ନିର୍ବାଚନ ୨୦୧୯: ଫେସ୍‌ବୁକରେ ‘ଫେକ୍‌ ନ୍ୟୁଜ୍‌’ ଉପରେ ଅହର୍ନିଶି ନଜର ରଖିଛନ୍ତି ୪୦ଟି ଟିମ୍‌ର ୩୦,୦୦୦ ସଦସ୍ୟ

ନୂଆଦିଲ୍ଲୀ/ କାଲିଫର୍ଣ୍ଣିଆ: ସୋସିଆଲ ମଡିଆ ବା ସାମାଜିକ ଗଣମାଧ୍ୟମର ସବୁଠାରୁ ବଡ଼ ପ୍ଲାଟଫର୍ମ ରୂପେ ବିବେଚିତ ହେଉଥିବା ଫେସ୍‌ବୁକ ମଧ୍ୟ ୨୦୧୯ ଲୋକସଭା ନିର୍ବାଚନ ପାଇଁ ଖୁବ୍‌ ଚଳଚଞ୍ଚଳ ହୋଇ ଉଠିଛି। ୨୦୧୯ ଲୋକସଭା ନିର୍ବାଚନରେ ମତଦାନ କରିବାକୁ ଥିବା ଦେଶର ୯୦ କୋଟି ଭୋଟରଙ୍କ ମଧ୍ୟରୁ ସଂଖ୍ୟାଧିକ ହେଉଛନ୍ତି ଫେସବୁକ ବ୍ୟବହାରକାରୀ। ସେଥିପାଇଁ ଏହାକୁ ଦୃଷ୍ଟିରେ ରଖି ଦେଶର ରାଜନୈତିକ ଦଳଗୁଡ଼ିକ ମଧ୍ୟ ନିଜ ନିଜର ପ୍ରଚାର ଉଦ୍ଦେଶ୍ୟରେ ଫେସ୍‌ବୁକକୁ ଏକ ପ୍ରମୁଖ ମାଧ୍ୟମ ରୂପେ ବିବେଚନା କରିବା ସହ ଫେସ୍‌ବୁକରେ ନିଜ ନିଜର ବିଜ୍ଞାପନ ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।

ଏହି ପରିପ୍ରେକ୍ଷୀରେ ଫେସ୍‌ବୁକରେ ଯେପରି ମିଥ୍ୟା ଖବର, କାହାରି ଚରିତ୍ର ସଂହାର କଲାପରି ଖବର, ଗୁଜବ, ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟିକାରୀ ପୋଷ୍ଟିଂଗୁଡ଼ିକର ଯେପରି ପ୍ରଚାର ପ୍ରସାର ନହୁଏ ସେଥିପ୍ରତି ତୀକ୍ଷ୍ଣ ନଜର ରଖିବାକୁ ଫେସ୍‌ବୁକକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ। ଖାସ୍‌ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ଗୁରୁତ୍ୱ ଦେଇ ଫେସ୍‌ବୁକ୍‌ ଏବେ ୪୦ଟି ଟିମ୍‌ ଗଠନ କରି ୩୦,୦୦୦ ଲୋକଙ୍କୁ ନିଯୁକ୍ତ କରିଛି। ଯେଉଁମାନେ ଫେସବୁକରେ ହେଉଥିବା ସମସ୍ତଙ୍କର ସବୁ ପୋଷ୍ଟିଂକୁ ତନ୍ନତନ୍ନ କରି ଯାଞ୍ଚ କରୁଛନ୍ତି। ଫେସ୍‌ବୁକ ଓ୍ଵାଲରେ ହେଉଥିବା କେବଳ ମାତ୍ର ଲେଖା ପୋଷ୍ଟିଂ ନୁହେଁ ବରଂ ବ୍ୟବହାରକାରୀମାନେ କରୁଥିବା ପ୍ରତିଟି ଫଟୋ ଓ ଭିଡିଓକୁ ଯାଞ୍ଚ କରି ସେଗୁଡ଼ିକର ସତ୍ୟତା ପରଖୁଛନ୍ତି ଏହି ଟିମ୍‌ ଓ ଏହାର ସଦସ୍ୟମାନେ। ଏହି ଟିମ୍‌ କେବଳ ଭାରତରେ କାର୍ଯ୍ୟ କରୁନାହିଁ ବରଂ ଡବଲିନ୍‌ ଓ ସିଙ୍ଗପୁରରେ ଥାଇ ମଧ୍ୟ ଭାରତରେ ହେଉଥିବା ଫେସବୁକ୍‌ ପୋଷ୍ଟିଂ ଉପରେ ନଜର ରଖିଛି। ଯଦି କିଛି ବି ଆପତ୍ତିଜନକ ବିଷୟ ଦୃଷ୍ଟିକୁ ଆସୁଛି ତେବେ ତତ୍‌କ୍ଷଣାତ୍‌ ସେସବୁକୁ ଡିଲିଟ୍‌ କରୁଛି ଏହି ଟିମ୍‌। ଆଉ ଯଦି କୌଣସି ପେଜ୍‌ରେ ଏପରି ତ୍ରୁଟି ବାରମ୍ବାର ନଜରକୁ ଆସୁଛି ତେବେ ସେସବୁ ପେଜ୍‌କୁ ପୂରା ଫେସବୁକ୍‌ ପ୍ଲାଟଫର୍ମରୁ ହଟାଇ ଦେଉଛି ଏହି ଟିମ୍‌।

ସମ୍ବନ୍ଧିତ ଖବର