ବାଂଲାଦେଶ ମୁହଁ ଖୋଲିଲା: ଆସାମର ୪୦ ଲକ୍ଷ ଅବୈଧ ନାଗରିକ ବାଂଲାଦେଶୀ ନୁହଁନ୍ତି

ନୂଆଦିଲ୍ଲୀ: ଆସାମରେ ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟ୍ରାର( ଏନ ଆର ସି)ଙ୍କ ଦ୍ୱିତୀୟ ଡ୍ରାଫ୍ଟ ରିପୋର୍ଟ ଗତ ସୋମବାର ଦିନ ପ୍ରକାଶ ପାଇଛି। ଏଥିରେ ଆସାମରେ ୪୦ ଲକ୍ଷ ଲୋକ ଦେଶର ନାଗରିକ ନୁହଁନ୍ତି ବୋଲି ଏନ ଆର ସି ରିପୋର୍ଟରେ ସ୍ପଷ୍ଟ ହୋଇଛି। ଏହି ୪୦ ଲକ୍ଷ ଲୋକ ବାଂଲାଦେଶ ଅନୁପ୍ରବେଶକାରୀ ଓ ଅଧିକାଂଶ ଅବୈଧ ରୂପେ ଭାରତରେ ରହୁଛନ୍ତି। ଏହାକୁ ନେଇ ଦେଶରେ ରାଜନୈତିକ ବାତାବରଣ ସରଗରମ ହୋଇ ଉଠଥିବା ବେଳେ ପ୍ରଥମ ଥର ପାଇଁ ବୁଧବାର ଏ ନେଇ ମୁହଁଖୋଲିଛି ବାଂଲାଦେଶ। ବାଂଲାଦେଶର ସୂଚନା ଓ ପ୍ରସାରଣ ମନ୍ତ୍ରୀ ହସ୍‌ନ ଉଲ ହକ୍‌ ଇନୁ କହିଛନ୍ତି ଯେ କୌଣସି ବାଂଲାଦେଶୀ ଭାରତରେ ଅନୁପ୍ରବେଶ କରି ରହି ନାହାନ୍ତି। ଯେଉଁମାନେ ଆସାମରେ ରହିଛନ୍ତି ସେମାେନେ ଦୀର୍ଘ ଦିନ ଧରି ସେଠାରେ ଭାରତର ନାଗରିକ ଭାବେ ରହିଛନ୍ତି।ଏହା ଭାରତର ଆଭ୍ୟନ୍ତରୀଣ ସମସ୍ୟା, ଏକଥା ଭାରତ ବାଂଲାଦେଶ ଉପରେ ନ ଲଦି ନିଜ ସମସ୍ୟା ନିଜେ ସମାଧାନ କରୁ ବୋଲି ହସନ୍‌ ଉଲ ହକ୍‌ କହିଛନ୍ତି। ଆମେ ଏବେ ରୋହଙ୍ଗ୍ୟା ମାନଙ୍କୁ ଦେଶରୁ ତଡ଼ିବା ପାଇଁ ଯୋଜନା କରୁଛୁ ବୋଲି କହି ବାଂଲାଦେଶ ଏନ ଆର ସି ଡ୍ରାଫ୍ଟ ରିପୋର୍ଟରେ ଆସାମରେ ଥିବା ୪୦ ଲକ୍ଷ ଅବୈଧ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶୀ ନାଗରିକ ନୁହଁନ୍ତି ବୋଲି କହି ଏହି ପ୍ରସଙ୍ଗରେ ବଲ୍‌ ଭାରତ କୋର୍ଟକୁ ଫିଙ୍ଗି ଦେଇଛି।
ସୂଚନାଯୋଗ୍ୟଯେ ଆସାମର ଜନସଂଖ୍ୟା ବର୍ତ୍ତମାନ ୩.୨୯ କୋଟି ଥିବା ବଳେ ସୋମବାର ପ୍ରକାଶିତ ଏନ ଆର ସିି ଡ୍ରାଫ୍ଟ ରିପୋର୍ଟରେ ମୋଟ୍‌ ୨.୮୯ କୋଟି ଲୋକ ଭାରତୀୟ ନାଗରିକ ବୋଲି ସ୍ପଷ୍ଟ ହୋଇଛିି। ଅବଶିଷ୍ଟ ୪୦ ଲକ୍ଷ ଲୋକ ଯେଉଁମାନେ ମୂଳତଃ ବାଂଲାଦେଶରୁ ଆସି ଆସାମରେ ରହି ଯାଇଥିବା ସ୍ପଷ୍ଟହୋଇଛି। ତେବେ ଏହି ଅବୈଧ ଅନୁପ୍ରବେଶକାରୀଙ୍କ ବିରୋଧରେ ତତ୍‌କାଳ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆପତ୍ତି ଅଭିଯୋଗର ପର୍ଯ୍ୟାୟ ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କୋର୍ଟ କହିଛନ୍ତି।

ସମ୍ବନ୍ଧିତ ଖବର