ଜାଣନ୍ତୁ କେତେ ବିପଜ୍ଜନକ ବିନା ହେଲମେଟରେ ବାଇକ୍ ଚାଳନା : ୨୦୧୮ରେ ରାସ୍ତାରେ ଯାଇଛି ୪୩,୬୦୦ ଜୀବନ

ନୂଆଦିଲ୍ଲୀ:   ବିନା ହେଲମେଟରେ ଗାଡ଼ି ଚାଳନା ଯୋଗୁଁ ପ୍ରତିବର୍ଷ ହଜାର ହଜାର ଜୀବନ ଯାଉଛି  ।  ପରିବହନ ବିଭାଗର ସୂଚନା ଅନୁସାରେ  ଗତବର୍ଷ ଦୁର୍ଘଟଣାରେ ପ୍ରାୟ ୪୩,୬୦୦  ହେଲମେଟ ପିନ୍ଧି ନ ଥିବା ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି । ପୂର୍ବବର୍ଷ ତୁଳନାରେ ଏହା ପ୍ରାୟ ୨୧ ପ୍ରତିଶତ ଅଧିକ । ୨୦୧୭ରେ ହେଲମେଟ ନ ପିନ୍ଧି  ୩୫,୯୭୫ ଚାଳକଙ୍କ ମୃତ୍ୟୁ ଘଟିଥିଲା । ଏହି ସମୟରେ  ବାଇକ୍ ପଛରେ ବିନା ହେଲମେଟରେ ବସିଥିବା ୧୫ ହଜାର ୩୬୦ ଜଣଙ୍କର ମୃତ୍ୟୁ ଘଟିଛି ।

ହେଲମେଟ ପିନ୍ଧିବାର  ଗୁରୁତ୍ୱକୁ ଉପଲବ୍ଧି କରାଇବା ଲାଗି  ଏହି ତଥ୍ୟ ପ୍ରକାଶ କରାଯାଇଛି । ଗୁଜରାଟ ଓ ଝାଡ଼ଖଣ୍ଡ ବାଇକ୍ ପଛରେ ବସିଥିବା ବ୍ୟକ୍ତିଙ୍କ ଉପରୁ ହେଲମେଟ୍ କଟକଣା ହଟାଇଛନ୍ତି । କିନ୍ତୁ ଗତ ବର୍ଷ ଗୁଜରାଟରେ ୯୫୮ ଜଣ ବିନା ହେଲମେଟ ପିନ୍ଧା ବ୍ୟକ୍ତିଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ସେମାନଙ୍କ ମଧ୍ୟରୁ ବାଇକ୍ ପଛରେ ୫୬୦ ଜଣ ବସିଥିଲେ । ସେହିପରି ଝାଡ଼ଖଣ୍ଡରେ ୭୯୦ ଜଣ ବାଇକ୍ ଚାଳକ ଓ ୪୫୦ଜଣ ପଛପଟେ ବସିଥିବା ବ୍ୟକ୍ତି  ହେଲମେଟ୍ ପିନ୍ଧି ନଥିବା କାରଣରୁ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି ।

ନୂଆ ମଟରଯାନ ଆଇନ  ଆସିବା ପରେ ଗତ ସପ୍ତାହରେ ଏହି ଦୁଇ ରାଜ୍ୟ ବାଇକରେ ବସିଥିବା ବ୍ୟକ୍ତିଙ୍କ ପାଇଁ ହେଲମେଟ ପିନ୍ଧାକୁ କୋହଳ କରିଛନ୍ତି । ଉତ୍ତର ପ୍ରଦେଶରେ ଗତବର୍ଷ ସର୍ବାଧିକ ୬,୦୨୦  ଏବଂ ମହାରଷ୍ଟ୍ରରେ ୫,୨୩୨  ବାଇକ ଚାଳକଙ୍କ ହେଲମେଟ୍ ନ ପିନ୍ଧିବା କାରଣରୁ ଦୁର୍ଘଟଣାରେ ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର