ପୁରୀ- ହାଓ୍ଵଡା ଶତାବ୍ଦୀ ଏକ୍ସପ୍ରେସ୍‌ରେ ଜଳଖିଆ ଖାଇ ୪୦ ଅସୁସ୍ଥ, ୧୪ ଗରୁତର ଚିକିତ୍ସା ପାଇଁ ଖଡ଼ଗ୍‌ପୁର ରେଳବାଇ ଡାକ୍ତରଖାନାରେ ଭର୍ତ୍ତି

କୋଲକାତା: ପୁରୀରୁ କୋଲକାତା ଅଭିମୁଖେ ଯାଉଥିବା ଶତାବ୍ଦୀ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ରେଳବାଇ ପକ୍ଷରୁ ଦିଆଯାଉଥିବା ସକାଳ ଜଳଖିଆ ଖାଇବା ପରେ ୪୦ ଜଣ ଯାତ୍ରୀ ଅସୁସ୍ଥ ହୋଇ ପଡ଼ିଛନ୍ତି। ଅସୁସ୍ଥ ଯାତ୍ରୀମାନଙ୍କ ମଧ୍ୟରୁ ୧୪ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଚିକିତ୍ସା ପାଇଁ ଖଡ଼ଗ୍‌ପୁର ଠାରେ ରେଳବାଇ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିବା ଜାଣିବାକୁ ମିଳିଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଆଜି (ବୁଧବାର) ସକାଳ ୫ଟା ୪୫ ମିନିଟ ସମୟରେ ପୁରୀ ଷ୍ଟେସନ ଛାଡ଼ିଥିବା ଶତାବ୍ଦୀ ଏକ୍ସପ୍ରେସ୍‌ରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ସକାଳ ୭ଟାରେ ଟ୍ରେନ୍‌ ଭୁବନେଶ୍ୱର ଷ୍ଟେସନ୍‌ ଛାଡ଼ିବା ପରେ ରେଳବାଇ ପକ୍ଷରୁ ଟ୍ରେନ୍‌ ମଧ୍ୟରେ ସକାଳ ଜଳଖିଆ ପରଷା ଯାଇଥିଲା। ସକାଳ ଜଳଖିଆରେ ଯାତ୍ରୀମାନଙ୍କୁ ବ୍ରେଡ୍‌ ଓ ଅଣ୍ଡା ଆମ୍‌ଲେଟ୍‌ ଦିଆ ଯାଇଥିଲା। ତେବେ, ଟ୍ରେନ୍‌ର ସି୧ ଓ ସି୨ କୋଚ୍‌ରେ ଯାତ୍ରା କରୁଥିବା ୪୦ ଜଣ ଯାତ୍ରୀ ଏହି ଜଳଖିଆ ଖାଇବା ପରେ ଅସୁସ୍ଥ ହୋଇ ପଡ଼ିଥିଲେ। ଯାତ୍ରୀମାନଙ୍କର ପ୍ରବଳ ମାତ୍ରାରେ ବାନ୍ତି ହେବା ସହ ପେଟରେ ଯନ୍ତ୍ରଣା ହୋଇଥିଲା। ତେବେ, ଟ୍ରେନ୍‌ରେ ଅସୁସ୍ଥ ହୋଇ ପଡ଼ିଥିବା ଯାତ୍ରୀମାନଙ୍କ ମଧ୍ୟରୁ ୧୪ ଜଣଙ୍କର ଅବସ୍ଥା ଅତ୍ୟନ୍ତ ଗୁରୁତର ହୋଇ ପଡ଼ିଥିଲା। ଫଳରେ ଟ୍ରେନ୍‌ଟି ୧୧ଟା ୪୫ ମିନିଟରେ ଖଡ଼ଗପୁରରେ ପହଞ୍ଚିବା ପରେ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିବା ଯାତ୍ରୀମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଖଡ଼ଗ୍‌ପୁର ରେଳବାଇ ଡାକ୍ତରଖାନାକୁ ନିଆଯିବା ସହ ସେଠାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।

ଟ୍ରେନ୍‌ ଯାତ୍ରୀମାନଙ୍କୁ ଏହି ଖାଦ୍ୟ ରେଳବାଇର ଆଇଆର୍‌ସିଟିସି ସଂସ୍ଥା ପକ୍ଷରୁ ଦିଆ ଯାଇଥିଲା। ଏବଂ ପୁରୀ ଷ୍ଟେସନରେ ଥିବା ଆଇଆର୍‌ସିଟିସି କ୍ୟାଣ୍ଟିନ୍‌ ପକ୍ଷରୁ ଏହାକୁ ପ୍ରସ୍ତୁତ କରାଯିବା ସହ ଯାତ୍ରୀମାନଙ୍କୁ ପ୍ରଦାନ କରିବା ପାଇଁ ଟ୍ରେନ୍‌ରେ ଅଣା ଯାଇଥିଲା। ତେବେ, ଏହି ଘଟଣା ପରେ ଖାଦ୍ୟ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବା ସହ ଘଟଣା ସଂପର୍କରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି ବୋଲି କହିଛନ୍ତି ଖଡ଼ଗ୍‌ପୁର ଡିଭିଜନର ଡିଭିଜନାଲ ରେଲେଓ୍ଵ ମ୍ୟାନେଜର କେ ରବିନ୍‌ କୁମାର ରେଡ୍ଡି।

ସମ୍ବନ୍ଧିତ ଖବର