ଜଳ ସଂକଟ ପାଇଁ ୪୦% ବ୍ୟାଙ୍କ ଋଣ ବୁଡ଼ିବ!

ନୂଆଦିଲ୍ଲୀ: ଦେଶରେ ଜଳ ସଂକଟ କେବଳ ଲୋକଙ୍କ ଜୀବନ ଓ ଜୀବିକାକୁ ପ୍ରଭାବିତ କରିନାହିଁ ବ୍ୟାଙ୍କର ଆର୍ଥିକ ସ୍ଥିତିକୁ ମଧ୍ୟ ଏହା ବେହାଲ କରିବାକୁ ବସିଛି। ଦେଶର ବ୍ୟାଙ୍କ ଗୁଡ଼ିକ ଯେଉଁ ଋଣ ଦେଇଛନ୍ତି ସେଥିରୁ ପ୍ରାୟ ୪୦ ପ୍ରତିଶତ ଋଣ ଜଳ ସଂପଦ ଉପରେ ନିର୍ଭରଶୀଳ ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକ ନେଇଛନ୍ତି। ଯଦି ଜଳ ଏହି ଶିଳ୍ପଗୁଡ଼ିକର ବ୍ୟବସାୟକୁ ପ୍ରଭାବିତ କରେ ତାହେଲେ ସେମାନଙ୍କ ପକ୍ଷେ ଋଣ ଶୁଝିବା କଷ୍ଟକର ହୋଇପଡ଼ିବ। ଫଳରେ ବ୍ୟାଙ୍କ ଗୁଡ଼ିକର ଅନାଦାୟ ଋଣ (ଏନପିଏ) ବଢ଼ିଯିବ ବୋଲି ବିଶ୍ବ ବନ୍ୟଜନ୍ତୁ ପାଣ୍ଠି (ଡବ୍ଲ୍ୟୁଡବ୍ଲ୍ୟୁଏଫ୍) ଏବଂ ଇଣ୍ଡିଆନ୍ ବ୍ୟାଙ୍କ ଆସୋସିଏସନ(ଆଇବିଏ) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି। ଦେଶରେ ଏବେ ଅନାଦାୟ ଋଣକୁ ନେଇ ବ୍ୟାଙ୍କ ଗୁଡ଼ିକ ଚାପରେ ଥିବାବେଳେ ନୂଆ ରିପୋର୍ଟ ପୁଣି ଏହି ଚାପକୁ ଆହୁରି ବଢ଼ାଇ ଦେଇଛି। ଜଳ ସମ୍ପଦ ଅଭାବ ହେଲେ ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକ ଋଣ ପରିଶୋଧ କରିବା କଷ୍ଟକର ହୋଇଯିବ। ‘ଲୁକ୍କାୟିତ ବିପଦ ଏବଂ ଅବ୍ୟବହୃତ ସୁଯୋଗ: ଜଳ ଏବଂ ଭାରତୀୟ ବ୍ୟାଙ୍କିଂ କ୍ଷେତ୍ର’ ଶୀର୍ଷକରେ ପ୍ରକାଶିତ ଏହି ରିପୋର୍ଟରେ ଏହି ବିଷୟ ଉଲ୍ଲେଖ କରାଯାଇଛି। ଭାରତୀୟ ବ୍ୟାଙ୍କ ଗୁଡ଼ିକ ପାଇଁ ଜଳ କାହିଁକି ବଡ଼ ବିପଦ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି। ବିଶେଷକରି ଶକ୍ତି ଏବଂ କୃଷି କ୍ଷେତ୍ର ଉପରେ ଏହି ପ୍ରଭାବ ପଡ଼ିବ। ବ୍ୟାଙ୍କ ଗୁଡ଼ିକ ପ୍ରଦାନ କରିଥିବା ଋଣ ମଧ୍ୟରୁ ୪୦ ପ୍ରତିଶତ ଋଣ ଏହି ଦୁଇ କ୍ଷେତ୍ରକୁ ପ୍ରଦାନ କରିଛନ୍ତି। ଭାରତରେ ‌ଏବେ ବ୍ୟାଙ୍କ ଗୁଡ଼ିକର ମୋଟ ଅନାଦାୟ ଋଣ ହାର ୧୦ ପ୍ରତିଶତ ସ୍ତରରେ ରହିଛି। ଦେଖାଦେବାକୁ ଥିବା ଏହି ବିପଦ ଯୋଗୁ ଏହି ସମସ୍ୟା ଆହୁରି ବଢ଼ିଯିବ। ବ୍ୟାଙ୍କ ଗୁଡ଼ିକରେ ନଗଦ ଅର୍ଥର ଅଭାବ ଦେଖାଯିବ ଏବଂ ସେମାନଙ୍କ ଆୟବ୍ୟୟ ହିସାବ ବିଗିଡ଼ିଯିବ। ନିତି ଆୟୋଗ ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟକୁ ଉଦ୍ଧାର କରି ଏଥିରେ କୁହାଯାଇଛି ଯେ, ଦେଶରେ ଏବେ ଜଳସଙ୍କଟ ସବୁଠାରୁ ଖରାପ ସ୍ଥିତିରେ ରହିଛି। ଏତଦବ୍ୟତୀତ ଜଳସମ୍ପଦର ବ୍ୟବହାର ଓ ପରିଚାଳନା ନେଇ ଏକ ବ୍ୟାପକ ନୀତି ପ୍ରସ୍ତୁତ କରାଯିବାର ଆବଶ୍ୟକତା ରହିଛି ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର