ଜମ୍ମୁ- କଶ୍ମୀର: ଭାରତୀୟ ସେନା ନିକଟରେ ୪ ଆତଙ୍କବାଦୀଙ୍କ ଆତ୍ମସମର୍ପଣ

ଶ୍ରୀନଗର (ଜମ୍ମୁ-କଶ୍ମୀର): ଆତଙ୍କବାଦୀ ସଂଗଠନ ଅଲବଦରର ୪ ଜଣ ଆଜି ଆତଙ୍କବାଦୀ ଜାମ୍ମୁ-କଶ୍ମୀରର କୁପ୍‌ଓ୍ଵାଡ଼ା ଜିଲ୍ଲା ଅନ୍ତର୍ଗତ ହନ୍ଦବାଡା ଠାରେ ଭାରତୀୟ ସେନା ନିକଟରେ ଆତ୍ମସମର୍ପଣ କରିଥିବା ସେନା ବାହିନୀ ପକ୍ଷରୁ ସୂଚନା ଦିଆଯାଇଛି। ସେନା ବାହିନୀର ପ୍ରବକ୍ତାଙ୍କ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଆତଙ୍କବାଦୀ ସଂଗଠନରେ ନୂତନ ଭାବେ ସାମିଲ ହୋଇଥିବା ଏହି ୪ ଜଣ ଆତଙ୍କବାଦୀଙ୍କୁ ସୁରକ୍ଷା ବାହିନୀର ଯବାନମାନେ ସେମାନଙ୍କ ଚକ୍ରବ୍ୟୂହ ମଧ୍ୟରେ ବନ୍ଦୀ କରିଦେବା ପରେ ସେମାନେ ଆଉ ଅନ୍ୟ କୌଣସି ପ୍ରକାରର ବିକଳ୍ପ ନପାଇ ସେନାର ଯବାନମାନଙ୍କ ନିକଟରେ ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଥିଲେ।

ଅଲବଦରର ଏହି ଚାରିଜଣ ଆତଙ୍କବାଦୀଙ୍କ ଆତ୍ମସମର୍ପଣ ପରେ ଭାରତୀୟ ସେନା ସେମାନଙ୍କୁ ଗିରଫ କରିବା ସହ ଏକ ଅଜ୍ଞାତ ସ୍ଥାନକୁ ନେଇଯାଇ ଏବେ ସେମାନଙ୍କୁ ଜେରା କରୁଛି। ସେନା ପ୍ରବକ୍ତାଙ୍କ ସୂତ୍ରରୁ ପ୍ରକାଶ, ଏହି ଆତଙ୍କବାଦୀମାନଙ୍କ ସଂପର୍କରେ ଠୋସ୍‌ ସୂଚନା ମିଳିବା ପରେ ଜମ୍ମୁ- କଶ୍କୀରର ପୁଲିସ୍‌ ସହ ମିଶି ସେନା ଏମାନଙ୍କୁ ଧରିବା ପାଇଁ ଏକ ଜାଲ ବିଛାଇଥିଲା। ଏହି ଜାଲରେ ପଡ଼ିଯିବା ପରେ ମୁକୁଳିବା ପାଇଁ ସେନା ଓ ପୁଲିସ୍‌ ଉପରକୁ ଗୁଳି ଚଳାଇଥିଲେ। ହେଲେ ସେମାନଙ୍କର ସବୁ ଉଦ୍ୟମ ବ୍ୟର୍ଥ ଯାଇଥିଲା। ପରେ ସେମାନେ ଅନୋନ୍ୟପାୟ ହୋଇ ସେନା ବାହିନୀ ଆଗରେ ଆତ୍ମସମର୍ପଣ କରବା ପାଇଁ ବାଧ୍ୟ ହୋଇଥିଲେ।

ଉଲ୍ଲେଖଯୋଗ୍ୟ, ଗୋଟିଏ ଦିନ ପୂର୍ବରୁ ସୋସିଆଲ ମିଡିଆରେ ଏହି ୪ ଜଣ ଆତଙ୍କବାଦୀଙ୍କ ହାତରେ ରାଇଫଲ ଧରିଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ ଦେଖିବା ପରେ ଏମାନଙ୍କୁ ଧରିବା ପାଇଁ ଜମ୍ମୁ- କଶ୍କୀରର ପୁଲିସ୍‌ ସହ ମିଶି ସେନା ଏମାନଙ୍କୁ ଧରିବା ପାଇଁ ଏକ ଜାଲ ବିଛାଇଥିଲା। ଶେଷରେ ଏହି ଜାଲରେ ପଡ଼ି ୪ ଆତଙ୍କବାଦୀ ଆତ୍ମସମର୍ପଣ କରିଥିବା ବେଳେ ଏମାନଙ୍କର ଅନ୍ୟ ତିନି ଜଣ ସହଯୋଗୀ ଫେରାର ହୋଇଯିବାରେ ସମର୍ଥ ହୋଇଛନ୍ତି। ଫେରାର ହୋଇଯାଇଥିବା ଆତଙ୍କବାଦୀଙ୍କୁ ଧରିବା ପାଇଁ ଏବେ ସେନା ପକ୍ଷରୁ ବ୍ୟାପକ ଅଭିଯାନ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର