ସ୍କୁଲ୍‌ରେ ବୁନ୍ଦିଆ ପ୍ରସାଦ ଖାଇ ୪୦ ପିଲା ଅସୁସ୍ଥ

ରାଞ୍ଚି: ରବିବାର ଦିନ ଝାଡ଼ଖଣ୍ଡର ଲୋହାରଦାଗାସ୍ଥିତ ଏକ ସ୍କୁଲ୍‌ରେ ପ୍ରସାଦ ଖାଇବା ପରେ ପ୍ରାୟ ୪୦ ଜଣ ପିଲା ଅସୁସ୍ଥ ହୋଇପଡ଼ିଛନ୍ତି।
ଏହା ଖାଦ୍ୟ ବିଷକ୍ରିୟା ଜନିତ ଘଟନା ଏବଂ ଏଥିରେ କେତେ ଜଣ ପିଲାଙ୍କ ଅବସ୍ଥା ଗୁରୁତର ହୋଇ ଯାଇଥିବା କଥା ଡାକ୍ତରମାନେ କହିଛନ୍ତି।

ସଦର ହସ୍‌ପିଟାଲ୍‌ର ଡାକ୍ତର ଏସ୍‌ଏସ୍‌ ଖଲିଦ କହନ୍ତି: ଡାକ୍ତରଖାନାକୁ ଏ ପର୍ଯ୍ୟନ୍ତ ୪୦ ଜଣ ପିଲା ଆସିଛନ୍ତି। ସେଥିରୁ ଜଣେ ଦୁଇଜଣଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଛି। ଏଇଟା ଖାଦ୍ୟ ବିଷକ୍ରିୟା ଜନିଟ ଘଟନା ଏବଂ ଆମେ ସେ ଅନୁସାରେ ଚିକିତ୍ସା କରୁଛୁ।

ଘଟନାର ତଦନ୍ତ କରିବାକୁ ଏକ ମାମଲା ରୁଜୁ କରାଯାଇଛି।

ଅସୁସ୍ଥ ପିଲାମାନେ ୬/୭ ବର୍ଷ ମଧ୍ୟରେ ହେବେ। ଇଟା ଗ୍ରାମର ସ୍କୁଲ୍‌ରେ ସରସ୍ୱତୀ ପୂଜା ପରେ ଏହି ପିଲାମାନଙ୍କୁ ଦିଆ ଯାଇଥିବା ବୁନ୍ଦିଆ ପ୍ରସାଦ ଖାଇବା ପରେ ବାନ୍ତିଉଚ୍ଛାଳ ଆରମ୍ଭ ହୋଇଥିଲା।

ଜିଲ୍ଲା ଶିକ୍ଷା ଅଧିକାରୀ ରତଦ ମାହଓ୍ଵାର୍‌ କହନ୍ତି: ପ୍ରଶାସନ ତଦନ୍ତ କରୁଛି। ଦୋଷୀ ଯିଏ ହୋଇଥାଉ ନା କାହିଁକି ଆମେ କଠୋର ପଦକ୍ଷେପ ଗ୍ରହଣ କରିବୁ। କାରଣ ଜାଣିବାକୁ ଖାଦ୍ୟ ନମୁନା ପରୀକ୍ଷା କରାଇବୁ।

ସମ୍ବନ୍ଧିତ ଖବର