ଏବର୍ଷ ୪୫% ଭାରତୀୟ ଲାଞ୍ଚ ଦେଇଛନ୍ତି: ସର୍ଭେ

ନୂଆଦିଲ୍ଲୀ: କାର୍ଯ୍ୟ ହାସଲ କରିବା ପାଇଁ ଏ ବର୍ଷ ପ୍ରାୟ ୪୫% ଭାରତୀୟ ଅନ୍ତତଃ ଥରେ ଅଧେ ଲାଞ୍ଚ ଦେଇଛନ୍ତି। ଏ ତଥ୍ୟ ପ୍ରକାଶ କରିଛି ଭାରତର ୧୧ଟି ରାଜ୍ୟରେ ସର୍ଭେ କରିଥିବା ‘ଟ୍ରାନ୍‌ପରେଣ୍ଟ୍‌ ଇଣ୍ଟର୍‌ନେସ୍‌ନାଲ୍‌’ ନାମକ ସଂସ୍ଥା। ଗତ ବର୍ଷ ୪୩% ଲୋକ ଲାଞ୍ଚ ଦେଇଥିଲେ ବୋଲି ଏ ଭଳି ସର୍ଭେରୁ ଜଣାପଡ଼ିଥିଲା।

ସର୍ଭେରେ ଅଂଶଗ୍ରହଣ କରିଥିବା ୩୪, ୬୯୬ ବ୍ୟକ୍ତିଙ୍କ ମଧ୍ୟରୁ ପାଖାପାଖି ୩୭% ମତ ଯେ ଦୁର୍ନୀତି ବଢ଼ିଛି। ୧୪% କହନ୍ତି ଦୁର୍ନୀତି କମି ଯାଇଛି। ପ୍ରାୟ ୪୫% କହନ୍ତି ଦୁର୍ନୀତି ପୂର୍ବବତ ରହିଛି। ପଶ୍ଚିମବଙ୍ଗ ଏବଂ ମଧ୍ୟପ୍ରଦେଶ ଅଧିକ ଦୁର୍ନୀତିଗ୍ରସ୍ତ। ସାକ୍ଷାତ୍‌କାରରେ ଭାଗ ନେଇଥିବା ଲୋକଙ୍କ ମଧ୍ୟରୁ ୭୧% କହନ୍ତି ଯେ ସେମାନଙ୍କ ରାଜ୍ୟରେ ଦୁର୍ନୀତି ବଢ଼ିଛି। ମହାରାଷ୍ଟ୍ରରେ ମାତ୍ର ୧୮% ଲୋକ କହନ୍ତି କି, ଦୁର୍ନୀତି ବଢ଼ିଛି। ସେଠାକାର ୬୪% କହନ୍ତି ଏହା ଯେମିତିକି ସେମିତି ରହିଛି।

ଦିଲ୍ଲୀରୁ ମିଳିଛି ମିଶ୍ର ଫଳ। ସେଠାକାର ୩୩% କହନ୍ତି ଦୁର୍ନୀତି ବଢ଼ି ଯାଇଛି। ୩୮% କହନ୍ତି ଏହା ଯେମିତି ସେମିତି ଅଛି। କିନ୍ତୁ, ୨୮% ଲୋକ କହନ୍ତି ଯେ ଦୁର୍ନୀତି କମିଯାଇଛି। ଉତ୍ତରପ୍ରଦେଶର ୨୧% ଲୋକ କହନ୍ତି କି, ଦୁର୍ନୀତି କମି ଯାଇଛି।
ଟ୍ରାନ୍‌ସ୍‌ପରେନ୍‌ସି ଇଣ୍ଟର୍‌ନେସ୍‌ନାଲ୍‌ ଇଣ୍ଡିଆର ପଙ୍କଜ କୁମାର କହନ୍ତି ଯେ ଅଧିକାଂଶ ଦୁର୍ନୀତି ଆଞ୍ଚଳିକ ସ୍ତରରେ ହେଉଛି। ସର୍ଭେରେ ଅଂଶ ଗ୍ରହଣ କରିଥିବା କେବଳ ୯% ଲୋକ କହନ୍ତି ଯେ ଅଧିକାଂଶ ଲାଞ୍ଚ କେନ୍ଦ୍ର ସରକାରଙ୍କ ପିଏଫ୍‌, ଇନ୍‌କମ୍‌ ଟ୍ୟାକ୍ସ୍‍, ସର୍ଭିସ୍‌ ଟ୍ୟାକ୍ସ, ରେଲେଓ୍ଵ ଆଦି ବିଭାଗରେ ଦିଆଯାଉଛି। ୨% କହନ୍ତି ଘରୋଇ ଉଦ୍ୟୋଗରେ ଲାଞ୍ଚ ଦିଆଯାଉଛି।

ସ୍କୁଲ୍‌ ଆଡ୍‌ମିସନ୍‌, ଏନ୍‌ଜିଓ ଏବଂ ଅଦାଲତ କାମରେ ଲାଞ୍ଚ ଦିଆଯାଉଛି ବୋଲି ୫% ଅଂଶଗ୍ରହଣକାରୀ କହିଥିଲେ।
ଉକ୍ତ ରାଜ୍ୟଗୁଡ଼ିକର ୫୧% ଅଂଶଗ୍ରହଣକାରୀ କହନ୍ତି ଯେ ଦୁର୍ନୀତି ହ୍ରାସ କରିବା ନିମନ୍ତେ ଏ ବର୍ଷ ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି। ଜାତିସଂଘର ‘ଦୁର୍ନୀତି ନିରୋଧୀ ଦିବସ’ ଅବସରରେ ପ୍ରକାଶ ପାଇଥିବା ସର୍ଭେ ରିପୋର୍ଟରେ କୁହାଯାଇଛି ଯେ ୯ଟି ରାଜ୍ୟରେ ଲୋକାୟୁକ୍ତ ନାହିଁ।

ସମ୍ବନ୍ଧିତ ଖବର