ଧୂଳିଝଡ଼ ଯୋଗୁଁ ଉତ୍ତର ପ୍ରଦେଶରେ ୪୨ ଜଣଙ୍କର ମୃତ୍ୟୁ

ଆଗ୍ରା: ବୁଧବାର ଦିନ ପଶ୍ଚିମ ଉତ୍ତର ପ୍ରଦେଶ ଅନ୍ତର୍ଗତ ୪ଟି ଜିଲ୍ଲାରେ ଝଡ଼ବର୍ଷା ଯୋଗୁଁ ୪୨ ଜଣ ଲୋକଙ୍କର ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି।

ରାଜ୍ୟ ସରକାରଙ୍କ ସୂତ୍ରରୁ ପ୍ରକାଶ ଯେ ଆଗ୍ରାରେ ୩୬ ଜଣ, ବିଜ୍‌ନୋର୍‌ରେ ୩ ଜଣ, ସାହାନରପୁରରେ ୨ ଜଣ ଏବଂ ବରେଲିରେ ଜଣେ ଲୋକଙ୍କର ମୃତ୍ୟୁ ହୋଇଛି। ତୁରନ୍ତ ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଚାରିଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି।

ଭୀଷଣ ବତାସ ବହିବା ଯୋଗୁଁ ଗଛ ଉପୁଡ଼ି ପଡ଼ିବା ଓ କାନ୍ଥ ଭାଙ୍ଗିଯିବା ଫଳରେ ବିଜୁଳି ସରବରାହ ଏବଂ ଟ୍ରେନ୍‌ ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଥିଲା।

ପ୍ରଶାସନ ଝଡ଼ବତାସ ଜନିତ କ୍ଷୟକ୍ଷତିର ଆକଳନ ଆରମ୍ଭ କରି ଦେଇଛନ୍ତି।

ପାଣିପାଗରେ ଗୋଳମାଳ ହେତୁ ହୋଇଥିବା କ୍ଷୟକ୍ଷତିର ଆକଳନ ପ୍ରକ୍ରିୟା ଆରମ୍ଭ କରାଯାଉଛି। ଏହା ପରେ କ୍ଷତିପୂରଣ ନିମନ୍ତେ ଅନୁକମ୍ପାମୂଳକ ସହାୟତା ଯୋଗାଇ ଦେବାକୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଗ୍ରାର ଅତିରିକ୍ତ ଜିଲ୍ଲାପାଳ ଆର୍‌ କେ ମଣିପାଳ କହିଛନ୍ତି।

ସମ୍ବନ୍ଧିତ ଖବର