କାର୍‌ ଅପହରଣ କରିନେଲେ ୪ ଆତଙ୍କବାଦୀ, ପଞ୍ଜାବ ଏବଂ ଜମ୍ମୁ କଶ୍ମୀରରେ ହାଇ ଆଲର୍ଟ

ଶ୍ରୀନଗର: ପଞ୍ଜାବର ପଠାନକୋଟ ଜିଲ୍ଲା ସ୍ଥିତ ମାଧପୁର ଅଞ୍ଚଳରେ ୪ ଜଣ ସନ୍ଦିଗ୍ଧ ଆତଙ୍କବାଦୀ ଗତକାଲି ସନ୍ଧ୍ୟାରେ ବନ୍ଧୁକ ଦେଖାଇ ଜଣେ ଟାକ୍ସି ଡ୍ରାଇଭରଙ୍କଠାରୁ କାର୍‌ ଅପହରଣ କରିନେଇଛନ୍ତି। କୌଣସି ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିବା ସନ୍ଦେହ କରାଯାଉଛି। ଏନେଇ ପଞ୍ଜାବ ଏବଂ ଜମ୍ମୁ କଶ୍ମୀରରେ ହାଇ ଆଲର୍ଟ ଜାରି ହୋଇଛି। ସନ୍ଦିଗ୍ଧ ୪ ଆତଙ୍କବାଦୀ ଜମ୍ମୁ ରେଳ ଷ୍ଟେସନ୍‌ରୁ ‌ଜେକେ୦୨ଏଡବ୍ଲ୍ୟୁ-୦୯୨୨ ନମ୍ବର ଥିବା ଏକ ଇନୋଭା ଟାକ୍ସି ଭଡ଼ାରେ ଆଣିଥିଲେ। ଗାଡ଼ିଟି ମେଜର ସର୍ବଜିତ୍‌ ସିଂହଙ୍କ ନାମରେ ବୁକ୍‌ ହୋଇଥିଲା ଏବଂ ଏଥିପାଇଁ ୩,୫୫୦ ଟଙ୍କା ଆଡଭାନ୍ସ ମଧ୍ୟ ଦିଆଯାଇଥିଲା ବୋଲି ରେଳ ଷ୍ଟେସନ୍‌ ଟାକ୍ସି ୟୁନିଅନ୍‌ ଉପାଧ୍ୟକ୍ଷ ରାଜବିନ୍ଦର ସିଂହ କହିଛନ୍ତି। ସେମାନେ ପଠାନକୋଟ୍‌ ଅଭିମୁଖେ ଯାତ୍ରା କରିଥିଲେ। ନିଜକୁ ସେନାବାହିନୀର ସଦସ୍ୟ ବୋଲି ପରିଚୟ ଦେଇ ଲଖନପୁର ଟୋଲ୍‌ ପୋଷ୍ଟ୍‌ ନିକଟରେ ଟିକସ ମଧ୍ୟ ଦେଇନଥିଲେ। ମିଳିଥିବା ସୂଚନା ଅନୁଯାୟୀ ରାଜ କୁମାର ନାମକ ଜଣେ ଡ୍ରାଇଭର ଏହି କାର୍‌ ଚଳାଇଥିଲେ। ସେମାନେ ମାଧପୁର ନିକଟରେ ପହଞ୍ଚିବାପରେ ଗାଡ଼ି ଡ୍ରାଇଭରଙ୍କୁ ମାରିଦେବେ ବୋଲି ଧମକ ଦେଇଥିଲେ। କିନ୍ତୁ ପରେ ସେମାନେ ଡ୍ରାଇଭରଙ୍କୁ ବାଟରେ ଓହ୍ଲାଇ ଦେଇ କାର ନେଇ ଫେରାର ହୋଇଯାଇଛନ୍ତି। ପରେ ଡ୍ରାଇଭର ଜଣକ ନିକଟସ୍ଥ ପୁଲିସ ପୋଷ୍ଟ୍‌ରେ ପହଞ୍ଚି ସବୁ କଥା ଜଣାଇଥିଲେ । ଏବେ ଗାଡ଼ିକୁ ଖୋଜିବାପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଉଲ୍ଲେଖଯୋଗ୍ୟ, ୨୦୧୬ରେ ପଠାନ୍‌କୋଟ ସାମରିକ ଘାଟିରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଆତଙ୍କବାଦୀ ଜଣେ ପଞ୍ଜାବ ସୁପରିଣ୍ଟେଣ୍ଡେଣ୍ଟ୍‌ ପୁଲିସଙ୍କଠାରୁ ଏକ ଗାଡ଼ି ଅପହରଣ କରିନେବା ପ‌ରେ ପଠାନକୋଟ୍‌ ସାମରିକ ଘାଟି ଉପରେ ଆକ୍ରମଣ କରିଥିଲେ।

ସମ୍ବନ୍ଧିତ ଖବର