ଉତ୍ତରପ୍ରଦେଶରେ ବଡ଼ ଦୁର୍ନୀତିର ପର୍ଦ୍ଦାଫାଶ : ୪୩ ହଜାର ଭୁତ ସମାଜବାଦୀ ପେନସନ ପାଉଛନ୍ତି, , ସମାଜବାଦୀ ପାର୍ଟି ଅମଳରୁ ଏହା ଚାଲିଛି

ନୂଆଦିଲ୍ଲୀ : ମୁଲାୟମ ସିଂ ଯାଦବ ଓ ଅଖିଳେଶ ଯାଦବଙ୍କ ପରିଚାଳିତ ସମାଜବାଦୀ ପାର୍ଟି ସବୁବେଳେ ସାମାଜିକ ନ୍ୟାୟ ପାଇଁ ଲଢିଆସୁଥିବା କହିଆସୁଛି । ଏହାକୁ ଦୃଷ୍ଟିରେ ରଖି ଦଳ ଉତ୍ତରପ୍ରଦେଶରେ କ୍ଷମତାରେ ଥିବାବେଳେ ଏକ ସମାଜବାଦୀ ପେନସନ ସ୍କିମ ଆରମ୍ଭ କରିଥିଲା । ଏହି ସ୍କିମ ଅନୁସାରେ ଗରିବ ଲୋକମାନଙ୍କୁ ମାସକୁ ୫୦୦ ଟଙ୍କା ଲେଖାଏଁ ପେନସନ ପ୍ରଦାନ କରାଯାଉଥିଲା । ବିଜେପି ସରକାର କ୍ଷମତାକୁ ଆସିବା ପରେ ଏହାକୁ ବନ୍ଦ କରିଦେବାକୁ ଉଦ୍ୟମ କରୁଛନ୍ତି ବୋଲି ସମାଜବାଦୀ ପାର୍ଟି ଅଭିଯୋଗ କରୁଛି । କିନ୍ତୁ ସରକାରଙ୍କ ଦ୍ୱାରା କରାଯାଇଥିବା ତଦନ୍ତରୁ ଏକ ବଡ଼ ଦୁର୍ନୀତିର ପର୍ଦ୍ଦାଫାଶ ହୋଇଛି । ତାହା ହେଉଛି ପ୍ରାୟ ୪୩ ହଜାର ମୃତ ବ୍ୟକ୍ତିଙ୍କ ବ୍ୟାଙ୍କ ଖାତାକୁ ଏହି ପେନସନ ମାସକୁ ମାସ ଜମା ହୋଇଚାଲିଛି । ରାଜ୍ୟ ସମାଜ ମଙ୍ଗଳ ବିଭାଗ ମନ୍ତ୍ରୀ ରାମପତି ଶାସ୍ତ୍ରୀ କହିଛନ୍ତି ଯେ ପ୍ରାୟ ୫୦ ଲକ୍ଷ ହିତାଧିକାରୀ ଏହି ପେନସନ ପାଉଛନ୍ତି । କିନ୍ତୁ ଯାଞ୍ଚରୁ ଜଣାପଡିଛି ଯେ ପ୍ରାୟ ୪ ଲକ୍ଷ ଲୋକ ସ୍ୱଚ୍ଛଳ ବର୍ଗର ଓ ସେମାନେ ଏହି ପେନସନ ପାଇବାକୁ ଆଦୌ ଯୋଗ୍ୟ ନୁହଁନ୍ତି । ଏପରିକି ଏମାନଙ୍କ ମଧ୍ୟରୁ ପ୍ରାୟ ୪୩ ହଜାର ଏପରି ହିତାଧିକାରୀ ରହିଛନ୍ତି ଯେଉଁମାନେ ଇହଧାମରେ ନାହାନ୍ତି । ଏହି ଦୁର୍ନୀତିର ପର୍ଦ୍ଦାଫାଶ ହେବା ପରେ ରାଜ୍ୟର ଚହଳ ପଡିଯାଇଛି ।

ସମ୍ବନ୍ଧିତ ଖବର