ୍କ ସହ ହାତ ମିଳାଇଥିବା ଅଭିଯୋଗ ହୋଇଥିଲା। ତେବେ, ବିଧାୟକ ଦଳ ବୈଠକ କିମ୍ବା ବିଧାନସଭାର ବଜେଟ ଅଧିବେଶନରେ ଯୋଗ ନଦେଇ ଅନୁପସ୍ଥିତ ରହିଥିବା ଏହି ୪ ବିଧାୟକଙ୍କର ସଦସ୍ୟତା ରଦ୍ଦ କରିବା ପାଇଁ କଂଗ୍ରେସ ବିଧାୟକ ବିଧାୟକ ଦଳ ନେତା ସିଦ୍ଧରମେୟା ଓ କର୍ଣ୍ଣାଟକର ଉପ ମୁଖ୍ୟମନ୍ତ୍ରୀ ଥିବା କଂଗ୍ରେସ ଜି ପରମେଶ୍ୱର ଗତ ସୋମବାର ବାଚସ୍ପତି ରମେଶ କୁମାରଙ୍କୁ ସାକ୍ଷାତ କରି ଲିଖିତ ଭାବେ ଜଣାଇଥିଲେ। ତେବେ, ଏହି ଘଟଣାପରେ ରମେଶ ଝାରିକୋଲି, ଉମେଶ ଯାଦବ, ମହେଶ କୁମାତାଲି ଓ ଏନ୍‌ ବି ନଗେନ୍ଦ୍ର ପ୍ରମୁଖ କଂଗ୍ରେସର ୪ ବିଧାୟକ ଯେପରି ରହସ୍ୟଜନକ ଭାବେ ନିଖୋଜ ହୋଇଥିଲେ ସେହିପରି ରହସ୍ୟଜନକ ଭାବେ ଆବିର୍ଭାବ ହୋଇଛନ୍ତି।

କଂଗ୍ରେସର ବରିଷ୍ଠ ନେତା ତଥା ଜଳସଂପଦ ମନ୍ତ୍ରୀ ଡି ଶିବକୁମାର ମଧ୍ୟ କଂଗ୍ରେସର ୪ ଅସନ୍ତୁଷ୍ଟ ବିଧାୟକ ଏବେ ବେଙ୍ଗାଲୁରୁ ଆସି ଯାଇଥିବା ସ୍ୱୀକାର କରିଛନ୍ତି। ଏବଂ ସେମାନଙ୍କର ସମସ୍ତ ପ୍ରକାରର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ବୋଲି କହିଛନ୍ତି। ତେବେ, ଏହି ୪ ଅସନ୍ତୁଷ୍ଟ କଂଗ୍ରେସ ବିଧାୟକଙ୍କ ଆବିର୍ଭାବ ସହ କର୍ଣ୍ଣାଟକ ରାଜନୀତି ଆଉଥରେ ଚଳଚଞ୍ଚଳ ହେବା ସହ ସରଗରମ ହୋଇଛି।

ସମ୍ବନ୍ଧିତ ଖବର